• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜାତୀୟ ଯୁଦ୍ଧ ସ୍ମାରକୀରେ ପ୍ରଜ୍ୱଳିତ ଶିଖାରେ ଲୀନ ହୋଇଛି ଅଖଣ୍ଡ ଅମର ଯବାନ ଜ୍ୟୋତି । ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ଦୀର୍ଘ ୫୦ ବର୍ଷ ଧରି ଜଳି ଆସୁଥିବା ଅମର ଯବାନ ଜ୍ୟୋତିକୁ ସ୍ଥାନାନ୍ତର କରାଯିବା ସହ, ଦେଶପାଇଁ ପ୍ରାଣବଳୀ ଦେଇଥିବା ଯବାନଙ୍କ ସ୍ମୃତିରେ ନିର୍ମିତ ଜାତୀୟ ଯୁଦ୍ଧ ସ୍ମାରକୀରେ ପ୍ରଜ୍ୱଳିତ ଶିଖାରେ ତାହାକୁ ସମ୍ମିଳିତ କରାଯାଇଛି ।

କଂଗ୍ରେସ ସମେତ ଅନ୍ୟ ବିରୋଧୀ, ସରକାରଙ୍କ ଏହି ନିଷ୍ପତ୍ତିକୁ ଜୋରଦାର ବିରୋଧ କରଛନ୍ତି । ଇତିହାସ ବଦଳାଇ ଦେବା ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି । ତେବେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସହିଦଙ୍କୁ ସମ୍ମାନ ଜଣାଇବା ଲାଗି ଜାତୀୟ ଯୁଦ୍ଧ ସ୍ମାରକୀ ହିଁ ପ୍ରକୃଷ୍ଟ ସ୍ଥାନ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ରଖାଯାଇଛି । ସେପଟେ ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

ବୀରବାଦ୍ୟରେ କମ୍ପୁଛି ଦିଲ୍ଲୀ ଇଣ୍ଡିଆ ଗେଟ୍‌ର ପରିବେଶ । ଆଗେ ଆଗେ ସେନାର କଦମ୍ ତାଲ୍, ଆଉ ତାରି ତାଳେ ତାଳେ ବୀର ଦର୍ପରେ ଆଗକୁ ବଢିଚାଲିଛି କେବେ ବି ଲିଭୁନଥିବା ଅମର ଯବାନ ଜ୍ୟୋତି । ୧୯୭୧ ଯୁଦ୍ଧରେ ସହିଦ ୩ ହଜାର ୮୪୩ ସହିଦଙ୍କ ସ୍ମୃତିରେ ଇଣ୍ଡିଆ ଗେଟ୍ ତଳେ ୫୦ ବର୍ଷ ଧରି ପ୍ରଜ୍ଜ୍ୱଳିତ ଅମର ଯବାନ ଜ୍ୟୋତିକୁ ସ୍ୱତନ୍ତ୍ର ଉତ୍ସବରେ ସସମ୍ମାନେ ୪୦୦ ମିଟର ଦୂର ଜାତୀୟ ଯୁଦ୍ଧ ସ୍ମାରକୀରେ ସମ୍ମିଳୀତ କରାଯାଇଛି ।

ସେପଟେ ଅମର ଯବାନ ଜ୍ୟୋତି ସ୍ଥାନାନ୍ତରକୁ ନେଇ ତେଜିଛି ରାଜନୀତି । କେନ୍ଦ୍ର ସରକାର ଓ ବିଜେପି ଉପରେ ଜୋରଦାର ବର୍ଷିଛି କଂଗ୍ରେସ । ବିଜେପି ଦେଶର ଇତିହାସକୁ ବଦଳାଇ ଦେବାକୁ ପ୍ରୟାସ କରୁଛି ବୋଲି ଦଳ ଅଭିଯୋଗ କରିଛି । ଅମର ଯବାନ ଜ୍ୟୋତିକୁ ଲିଭାଇ ଦିଆଯିବା ଦୁଃଖଦାୟକ ଓ କିଛି ଲୋକ ବଳିଦାନର ଅର୍ଥ ବୁଝନ୍ତି ନାହିଁ ବୋଲି ଟୁଇଟ୍ କରି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଶିବସେନା ସାଂସଦ ମଧ୍ୟ କେନ୍ଦ୍ରର ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । ଅନ୍ୟପକ୍ଷରେ ପୁରୁଣା ସ୍ମୃତିକୁ ଲିଭାଇ ଦେବା ପାଇଁ ଏହା କେନ୍ଦ୍ରର କାରସାଦି ବୋଲି RJD ସାଂସଦ ମନୋଜ ଝା ଅଭିଯୋଗ କରିଛନ୍ତି ।

