• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ବ୍ୟବସାୟରେ ଆୟକର ବିଭାଗର ରେଡରୁ ଶହ ଶହ କୋଟି ଟଙ୍କା ବାହାରିବା ପରେ ତାଙ୍କୁ ନେଇ ପ୍ରବଳ ଚର୍ଚ୍ଚା । ଧୀରଜ ସାହୁ ହେଉଛନ୍ତି ଝାଡ଼ଖଣ୍ଡର କଂଗ୍ରେସ ସାଂସଦ । ତାଙ୍କ ପରିବାର ସହିତ କଂଗ୍ରେସର ସଂପର୍କ ବହୁ ପୁରୁଣା । ଏପରିକି ଦେଶ ସ୍ୱାଧୀନ ହେବା ଆଗରୁ ମଧ୍ୟ ସଂପର୍କ ରହିଛି ।

ସୂଚନା ଅନୁସାରେ ଆଗରୁ ହିଁ ଧୀରଜଙ୍କ ପରିବାର ବହୁତ ଧନୀ । ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ଜନ ହିତକର କାମରେ ଲଗାଇବାକୁ ଧୀରଜଙ୍କ ବାପା ବଳଦେଓ ସାହୁ କେନ୍ଦ୍ର ସରକାରଙ୍କୁ ଦାନ କରିଥିଲେ ୪୭ କେଜି ସୁନା ଓ ୪୭ ଲକ୍ଷ ଟଙ୍କା । ଧୀରଜ ସାହୁଙ୍କୁ ମିଶାଇ ସେମାନେ ୬ ଭାଇ । ସେଥି ମଧ୍ୟରୁ ୪ ଜଣ ରାଜନୀତିରେ ।

ଜଣେ ଭାଇ ଶିବ ପ୍ରସାଦ ସାହୁ ରାଞ୍ଚିରୁ ଦୁଇ ଥର କଂଗ୍ରେସ ସାଂସଦ ଥିଲେ । ଇନ୍ଦିରା ଗାନ୍ଧିଙ୍କ ସେ ବେଶ୍ ଘନିଷ୍ଠ ଥିଲେ । ଝାଡ଼ଖଣ୍ଡ ରାଜନୀତିରେ ସାହୁ ପରିବାରର ବହୁତ ଦବଦବା ଥିଲା । ସେତେବେଳେ ଟିକଟ ବଣ୍ଟା ସହିତ ମନ୍ତ୍ରୀ ପଦ ବି ସାହୁ ପରିବାର ସ୍ଥିର କରୁଥିଲେ । ଶିବଙ୍କ ସହିତ ଆଉ ଜଣେ ଭାଇ ଆର ପାରିକି ଚାଲିଗଲେଣି ।

ଅନ୍ୟ ଜଣେ ଭାଇ ଗୋପାଳ ସାହୁ ୨୦୧୯ରେ ହଜାରିବାଗରୁ କଂଗ୍ରେସ ଟିକଟରେ ଏମପି ନିର୍ବାଚନ ଲଢ଼ିଥିଲେ । କିନ୍ତୁ ହାରି ଯାଇଥିଲେ । ଆଉ ଜଣେ ଭାଇ ଉଦୟ ସାହୁ ମଧ୍ୟ କଂଗ୍ରେସ ସହିତ ଜଡ଼ିତ । ଧୀରଜ ନିଜେ ଛତ୍ରା ସିଟରୁ ଲଢ଼ିଛନ୍ତି, କିନ୍ତୁ ହାରିଛନ୍ତି । ୨୦୦୯ରେ ସେ ଉପନିର୍ବାଚନରେ ରାଜ୍ୟସଭାକୁ ଯାଇଥିଲେ । ୨୦୧୦ରେ ମଧ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୮ ମେ’ରୁ ଧୀରଜ ରାଜ୍ୟସଭା ସାଂସଦ ଅଛନ୍ତି । ଏବେ ବି କଂଗ୍ରେସ ସରକାରକୁ ରାଜନୈତିକ ଓ ଆର୍ଥିକ ଭାବେ ସାହୁ ପରିବାର ବହୁ ସାହାଯ୍ୟ କରନ୍ତି ।

ପରିବାରର ଏତେ ପ୍ରଭାବ ଯେ, ଲୋହାରଦାଗାରେ ଥିବା ପୈତୃକ ଘରକୁ ହ୍ୱାଇଟ୍ ହାଉସ୍ ଅଫ୍ ଲୋହାରଦାଗା କୁହାଯାଏ । ସାହୁ ପରିବାରର ମୁଖ୍ୟ ବିଜନେସ୍ ହେଉଛି ମଦ ବ୍ୟବସାୟ । ୨୦୧୮ ସତ୍ୟପାଠ ଅନୁସାରେ ଧୀରଜ ସାହୁଙ୍କ ୩୪ କୋଟି ସଂପତ୍ତି ଅଛି । ପତ୍ନୀଙ୍କର ୩ କେଜି ସୁନା, ଧୀରଜଙ୍କ ୨୬ ଲକ୍ଷର ହୀରା ଅଳଙ୍କାର ଅଛି । ସତ୍ୟପାଠ ଅନୁସାରେ ଧୀରଜ ସାହୁଙ୍କ ନାଁରେ କୌଣସି ଅପରାଧ ମାମଲା ନାହିଁ ।