• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମ ଦେଶରେ ଅନେକ ପ୍ରକାରର ରାଜନେତାଙ୍କୁ ଆମେ ଦେଖିଛନ୍ତି । ସହଜ ବା ସସ୍ଥା ଲୋକପ୍ରିୟତା ପାଇଁ ନେତାମାନେ କିଛି ବି କରିଥାନ୍ତି । ଯାହାକୁ କୁହାଯାଏ ଏହା ନେତାଙ୍କର କେବଳ ପବ୍ଲିକ୍‌ ଷ୍ଟଣ୍ଟ । ଏଭଳି ଅନେକ ଦୃଶ୍ୟ ନିର୍ବାଚନ ସମୟରେ ଲୋକେ ଦେଖିବାକୁ ପାଇଥାନ୍ତି । କିଏ ଝାଡ଼ୁ ଧରି ରାସ୍ତା ସଫା କରିଥାନ୍ତି ତ କିଏ ଗରିବ ଆଦିବାସୀଙ୍କ ଘରେ ବସି କଦଳୀ ପତ୍ରରେ ଖାଇଥାନ୍ତି ।

ତେବେ ଏସବୁ ନେତାଙ୍କଠାରୁ ଜଣେ ଭିନ୍ନ ବ୍ୟକ୍ତିତ୍ୱ ଭାବେ ଏବେ ପୁରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌. ଜଗନ ରେଡ୍ଡୀ । ସୋସିଆଲ ମିଡିଆରେ ତାଙ୍କୁ ଅନେକ ଲୋକ ଫଲୋ କରନ୍ତି । ତାଙ୍କର ନୀତିଦିନିଆ କାର୍ଯ୍ୟକଳାପକୁ ଲୋକେ ପସନ୍ଦ ବି କରୁଛନ୍ତି । କାରଣ ସେ ହଠାତ୍‌ ଏମିତି କିଛି କାମ କରୁଛନ୍ତି ଯାହା କି ଲୋକଙ୍କ ମନକୁ ଛୁଇଁ ଯାଉଛି । ଆଉ ଅନ୍‌ ଦି ସ୍ପଟ୍‌ ଡିସିସନ୍‌ ନେବାରେ ବି ସେ ବିଳମ୍ବ କରନ୍ତି ନାହିଁ । ଲୋକଙ୍କ ଦୁଃଖ ଦେଖିଲେ ସେ ତୁରନ୍ତ ଛିଡ଼ା ହୋଇଥାନ୍ତି ବୋଲି ସୋସିଆଲ ମିଡିଆରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା । ବର୍ଷ ତମାମ ତାଙ୍କର ଏଭଳି କିଛି ନା କିଛି ପରୋପକାରୀ କାମ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି ।

ଆଉ ଏହାରି ଭିତରେ ପୁଣିଥରେ ତାଙ୍କ ଲୋକପ୍ରିୟତାକୁ ଦ୍ୱିଗୁଣିତ କରିଛି ତାଙ୍କର ଆଉ ଏକ ଭିଡିଓ । ଯାହାକି ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ମଧ୍ୟ ହେଉଛି । ଆଉ ଲୋକମାନେ ମଧ୍ୟ ଖୁବ୍‌ ପ୍ରଶଂସା କରୁଛନ୍ତି ।

ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିଲେ । ତେଣୁ ରାସ୍ତା କଡ଼ରେ ତାଙ୍କୁ ଦେଖିବା ପାଇଁ ଅନେକ ଲୋକଙ୍କ ଭିଡ଼ ଜମିଥିଲା । ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ବି ସୁରକ୍ଷା ବଳୟ ଭିତରେ ଆଗକୁ ମାଡ଼ି ଚାଲିଥିଲା । ହେଲେ ହଠାତ୍ ରାସ୍ତା ମଝିରେ ଅଟକି ଗଲା କାରକେଡ୍‌ । ଆଉ ଗାଡ଼ିରୁ ଓହ୍ଲାଇ ଭିଡ଼ ଭିତରକୁ ପଶିଲେ ଜଗନ । ସେଠାରେ ଏକ କୁନି ଛୁଆକୁ ଧରିଥିବା ମାଆ ପାଖରେ ପହଞ୍ଚିଥିଲେ । ଆଉ ତାର ଦୁଃଖ ବୁଝିଥିଲେ ।

ଖାଲି ଦୁଃଖ ବୁଝିଲେ ତା ନୁହେଁ, ଛୁଆର ଚିକିତ୍ସା ପାଇଁ ସମସ୍ତ ପ୍ରକାର ଖର୍ଚ୍ଚ ସରକାର କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଲେ । ଏହାସହ ଏକ କାର୍ଡ ଦେଲେ, ଯେଉଁଥିରେ ଏକ ଫୋନ୍‌ ନମ୍ବର ଲେଖାଥିଲେ । କିଛି ବି ଅସୁବିଧା ହେଲେ ସେହି କାର୍ଡରେ ଥିବା ଫୋନ୍‌ ନମ୍ବରରେ କଲ କରିବା ପାଇଁ ମହିଳାଙ୍କୁ କହିଲେ ଜଗନ । ଏମିତିକି ଜଣେ ଜିଲ୍ଲାପାଳଙ୍କୁ ପାଖକୁ ଡକାଇ ଏହାର ଦାୟିତ୍ୱ ନେବା ପାଇଁ ମଧ୍ୟ ନିର୍ଦେଶ ଦେଲେ । ପୁରା ଘଟଣାକୁ ମୋବାଇଲ୍‌ରେ କଏଦ କରିଥିଲେ ସେହି ଭିଡ଼ରେ ସାମିଲ ଥିବା ସାଧାରଣ ଲୋକମାନେ । ଆଉ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ବାହାବାହା ବୋଲି କହିଛନ୍ତି । ଆଉ ସମସ୍ତଙ୍କ ମୁହଁରେ ଗୋଟିଏ କଥା ମୁଖ୍ୟମନ୍ତ୍ରୀ ହେବ ତ ଏମିତି ।

ଏ ତ ଥିଲା ପୁରା କାହାଣୀ । ତେବେ ଆପଣଙ୍କ ମନରେ ଏବେ ଗୋଟିଏ ଛୋଟିଆ ପ୍ରଶ୍ନ ଟିଏ ଥିବ । ଆଉ ତାହା ହେଲା ମୁଖ୍ୟମନ୍ତ୍ରୀ ଏତେ ଭିଡ଼ ଭିତରେ ସେହି ମହିଳାଙ୍କ ପାଖକୁ କାହିଁକି ଗଲେ, ଆଉ ସେ କେମିତି ଜାଣିପାରିଲେ ଯେ, ମହିଳାଙ୍କ ପାଖରେ ଥିବା ଛୁଆ ଅସୁସ୍ଥ । ତେବେ ସେହି ଭାଇରାଲ ଭିଡିଓ ହିଁ କହୁଛି ପୁରା ଘଟଣା । ମହିଳା ଜଣକ ଭିଡ଼ ଭିତରେ ଥାଇ ନିଜ ଅସୁସ୍ଥ ଛୁଆକୁ ଉପରକୁ ଟେକି ଧରିଥିଲେ । ଯାହାକି ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପାଖାପାଖି ୨୦ ମିନିଟ୍‌ ପର୍ଯ୍ୟନ୍ତ ସେଠାରେ ରହି ମହିଳାଙ୍କ ପୁରା ଦୁଃଖ କାହାଣୀ ଶୁଣିଥିଲେ ଜଗନ ।