• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିରରେ ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଦିନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢ଼ୁଛି । ଆସନ୍ତା ୨୨ ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇ ସାରିଛି । ଏଥିପାଇଁ ଜୋରଦାର କାମ ମଧ୍ୟ ଆଗେଇ ଚାଲିଛି ।

କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ପାଖାପାଖି ୭୦୦୦ ଲୋକଙ୍କୁ ନିମନ୍ତ୍ରଣ ଦିଆ ଯାଇଛି । ସେମାନଙ୍କ ମଧ୍ୟରେ ଦେଶର ଅନେକ ବଡ଼ ବଡ଼ ଲୋକ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭଗତଙ୍କ ସମେତ ୩୦୦୦ ଭିଭିଆଇପିଙ୍କୁ ନିମନ୍ତ୍ରଣ ମିଳିଛି ।

ଏହା ଛଡ଼ା ପୁରା ଦେଶରୁ ୪୦୦୦ ସାଧୁ ସନ୍ଥଙ୍କୁ ମଧ୍ୟ ଡକା ଯାଇଛି । ନିମନ୍ତ୍ରଣ ଅତିଥିଙ୍କ ତାଲିକାରେ ଖେଳ ଓ ଅଭିନୟ ଜଗତରୁ ମଧ୍ୟ ଅନେକଙ୍କୁ ନିମନ୍ତ୍ରଣ ମିଳିଛି । ଏମାନଙ୍କ ମଧ୍ୟରେ ବିରାଟ କୋହଲି, ସଚିନ ତେନ୍ଦୁଲକର, ଅମିତାଭ ବଚ୍ଚନ, କଙ୍ଗନା ରାଣାୱତ୍ ଙ୍କ ନାମ ସାମିଲ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ଅକ୍ଷୟ କୁମାର, ଗାୟିକା ଆଶା ଭୋଁସଲେଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି ।

ଦେଶର ପ୍ରମୁଖ ଶିଳ୍ପପତି ମୁକେଶ ଅମ୍ବାନୀ, ରତନ ଟାଟା, ଗୌତମ ଆଦାନୀଙ୍କ ସମେତ ବଡ଼ ବଡ଼ ସାମ୍ବାଦିକମାନଙ୍କୁ ମଧ୍ୟ ଅଯୋଧ୍ୟାକୁ ନିମନ୍ତ୍ରଣ ରହିଛି । ସେହିପରି ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ରାମାୟଣରେ ଅଭିନୟ କରିଥିବା ଅରୁଣ ଗୋଭିଲ ଓ ଦୀପିକା ଚିଖଲିଆଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି ।

ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି, ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ୫୦ଟି ଦେଶରୁ ଜଣେ ଜଣେ ପ୍ରତିନିଧିଙ୍କୁ ଡାକିବା ପାଇଁ ଉଦ୍ୟମ ହୋଇଛି । ସେହିପରି ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ୫୦ ଜଣ ସେବକଙ୍କ ପରିବାର ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କରା ଯାଇଛି ।