• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତରେ ରହିବନି ଇଂରେଜଙ୍କ ଚିହ୍ନବର୍ଣ୍ଣ । ଲାଗୁଛି ଏମିତି କିଛି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରର ମୋଦି ସରକାର । କାରଣ ଗୋଟିଏ ପରେ ଗୋଟିଏ ଇଂରେଜ ପ୍ରଥାକୁ ଉଚ୍ଛେଦ କରିବାରେ ଲାଗିଛନ୍ତି କେନ୍ଦ୍ର ସରକାର । ପ୍ରଥମେ ଭାରତୀୟ ନୌସେନାର ପତାକାରେ ଥିବା ଇଂରେଜ ଅମଳର ଲୋଗୋକୁ ବଦଳାଯିବା ପରେ ଏବେ ନୌସେନାର ଚାଲିଆସିଥିବା ଇଂରେଜ ପ୍ରଥା ଉପରେ ରୋକ୍‌ ଲଗାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର ।

ନୌସେନା ଅଧିକାରୀ ତଥା କର୍ମଚାରୀ ଏଣିକି ଖାଇବା ସମୟରେ ହେଉ କିମ୍ବା ୱାର୍ଡରୁମ୍‌ରେ ତଥା ଲିଜର ସମୟରେ ଭାରତୀୟ ପୋଷାକ ପିନ୍ଧିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ସେମାନେ କୁର୍ତ୍ତା ପଞ୍ଜାବୀ ହେଉ କିମ୍ବା କୌଣସି ଅନ୍ୟ ପୋଷାକ, ଅର୍ଥାତ୍‌ ନିଜ ଇଚ୍ଛା ମୁତାବକ ପୋଷାକ ପିନ୍ଧିପାରିବେ ବୋଲି ନିଷ୍ପତ୍ତି ହୋଇଛି । କିନ୍ତୁ ଏହା ପୂର୍ବରୁ ଭାରତୀୟ ନୌସେନାର କର୍ମଚାରୀମାନେ ଖାଇବା ସମୟରେ ହେଉ କିମ୍ବା ୱାର୍ଡରୁମ୍‌ରେ, ସବୁବେଳେ ଅଣ୍ଟାରେ ସେହି ଇଂରେଜ ଅମଳରୁ ‘କମରପଟି’ ପିନ୍ଧି ଆସୁଥିଲେ । ଏହି ପ୍ରଥାକୁ ଏବେ ଉଚ୍ଛେଦ୍‌ କରାଯାଇଛି ।

ନୌସେନାର ତିନି ବରିଷ୍ଠ କମାଣ୍ଡରଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବେଳେ ଏହି ବିଷୟବସ୍ତୁ ଉପରେ ଆଲୋକପାତ କରାଯାଇଥିଲା । ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଆଲୋଚନାରେ ୩ ବରିଷ୍ଠ କମାଣ୍ଡରଙ୍କ ସହ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ, CDS ଅନିଲ ଚୌହାନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଭାଷଣରେ ଏହା ମଧ୍ୟ ସୂଚାଇଥିଲେ ଯେ, ନୌସେନାର ଅନେକ ପ୍ରଥା ଇଂରେଜ ଅମଳରୁ ରହି ଆସିଛି । ଇଂରେଜମାନେ ଆମକୁ ଶାସନ କରିବା ବେଳେ ଏହି ସବୁ ନିୟମ ସେ ଆମ ଉପରେ ଥୋପିଥିଲେ, ଯାହା ଆଜି ପର୍ଯ୍ୟନ୍ତ ଚାଲିଆସିଛି । କିନ୍ତୁ ଆଗକୁ ଏସବୁ ଉଚ୍ଛେଦ କରାଯିବ । ଇଂରେଜ ଅମଳର କୌଣସି ବି ପ୍ରଥା, ଯାହା ଆମ ଦେଶ ପାଇଁ ହିତକର ନୁହେଁ, ସେସବୁ ଉଚ୍ଛେଦ ହେବ ।