• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାମନବମୀ ପରଠୁ ଅଶାନ୍ତ ପଶ୍ଚିମବଂଗ । ନିୟନ୍ତ୍ରଣକୁ ଆସୁନି ଉତ୍ତେଜନାପୂର୍ଣ୍ଣ ସ୍ଥିତି । ହାଓଡା ପରେ ହୁଗୁଳି ଜିଲ୍ଲାରେ ଏବେ ତୀବ୍ର ଉତ୍ତେଜନା ଦେଖାଦେଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ହୁଗୁଳିରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରା ସହରରେ ପୋଲିସ ପଇଁତରା ମାରୁଛି। ଏଥିସହ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି । ଗତକାଲି ହୁଗୁଳିର ରିଶ୍ରା ଅଂଚଳରେ ଦୁଇଟି ରାମନବମୀ ଶୋଭାଯାତ୍ରା ଚାଲିଥିଲା  । ଏହି ସମୟରେ ଏକ ନିର୍ଦ୍ଦିଷ୍ଟ ସମୁଦାୟର ଲୋକମାନେ ପଥରମାଡ଼ କରିଥିଲେ । ଉତ୍ତ୍ୟକ୍ତ ଲୋକେ କିଛି ଗାଡିରେ ନିଆଁ ଲଗାଇଦେଇଥିଲେ ।

ଏପରିକି ପୋଲିସ କର୍ମଚାରୀ, ମହିଳା ଓ ଶିଶୁମାନେ ମଧ୍ୟ ଆକ୍ରମଣରୁ ବର୍ତ୍ତିନଥିଲେ । ଆକ୍ରମଣରେ ବିଜେପିର ବିଧାୟକ ବିମାନ ଘୋଷ ଆହତ ହୋଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ରାମନବମୀ ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣଭାବେ ଚାଲିଥିବା ବେଳେ କିଛି ଲୋକ ଆକ୍ରମଣ କରିଥିଲେ ବୋଲି ଘଟଣାସ୍ଥଳରେ ଉପସ୍ଥିତ ଥିବା ବିଜେପି ରାଷ୍ଟ୍ରୀୟ ଉପସଭାପତି ଦିଲୀପ ଘୋଷ କହିଛନ୍ତି । ପଶ୍ଚିମବଂଗରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବା ଅଭିଯୋଗ କରି ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି ।...

ସେପଟେ ଶାନ୍ତିପୂର୍ଣ୍ଣ ଶୋଭଯାତ୍ରା ବେଳେ ହିଂସାକାଣ୍ଡକୁ ଦୃଢ ନିନ୍ଦା କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ସି. ଭି. ଆନନ୍ଦବୋଷ । ଅଭିଯୁକ୍ତମାନଙ୍କୁ ଗିରଫ କରି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଗୁଣ୍ଡାଗର୍ଦ୍ଦି ସୃଷ୍ଟି କରି ଗଣତାନ୍ତ୍ରିକ ପଦ୍ଧତିକୁ ବିଫଳ କରିବାକୁ ସେମାନେ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି । ପଶ୍ଚିମବଂଗରେ ହିଂସାକୁ ନେଇ ଟିଏମସି ଓ ମମତା ସରକାରକୁ ଦାୟୀ କରିଛି ବିଜେପି । ଜଣେ ବିଜେପି ନେତାଙ୍କୁ ହତ୍ୟା ସହ ଶୋଭାଯାତ୍ରାକୁ ଭଣ୍ଡୁର କରିବାକୁ ଆକ୍ରମଣ ହେଉଛି ।

ରାଜ୍ୟରେ ଆଇନ ବ୍ୟବସ୍ଥା ପୂରା ବିଧ୍ୱସ୍ତ ହୋଇପଡିଛି । ମମତା ବାନାର୍ଜୀ ସରକାରଙ୍କୁ ଏହାର ଉତ୍ତର ଦେବାକୁ ପଡିବ ବୋଲି ବିଜେପି ନେତା ଶେହଜାଦ ପୁନାୱାଲ କହିଛନ୍ତି । ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଲୋକମାନଙ୍କୁ ଉସୁକାଇବା ପାଇଁ ଏଭଳି ଗୁଣ୍ଡାଗର୍ଦ୍ଦି କରାଯାଉଛି ବୋଲି ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି ।

ପରିସ୍ଥିତିକୁ ଦେଖି ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସ୍ପଷ୍ଟ କରିଛି ପଶ୍ଚିମବଂଗ ପୋଲିସ। ଘଟଣାସ୍ତଳର ସିସିଟିଭି ଫୁଟେଜ ଯାଞ୍ଚ କରାଯିବା ସହ ଅନେକ ଲୋକଙ୍କୁ ପଚରାଉଚରା କରି ତଥ୍ୟ ସଂଗ୍ରହ କରାଯାଉଛି ।...