• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଷାକ୍ତ ବାୟୁରେ ଆକ୍ତାମାକ୍ତା ଦିଲ୍ଲୀବାସୀ । ଚାରିଆଡ଼େ ଖାଲି ଧୂଆଁ ଆଉ ଧୂଆଁ । ଚାରିଆଡ଼େ ପ୍ରଦୂଷିତ ଧୂଳି ଓ ଧୂଆଁର କୁହୁଡ଼ି ଭଳି ଆସ୍ତରଣ । ଭିଜିବିଲିଟି କମୁଛି, ଶ୍ବାସକ୍ରିୟାରେ ବି କଷ୍ଟ ହେଉଛି । ଲଗାତାର ଛଅ ଦିନ ଧରି ବିଷ ବଳୟରେ ଦିଲ୍ଲୀବାସୀ । ସମଗ୍ର ଦିଲ୍ଲୀ ଧୂଆଁର ଚାଦର ତଳେ ରହିଥିବା ବେଳେ ଏପରି ପରିସ୍ଥିତି ଆହୁରି କିଛି ଦିନ ଲାଗି ରହିବ ବୋଲି ଜଣା ପଡ଼ିଛି ।

ବିଭିନ୍ନ ଅଞ୍ଚଳରେ ଏକ୍ୟୁ ୪୫୦ ଉପରେ ରହିଛି । ଗୋଟେ ପଟେ ବିଷ ବଳୟ ଭିତରେ ଦିଲ୍ଲୀବାସୀ କଲବଲ ହେଉଥିବା ବେଳେ, ଏହାକୁ କମ କରିବାକୁ ସରକାର ସେପରି କିଛି ଆଖିଦୃଶିଆ ପଦକ୍ଷେପ ନେଉ ନଥିବା ଜଣା ପଡ଼ିଛି । ପରିସ୍ଥିତିକୁ ଦେଖି ଦିଲ୍ଲୀରେ ଗତକାଲି ଭଳି ଆଜି ମଧ୍ୟ ସରକାରୀ ଏବଂ ଘରୋଇ ପ୍ରାଥମିକ ବିଦ୍ୟାଳୟ ଛୁଟି ରହିବ ।

ସେହିପରି ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଦିଲ୍ଲୀରେ ନିର୍ମାଣ କାମ ବ୍ୟାନ୍ କରାଯାଇଛି । ନିର୍ମାଣ ଓ ଭଙ୍ଗାଭଙ୍ଗି କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି । କେବଳ ରେଳ, ଏୟାରପୋର୍ଟ, ହସ୍ପିଟାଲରେ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି । ଏଥିସହ ଡିଜେଲ୍ ଚାଳିତ ବସ୍ ଓ ଟ୍ରକ୍ ପ୍ରବେଶ ଉପରେ ମଧ୍ୟ ଲାଗିଛି କଟକଣା । ଆଗାମୀ ୧୫ ଦିନ ଅତି ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ।

ତେବେ ଗ୍ରାଉଣ୍ଡରେ ନିୟମକୁ କାର୍ଯ୍ୟକାରୀ କରାଯାଉନଥିବା ମନ୍ତ୍ରୀ ଅଭିଯୋଗ ଆଣିବା ସହ ରାତି ଅଧରେ ବୁଲି ନିଜେ ସ୍ଥିତିର ସମୀକ୍ଷା କରିଛନ୍ତି । ସହର ଭିତରକୁ ପ୍ରବେଶ ଅନୁମତି ନଥିବା କିଛି ବସ୍ ଆସିବା ଦେଖି ବିରକ୍ତି ପ୍ରକାଶ କରିବା ସହ ଏ ନେଇ ସେ ଉପରାଜ୍ୟପାଳଙ୍କୁ ଜଣାଇବେ ବୋଲି କହିଛନ୍ତି । ଅନ୍ୟପଟେ ଦିଲ୍ଲୀରେ ଏପରି ବିଷମ ପରିସ୍ଥିତିରେ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କ ନିଷ୍କିୟତାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ, ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀରେ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଲାଣି । ଭୟଙ୍କର ପ୍ରଦୂଷଣ ପାଇଁ ବିଶେଷ କରି ଶ୍ବାସରୋଗୀଙ୍କ ସମସ୍ୟା ବୃଦ୍ଧି ପାଇଛି । ଅଧିକରୁ ଅଧିକ ରୋଗୀ ଶ୍ବାସ, ଥଣ୍ତାରେ ପୀଡ଼ିତ ହେଉଛନ୍ତି । ସବୁ ବୟସର ବ୍ୟକ୍ତିଙ୍କୁ ବାୟୁ ପ୍ରଦୂଷଣ ପ୍ରଭାବିତ କରୁଛି । ତେବେ ପଡ଼ୋଶୀ ରାଜ୍ୟ ପାଇଁ ଦିଲ୍ଲୀର ପ୍ରଦୂଷଣ ବଢ଼ୁଛି । ପଡ଼ୋଶୀ ରାଜ୍ୟରେ ଲଗାତାର ଭାବେ ଚାଷ ପାଇଁ ଜମିରେ ନିଆଁ ଲଗାଉଛନ୍ତି ଚାଷୀ । ଫଳରେ ପ୍ରଦୂଷିତ ବାୟୁ ଅନ୍ୟ କେଉଁ ଆଡ଼େ ଯାଇ ନପାରି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳକୁ ପ୍ରଦୂଷିତ କରୁଛି ।

ଅନ୍ୟପଟେ ଦେଶର ସର୍ବାଧିକ ପ୍ରଦୂଷିତସହର ମଧ୍ୟରେ ଦିଲ୍ଲୀ ସର୍ବାଗ୍ରେ ଥିବା ଜଣା ପଡ଼ିଛି । ଦିଲ୍ଲୀ ପଛକୁ ଫରିଦାବାଦ, ଗାଜିଆବାଦ, ହିସାର, ଗୁରୁଗ୍ରାମ ଓ ନୋଏଡ଼ା ରହିଛି ।