/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707478061.jpg)
Strange Bet
କିଏ ପିଇବ ଅଧିକ ମଦ ? ମଦ ପିଇବା ପାଇଁ ଦୁଇ ସାଙ୍ଗଙ୍କ ଅଜବ ସର୍ତ୍ତ। ଏଭଳି ସର୍ତ୍ତ ଲଗାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାଟି ମଧ୍ୟପ୍ରଦେଶ ଖାର୍ଗୋନ ଜିଲ୍ଲାର। ଦୁଇ ସାଙ୍ଗ ଦିନେଶ ଓ ଅରୁଣ ମଦ ପିଇବା ପାଇଁ ସର୍ତ୍ତ ଲଗାଇଥିଲେ। ତେବେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଦିନେଶଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଦୁଇ ସାଙ୍ଗ ଏକାଠି ବସି ମଦ ପିଉଥିଲେ। ହଠାତ ସେମାନେ ଏକ ସର୍ତ୍ତ ଲଗାଇଲେ। ସେମାନଙ୍କ ମଧ୍ୟରୁ କିଏ ବିନା ପାଣି ମିଶାଇ ଅଧିକ ମଦ ପିଇ ପାରିବ। ବାସ୍, ଆରମ୍ଭ ହୋଇଗଲା ପ୍ରତିଯୋଗିତା। ଉଭୟ ମଦ ବୋତଲ ଆଣି ଢକଢକ କରି ପିଇ ଚାଲିଲେ। ଜଣେ ୫ କ୍ୱାଟର ଓ ଅନ୍ୟ ଜଣେ ୩କ୍ୱାଟର ଦେଶୀ ମଦ ପିଇଲେ। ଏହାପରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା। ଉଭୟଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦିନେଶଙ୍କର ମୃତ୍ୟୁ ହୋଇଯାଇଛି।
ଅରୁଣଙ୍କ କହିବା ଅନୁଯାୟୀ, ଗିରଶ ଅଗ୍ରୱାଲ, ଘୋଟୁ ବଞ୍ଜାରା ଓ ରାଧେ ବଞ୍ଜାରା ସେମାନଙ୍କ ସହ ବସି ମଦ ପିଉଥିଲେ। ଏହାରି ଭିତରେ ଅରୁଣ ଓ ଦିନେଶଙ୍କ ମଧ୍ୟରେ ସର୍ତ୍ତ ଲାଗିଥିଲା। ଗିରଶ ଓ ଅନ୍ୟମାନେ ମଦ ଆଣି ଦେବେ ବୋଲି କହିଲେ। ଫ୍ରିରେ ମଦ ମିଳିଯିବା ଲୋଭରେ ସେମାନ ଏପରି ଅଜବ ସର୍ତ୍ତରେ ରାଜି ହୋଇଗଲେ। ତେବେ ଘଟଣାସ୍ଥଳରୁ ମଦ ବୋତଲ ଜବତ କରିଛି ପୋଲିସ। ଦୋକାନରୁ ମଦର ନମୁନା ସଂଗ୍ରହ କରାଯାଇଛି। ତେବେ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୩ଜଣ ଏଯାଏ ଫେରାର ଅଛନ୍ତି।
ଅତିରିକ୍ତ ପୋଲିସ ଅଧୀକ୍ଷକ ତରୁଣେନ୍ଦ୍ର ସିଂ ବାଗେଲ କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଉଛି। ଫେରାର ଅଭିଯୁକ୍ତ ଉଭୟଙ୍କ ମଧ୍ୟରେ ସର୍ତ୍ତ ଲଗାଇଥିଲେ। ତେବେ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)