• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖଲିସ୍ତାନୀ ସମର୍ଥକ ତଥା ୱାରିସ ପଞ୍ଜାବ ଦେ ସଂଗଠନର ଅମ୍ରିତପାଲ ସିଂଙ୍କୁ ଧରିବା ପାଇଁ ପୋଲିସ୍‌ ବଡ଼ ଧରରଣ ଅପରେସନ୍‌ ଚଳାଇଛି । ବର୍ତ୍ତମାନ ସୁଦ୍ଧା ଅମ୍ରିତପାଲ (Amritpal Singh)ର ଅନେକ ସହଯୋଗୀଙ୍କୁ ଗିରଫ କରାଯାଇଥିଲେ ବି ସେ ଫେରାର ଅଛି । ଏହାରି ଭିତରେ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି, ଯାହା ପଞ୍ଜାବ ପୋଲିସ୍‌ର ପାରିବା ପଣିଆକୁ ପ୍ରଶ୍ନ କରୁଛି ।

ଭିଡିଓ ଫୁଟେଜ୍‌ରେ ଦେଖିବା ପାଇଁ ମିଳୁଛି, ଅମ୍ରିତପାଲ ସିଂ ନିଜ ମର୍ସିଡିଜ୍ କାରରେ ଆସି ଜଲନ୍ଧରର ଶାହକୋଟରେ ଓହ୍ଲାଇ ଯାଉଛି । ଆଉ ଶାହକୋଟରେ ଜଣେ ସହଯୋଗୀର ବ୍ରିଜା କାରରେ ସବାର ହେଉଛି । ପୋଲିସ୍‌ ଆଖିରେ ଧୂଳି ଦେବା ପାଇଁ ଅମ୍ରିତପାଲ ବ୍ରିଜା କାର ଭିତରେ ହିଁ ପୋଷାକ ବଦଳାଇ ଦେଉଛି । ଆଉ ତା’ପରେ ସେଠାରୁ ମୋଟର ସାଇକେଲରେ ତିନି ସହଯୋଗୀଙ୍କ ସହ ପ୍ୟାଣ୍ଟ ସାର୍ଟ ପିନ୍ଧି ଫେରାର ମାରୁଛି ।

ଅଧିକ ପଢ଼ନ୍ତୁ: ଅମ୍ରିତପାଲ୍ ସିଂ କିଏ ? କ’ଣ ତାର ଇତିହାସ ?

ପଞ୍ଜାବ ପୋଲିସ୍‌କୁ କୋର୍ଟଙ୍କ ଭର୍ସନା

ଅମ୍ରିତପାଲ ସିଂ ମାମଲାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପଞ୍ଜାବ ପୋଲିସକୁ ଭର୍ସନା କରିଛନ୍ତି । କୋର୍ଟ ପ୍ରଶ୍ନ କରିଛନ୍ତି "ପଞ୍ଜାବ ପୋଲିସରେ ୮୦ ହଜାର କର୍ମଚାରୀ କାର୍ଯ୍ୟରତ, ତଥାପି ଅମୃତପାଲ ଫେରାର ହୋଇଗଲା ? ୮୦ ହଜାର ପୋଲିସ୍ କରୁଥିଲେ କ’ଣ ? ସେ ସମସ୍ତଙ୍କ ଆଖିରେ ଧୂଳି ଦେଇ କିପରି ପଳାଇଲା?"

ଏହାକୁ ପଞ୍ଜାବ ପୋଲିସର ଏକ ବଡ଼ ବିଫଳତା ବୋଲି କୋର୍ଟ କହିଛନ୍ତି । ଶୁଣାଣି ସମୟରେ ପଞ୍ଜାବ ପୋଲିସ ପକ୍ଷରୁ କୋର୍ଟଙ୍କୁ କୁହାଯାଇଛି, ଅମ୍ରିତପାଲ ସିଂଙ୍କ ଉପରେ ଏନଏସଏ ଲାଗୁ କରାଯାଇଛି । ତାଙ୍କର ୧୨୦ରୁ ଅଧିକ ସହଯୋଗୀଙ୍କୁ ଏବେ ସୁଦ୍ଧା ଗିରଫ କରାଯାଇଛି । ଏପଟେ କୋର୍ଟ କହିଛନ୍ତି, ପୋଲିସର ଏପରି କାହାଣୀକୁ ଆମେ ବିଶ୍ୱାସ କରିପାରୁନୁ । ତୁରନ୍ତ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୁଚନାଯୋଗ୍ୟ ୱାରିସ ପଞ୍ଜାବ ଦେ ମୁଖ୍ୟ ତଥା ଖଲିସ୍ତାନ ସମର୍ଥକ ନେତା ଅମ୍ରିତପାଲ ସିଂହକୁ ଧରିବାକୁ ଚାଲିଛି ବଡ଼ ଧରଣର ଅପରେସନ୍। କେଉଁଠି ଫ୍ଲାଗ୍ ମାର୍ଚ୍ଚ, ତ ଆଉ କେଉଁଠି ନାକାବନ୍ଦୀ । ପଂଜାବର ବିଭିନ୍ନ ସ୍ଥାନରେ ତନ୍ନତନ୍ନ ଯାଞ୍ଚ କରୁଛି ପୋଲିସ। ଅମ୍ରିତପାଲର ଅମୃତସର ସ୍ଥିତ ଘର ଚାରିପାଖରେ ବି ପୋଲିସ ଛାଉଣୀ । ପଞ୍ଜାବ ସୀମାରେ ହାଇଆଲର୍ଟ ଜାରି କରାଯାଇଥିବା ବେଳେ, ପଂଜାବକୁ ପ୍ରବେଶ କରୁଥିବା ସବୁ ଗାଡିକୁ ଯାଞ୍ଚ କରାଯାଉଛି ।