• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

NDTV କିଣିବ ଆଦାନୀ ଗ୍ରୁପ୍‌ । ଏକଥା ଏବେ ସାରା ଦେଶରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି । ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ନେତୃତ୍ୱରେ ଚାଲିଥିବା ଆଦାନୀ ଗ୍ରୁପ୍ ଏବେ ମିଡିଆ ଜଗତରେ ପ୍ରବେଶ କରିବାକୁ ଯାଉଛି । ମଙ୍ଗଳବାର ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । NDTVର ୨୯.୧୮% ଅଂଶଧନକୁ ଆଦାନୀ ଗ୍ରୁପ ପରୋକ୍ଷରେ କିଣି ସାରିଥିବା ଜଣାପଡ଼ିଛି । ଏଥିସହ ଏବେ କମ୍ପାନୀର ଆଉ ୨୬% ଅଂଶଧନ କିଣିବ ବୋଲି ଘୋଷଣା କରିଛି ଆଦାନୀ ଗ୍ରୁପ୍‌ । ଯଦି ଆଦାନୀ ଗ୍ରୁପ୍‌ ଉକ୍ତ ୨୬% ଅଂଶଧନ କିଣିବ ତେବେ NDTVର ୫୫% ମାଲିକାନା ଆଦାନୀ ଗ୍ରୁପ୍‌ ହାତରେ ରହିବ ।

NDTVର ଶେୟାର ପିଛା ୨୯୪ ଟଙ୍କା ଲେଖାଏ ଦେବାକୁ vishvapradhan Commercial Pvt Ltd ସହ AMG Media Networks and Adani Enterprises Ltd ମିଳିତ ଭାବେ ଏପରି ଅଫର ଦେଇଛନ୍ତି । ସେମାନେ NDTVର ୧,୬୭,୬୨,୫୩୦ ପୂର୍ଣ୍ଣ ଦେୟ ଇକ୍ୟୁଟି ଶେୟାର କିଣିବାକୁ ଲକ୍ଷ୍ୟ ରଖିଛନ୍ତି । 

ଆଦାନୀ ଗ୍ରୁପ୍‌ କହିଛି ଯେ, ଦେଶର ଅନ୍ୟତମ ଲିଡିଂ ମିଡିଆ ହାଉସ ହେଉଛି ଏନଡିଟିଭି । ଦୀର୍ଘ ୩ ଦଶନ୍ଧି ହେଲାଣି ଏନଡିଟିଭି ବିଶ୍ୱସନୀୟତା ବଜାୟ ରଖିଛି । କମ୍ପାନୀ ୩ଟି ଜାତୀୟ ଚ୍ୟାନେଲ NDTV 24×7, NDTVIndia ଓ NDTVProfit ଚଲାଉଛି । ବିଭିନ୍ନ ସୋଶାଲ ମିଡିଆରେ ଏହାର ଅନୁଗାମୀଙ୍କ ସଂଖ୍ୟା ଖୁବ୍‌ ଅଧିକ । ୩୫ ମିଲିୟନରୁ ଅଧିକ ଲୋକ ସୋଶାଲ ମିଡିଆରେ କମ୍ପାନୀକୁ ଅନୁସରଣ କରୁଛନ୍ତି । ତେଣୁ ଏନଡିଟିଭିକୁ କିଣିବା ମିଡିଆ କ୍ଷେତ୍ରରେ ଏଏମଏନଏଲର ଯାତ୍ରାକୁ ଅଧିକ ସହଜ କରିବ।

ମଙ୍ଗଳବାର ଆଦାନୀ ଗ୍ରୁପର ଏଏମଜି ମିଡିଆ ନେଟୱର୍କର ସହାୟତାରେ ପରିଚାଳିତ ଭିସିପିଏଲ୍ ମାଧ୍ୟମରେ ଏନଡିଟିଭିର ପ୍ରମୋଟର ଆରଆରପି ହୋଲଡିଂ ପ୍ରାଇଭେଟ ଲିମିଟେଡରେ ୯୯.୯୯% ଅଂଶଧନ କିଣି ନେଇଛି । ଏହି ଆରଆରପି ହୋଲଡିଂ ପ୍ରାଇଭେଟ ମିଡିଆ ହାଉସ୍ NDTVର ୨୯.୧୮% ଅଂଶଧନ ରଖିଥିଲା । ତେଣୁ ପରୋକ୍ଷ ଭାବେ ଏଏମଜି ମିଡିଆ ନେଟୱର୍କ ଏନଡିଟିଭିର ୨୯.୧୮% ଅଂଶଧନ ହାସଲ କରିସାରିଛି ।