• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପାଗ ଭିଡ଼ୁଛି ଅଯୋଧ୍ୟା । ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଥିଲେ ମଧ୍ୟ ୧୬ ତାରିଖରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ । ସାମ୍ନାକୁ ଆସିଲା ଜାନୁଆରୀ ୧୬ରୁ ୨୨ ଯାଏଁ ହେବାକୁ ଥିବା ସମସ୍ତ ପୂଜାର୍ଚ୍ଚନା ସୂଚୀ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ୧୬ ତାରିଖରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ନିଯୁକ୍ତ ଆୟୋଜକ ସରଜୁ ତଟରେ ପୂଜାର୍ଚ୍ଚନା କରିବେ । ୧୭ରେ ରାମଲାଲାଙ୍କ ବିଗ୍ରହ ସରଜୁ ତଟକୁ ମଙ୍ଗଳ କଳସ ଶୋଭାଯାତ୍ରାରେ ଅଣାଯିବ । ଜାନୁଆରୀ ୧୮ରେ ଗଣେଶ ଅମ୍ବିକା ପୂଜା, ବରୁଣ ପୂଜା, ମାତୃକା ପୂଜା, ବ୍ରାହ୍ମଣ ବରଣ ଓ ବାସ୍ତୁ ପୂଜା ଅନୁଷ୍ଠିତ ହେବ ।

୧୯ ତାରିଖରେ ଅଗ୍ନି ସ୍ଥାପନା, ନବଗ୍ରହ ସ୍ଥାପନା ଏବଂ ହୋମଯଜ୍ଞ କରାଯିବ । ୨୦ରେ ମନ୍ଦିର ଗର୍ଭଗୃହକୁ ସରଜୁ ନଦୀର ପବିତ୍ର ଜଳରେ ଧୋଇ ବାସ୍ତୁ ଶାନ୍ତି ଓ ଅନ୍ନାଧିବାସ କରାଯିବ । ଜାନୁଆରୀ ୨୧ ଅର୍ଥାତ୍ ଠିକ୍ ପ୍ରାଣପ୍ରତିଷ୍ଠା ପୂର୍ବଦିନ ରାମଲାଲାଙ୍କ ବିଗ୍ରହକୁ ୧୨୫ କଳସ ଜଳରେ ସ୍ନାନ କରାଇ ଶୟାଧିବାସ କରାଯିବ ।

ଜାନୁଆରୀ ୨୨ରେ ସକାଳୁ ରାମଲାଲାଙ୍କ ପୂଜାର୍ଚ୍ଚନା ପରେ ଅପରାହ୍ନରେ ମୃଗଶିରା ନକ୍ଷତ୍ର ମୂଳ ମୁହୂର୍ତ୍ତରେ ପ୍ରାଣପ୍ରତିଷ୍ଠା ହେବ ଏବଂ ଏହା ୧ ମିନିଟ ୨୪ ସେକେଣ୍ଡ ଯାଏଁ ଚାଲିବ ବୋଲି ସୂଚନା ମିଳିଛି । ସେପଟେ ଏହି ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବାକୁ ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ବା AI ର ସହାୟତା ନେଇଛି ଅଯୋଧ୍ୟା ପୋଲିସ ।

ମନ୍ଦିର ପରିସରରେ ଜାଗା ଜାଗାରେ AI ସର୍ଭେଲାନ୍ସ ଓ ସିସିଟିଭି କ୍ୟାମେରା ଲାଗିଛି । ଏହାଦ୍ବାରା ମନ୍ଦିରକୁ ବାରମ୍ବାର ଆସୁଥିବା ଲୋକ ଏବଂ ସନ୍ଦିଗ୍ଧ ବ୍ୟକ୍ତି ବା ଦଳକୁ AI ଅଟୋମେଟିକ ଚିହ୍ନଟ କରି ସତର୍କ ସୂଚନା ଦେଇପାରିବ । ଏଥିସହ ୧୧ ହଜାର ପୋଲିସ ଓ ପାରାମିଲିଟାରି ଫୋର୍ସ ଓ ବମ୍ ସ୍କ୍ବାଡ୍ ଆଦି ମଧ୍ୟ ମୁତୟନ ହୋଇଛନ୍ତି ।