Advertisment

ଧସୁଛି ବାରମ୍ବାର ମାଟି, ଫେଲ୍ ମାରୁଛି ଗୋଟିକ ପରେ ଗୋଟିଏ ପ୍ଲାନ୍

ନିର୍ମାଣାଧୀନ ଏଇ ଟନେଲରେ ମାଟି ଧସି ଶ୍ରମିକ ଫସିବା ପରଠୁ ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି ଉଦ୍ଧାରକାରୀ ଟିମ୍ ।

author-image
Tanmay Kumar Mahalik
Uttarkashi tunnel

Uttarkashi tunnel

ଅନ୍ଧାରୀ ସୁଡ଼ଙ୍ଗ ଭିତରେ ୪ ଦିନ ଧରି ଫସିଛି ୪୦ ଜୀବନ....ଆଉ ଏପଟେ ଭାଙ୍ଗିବାରେ ଲାଗିଛି ସାଥୀ ଶ୍ରମିକଙ୍କ ଧୈର୍ଯ୍ୟର ବନ୍ଧ । ଦୁର୍ଘଟଣାଗ୍ରସ୍ତ ଟନେଲର ସିଲକ୍ୟାରା ଦ୍ୱାରରେ ଆଜି ଇଏ ତାରି ଚିତ୍ର । ତ୍ରୁଟିପୂର୍ଣ୍ଣ ଉଦ୍ଧାରକାର୍ଯ୍ୟ ପାଇଁ ଅପରେସନରେ ନିୟୋଜିତ ଏନ଼ଡିଆରଏଫ୍, ଏସଡିଏଫ୍ ଯବାନଙ୍କ ସହ ଧସ୍ତାଧସ୍ତି, ବିକ୍ଷୋଭ,ଉତ୍ତେଜନା ।

Advertisment

ନିର୍ମାଣାଧୀନ ଏଇ ଟନେଲରେ ମାଟି ଧସି ଶ୍ରମିକ ଫସିବା ପରଠୁ ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି ଉଦ୍ଧାରକାରୀ ଟିମ୍ । ଟନେଲ୍ ଭିତରେ ଯେଉଁ ୫୦ ମିଟର ପାଖାପାଖି ଅଞ୍ଚଳ ମାଟି ଧସି ବ୍ଲକେଜ୍ ଅଛି, ତାରି ଭିତରେ ପୁଣି ସୁଡ଼ଙ୍ଗ ଖୋଳାଯିବାକୁ ଉଦ୍ୟମ ଚାଲିଛି । ହେଲେ ଉପରର ଢିଲା ମାଟି ବାରମ୍ବାର ଧସିବା ବଡ଼ ଚ୍ୟାଲେଞ୍ଜ ପାଲଟିଛି । କହିବାକୁ ଗଲେ ଗୋଦରା କୋଡ଼େ ଯେତେ ମାଡ଼େ ସେତେ ପରିସ୍ଥିତି ସୃଷ୍ଟି ହୋଇଛି ।

ଯେତିକି ଖୋଳି ବାହାର କରାଯାଉଛି ଟନେଲ୍ ରାସ୍ତାରେ ପୁଣି ଧସି ଜମା ହୋଇଯାଉଛି ସେତିକି ମାଟି, ପଥର । ଏପରିକି ପ୍ରଥମ ଦିନ ଉଦ୍ଧାରକାରୀ ଦଳ ପାଖାପାଖି ୨୧ ମିଟର ଖୋଳିବାରେ ସକ୍ଷମ ହୋଇଥିଲେ ବି ପରବର୍ତ୍ତୀ ଅବସ୍ଥାରେ ମାଟି ଧସି ଏହା ପୁଣି ବନ୍ଦ ହୋଇଯାଇଥିଲା । କେବଳ ସେତିକି ନୁହେଁ, ଏହା ଭିତରେ ଡ୍ରିଲିଂରେ ବ୍ୟବହୃତ ଏକ ହେଭି ମେସିନ୍ ଖରାପ ହୋଇଯିବାରୁ ଆଜି କାମ ଗୁରୁତର ବାଧାପ୍ରାପ୍ତ ହୋଇଛି । ଯାହାକୁ ଦେଖି ଏୟାରଫୋର୍ସ ବିମାନ ଜରିଆରେ ନୂଆଦିଲ୍ଲୀରୁ ଆଉ ଏକ ହେଭି ମେସିନ୍‌କୁ ଅଣାଯିବାର ଉଦ୍ୟମ ହେବା, ଏବଂ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନିର୍ମାଣକାରୀ ସଂସ୍ଥାର କୌଣସି ବ୍ୟାକ୍ ଅପ୍ ପ୍ଲାନ୍ ନଥିବା ଅଭିଯୋଗ କରି ଆଜି ଟନେଲ୍ ସ୍ଥଳରେ ଏଭଳି ଅସନ୍ତୋଷ ଦେଖିବାକୁ ମିଳିଥିଲା ।

Advertisment

ୟା ଭିତରେ ସବୁଠୁ ବଡ଼ କଥା ହେଉଛି, ଫସିଥିବା ଶ୍ରମିକଙ୍କ ପାଖକକୁ ଦୁଇଟି ପାଇପ୍ ଯୋଗେ ନିରନ୍ତର ଖାଦ୍ୟ, ପାନୀୟ ଓ ଅକ୍ସିଜେନ୍ ଯୋଗାଣ ଜାରି ରହିଛି । ଶ୍ରମିକଙ୍କ ମନୋବଳକୁ ଯେମିତି ନଭାଙ୍ଗେ ସେଥିପାଇଁ ସେମାନଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି ଉଦ୍ଧାରକାରୀ ଟିମ୍ । ତେବେ ଯେତେଶୀଘ୍ର ସମ୍ଭବ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଗୋଟିକ ପରେ ଗୋଟିଏ ପ୍ରୟାସ ଜାରି ରହିଛି, ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି କହି ଧୈର୍ଯ୍ୟ ରଖିବାକୁ ଅପିଲ କରିଛନ୍ତି NHIDCLର ନିର୍ଦ୍ଦେଶକ ।

ରବିବାର ସକାଳ ପ୍ରାୟ ୮ଟା ୪୫ରେ ଚାରଧାମ ରୋଡ୍ ପ୍ରୋଜେକ୍ଟ ଅଧିନରେ ନିର୍ମାଣାଧୀନ ଏଇ ଟନେଲରେ ହଠାତ୍ ମାଟି ଅତଡ଼ା ଧସିବାରୁ ସେବେଠୁ ୟା ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ । ଯେଉଁମାନଙ୍କ ଭିତରେ ୫ ଜଣ ଓଡ଼ିଆ ବି ଅଛନ୍ତି । ହେଲେ ଏବେ ସୁଦ୍ଧା ସବୁ ଶ୍ରମିକ ସୁରକ୍ଷିତ ଥିଲେ ବି ସେମାନଙ୍କୁ ଉଦ୍ଧାରରେ ଯେତେ ଯେତେ ବିଳମ୍ବ ହେଉଛି ସେତେ ସେତେ ଆଶଙ୍କା ଘାରୁଛି, ଅସନ୍ତୋଷ ବି ବଢୁଛି ।

Advertisment
Advertisment