ତେବେ ବିରୋଧୀଙ୍କ ସମାଲୋଚନାର ଜବାବ ଦେଇଛନ୍ତି କେନ୍ଦ୍ର ସରକାର । ଅମର ଜବାନ ଜ୍ୟୋତିକୁ ଲିଭାଇ ଦିଆଯାଉଥିବା ନେଇ ଅନେକ ଗୁଜବ ପ୍ରଚାର କରାଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ପ୍ରଥମ ବିଶ୍ୱଯୁଦ୍ଧରେ ବ୍ରିଟିଶ ସେନା ପାଇଁ ଲଢିଥିବା ସୈନ୍ୟଙ୍କ ସ୍ମୁତିରେ ଇଣ୍ଡିଆ ଗେଟ୍ ନିର୍ମାଣ କରାଯାଇଥିଲା । ୧୯୭୧ରେ ଇନ୍ଦିରା ଗାନ୍ଧୀ ନେତୃତ୍ୱାଧୀନ କଂଗ୍ରେସ ସରକାର ଏହା ନିକଟରେ ଅମର ଜବାନ ଜ୍ୟୋତି ସ୍ଥାପନ କରିଥିଲେ । ତେଣୁ ଏହା ବ୍ରିଟିଶ ସାମ୍ରାଜ୍ୟବାଦର ଚିହ୍ନ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛିି ।

ଅନ୍ୟପକ୍ଷରେ ବିଭିନ୍ନ ଯୁଦ୍ଧରେ ଦେଶ ପାଇଁ ପ୍ରାଣ ବଳି ଦେଇଥିବା ସବୁ ସହିଦ୍‌ଙ୍କ ନାଁ ଜାତୀୟ ଯୁଦ୍ଧ ସ୍ମାରକୀରେ ଖୋଦିତ ହୋଇଛି । ତେଣୁ ସେଠାରେ ଅମର ଯବାନ ଜ୍ୟୋତି ରଖାଯିବା ସଂପୂର୍ଣ୍ଣ ଯଥାର୍ଥ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି କରାଯାଇଛି । ପୂର୍ବତନ ସାମରିକ ଅଧିକାରୀମାନେ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।

ଏପଟେ ଇଣ୍ଡିଆ ଗେଟ୍‌ରେ ରହିବ ମହାନ ସ୍ୱାଧୀନତା ସେନାନୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ପ୍ରତିମୂର୍ତ୍ତି । ଆଜି ଏହି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅମର ଯବାନ ଜ୍ୟୋତି ସ୍ଥାନରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇବ ବୋଲି ଟୁଇଟ୍ କରି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ନେତାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ମହାନ ସ୍ୱାଧୀନତା ସେନାନୀଙ୍କୁ ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ନେତାଜୀଙ୍କର ବିଶାଳ ପ୍ରତିମୂର୍ତ୍ତି ଗ୍ରାନାଇଟ୍‌ରେ ତିଆରି ହେବ । ତେବେ ପ୍ରତିମୂର୍ତ୍ତି ସମ୍ପୂର୍ଣ୍ଣ ହେବା ଯାଏଁ ହଲୋଗ୍ରାମ୍ ଷ୍ଟାଚ୍ୟୁ ଶୋଭା ପାଇବ । ବିଶିଷ୍ଟ ଓଡ଼ିଆ ସ୍ଥପତି ଅଦୈତ୍ୟ ଗଡନାୟକ ଏହି ପ୍ରତିମୂର୍ତ୍ତି ନିର୍ମାଣ କରିବେ ।