Advertisment

65 Naxal Killed in last 40 Days: ୪୦ ଦିନରେ ସଫା ହେଲେଣି ୬୫ ନକ୍ସଲ

ଛତିଶଗଡ ଜଙ୍ଗଲରେ ବଡ ଧରଣର ମାଓ ନିପାତ ଅପରେସନରେ ସାମିଲ ଯବାନଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

author-image
Manoranjan Sial
Naxal

Naxal

ଛତିଶଗଡ଼ରେ ପୁଣି ବଡ଼ ଧରଣର ମାଓ ବିରୋଧୀ ଅପରେସନ୍। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ଏକାସଙ୍ଗେ ୩୧ ମାଓବାଦୀ। ଏନକାଉଣ୍ଟରରେ ଦୁଇ ଯବାନ ସହିଦ୍ ହୋଇଥିବା ବେଳେ ଦୁଇ ଯବାନ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଛି। ଆହୁରି କିଛି ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

Advertisment

ରବିବାର ସକାଳ ପ୍ରାୟ ୭ଟା। ଛତିଶଗଡ ବିଜାପୁରର ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଅଂଚଳ। ଘଞ୍ଚ ଜଙ୍ଗଲରେ ମାଓ ମେଳି ବାନ୍ଧିଥିବା ନେଇ ମିଳିଥିଲା ଖବର। ବଡ଼ ଧରଣର ମାଓ ଅପରେସନ୍ ପାଇଁ ଅଣ୍ଟା ଭିଡିଥିଲେ DRG, STF ଏବଂ ବସ୍ତର ଫାଇଟରଙ୍କ ମିଳିତ ଟିମ୍। ସକାଳ ପ୍ରାୟ ୮ଟା। ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ଗୁଳି ବିନିମୟ। ୪ ଘଣ୍ଟା ଧରି ଚାଲିଲା ଫାୟାରିଂ। ଶେଷରେ ଯବାନଙ୍କ ଗୁଳିରେ ଟଳିଥିଲେ ୩୧ ନକ୍ସଲ। ମୃତକଙ୍କ ମଧ୍ୟରେ କିଛି ଟପ୍ କ୍ୟାଡର ମାଓବାଦୀ ରହିଥିବା ସୂଚନା ମିଳିଛି।

ସେପଟେ ନକ୍ସଲଙ୍କ ପାଲଟା ଆକ୍ରମଣରେ ସହିଦ ହୋଇଛନ୍ତି ୨ ଜଣ ଯବାନ। ଆଉ ୨ ଜଣ ଆହତ ଯବାନଙ୍କୁ ଚିକିତ୍ସା ଲାଗି ରାୟପୁର ଏୟାରଲିଫ୍ଟ କରାଯାଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଯାହା ମଧ୍ୟରେ ରହିଛି AK-47, SLR, INSAS, ଥ୍ରୀ ନଟ୍ ଥ୍ରୀ, BGL ଲଂଚର ଏବଂ ବିପୁଳ ପରିମାଣର ବିସ୍ଫୋରକ। ଏନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ପି. ସୁନ୍ଦରରାଜ।

Advertisment

ଛତିଶଗଡ ଜଙ୍ଗଲରେ ବଡ ଧରଣର ମାଓ ନିପାତ ଅପରେସନରେ ସାମିଲ ଯବାନଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ସୋସିଆଲ ମିଡିଆ ଏକ୍ସରେ ଶାହ ଲେଖିଛନ୍ତି, ନକ୍ସଲ ମୁକ୍ତ ଭାରତ ଗଢ଼ିବା କ୍ଷେତ୍ରରେ ସୁରକ୍ଷା ବଳକୁ ବଡ଼ ସଫଳତା ମିଳିଛି। ତେବେ ଏହି ଅପରେସନରେ ଦେଶ ଦୁଇ ସାହସୀ ଯବାନଙ୍କୁ ହରାଇଛି। ଦେଶ ସେମାନଙ୍କ ପାଖରେ ସର୍ବଦା ଋଣୀ ରହିବ ବୋଲି ଶାହ ଲେଖିଛନ୍ତି। ଏଥିସହ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶରୁ ନକ୍ସଲବାଦର ମୂଳୋତ୍ପାଟନ କରାଯିବ ବୋଲି ଦୋହରାଇଛନ୍ତି ଗୃହମନ୍ତ୍ରୀ।

ନିକଟରେ ଛତିଶଗଡ ଗରିଆବନ୍ଧ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଥିଲେ ୧୬ ଜଣ ନକ୍ସଲ। ପ୍ରଥମଥର ପାଇଁ ଜଣେ କେନ୍ଦ୍ରୀୟ କମିଟି ସଦସ୍ୟ ଜୟରାମ ରେଡ୍ଡୀ ପ୍ରାଣ ହରାଇଥିଲେ ଏହି ଏନକାଉଣ୍ଟରରେ। ଜଙ୍ଗଲରୁ ବିପୁଳ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ୨୦୨୪ ମସିହାରେ ମୋଟ ୨୧୭ ନକ୍ସଲ ନିପାତ ହୋଇଥିବା ବେଳେ ୨୦୨୫ରେ ଅର୍ଥାତ୍ ଗଲା ୪୦ ଦିନ ଭିତରେ ନିହତ ନକ୍ସଲଙ୍କ ସଂଖ୍ୟା ୬୫। ଘଂଚ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ଆଗକୁ ଏହି ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି।

Naxal
Advertisment
Advertisment