/odishatv-khabar/media/post_attachments/uploadimage/library/16_9/16_9_0/Air_India_1753090405.jpg)
Air India
ଏୟାର ଇଣ୍ଡିଆ ଫ୍ଲାଇଟ୍ AI 2744 A320 (VT-TYA) ସୋମବାର ଦିନ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ବେଳେ ୩ଟି ଟାୟାର ଫାଟିଯାଇଥିଲା । ସହରରେ ପ୍ରବଳ ବର୍ଷା ଯୋଗୁଁ ରନୱେରୁ ଛିଟିକି ଯାଇଥିଲା ବିମାନ। ତେବେ ସୌଭାଗ୍ୟକ୍ରମେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇଛନ୍ତି ।
ଏହି ବିମାନଟି କେରଳର କୋଚିରୁ ମୁମ୍ବାଇ ଆସୁଥିଲା। ପ୍ରାଥମିକ ରିପୋର୍ଟ ଅନୁସାରେ, ଖରାପ ପାଗ ଯୋଗୁଁ ଅବତରଣ ପରେ କିଛି ସମୟ ମଧ୍ୟରେ ବିମାନଟି ରନୱେରୁ ବାହାରକୁ ଯାଇଥିଲା। ଅବତରଣ ସମୟରେ ବିମାନର ତିନୋଟି ଟାୟାର ଫାଟିଯାଇଥିଲା ଏବଂ ବିମାନର ଇଞ୍ଜିନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି । ତଥାପି ବିମାନଟି ନିରାପଦରେ ଟର୍ମିନାଲ ଗେଟ୍ରେ ପହଞ୍ଚି ପାରିଥିଲା । ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଏୟାର ଇଣ୍ଡିଆ ଏକ ବିବୃତି ଜାରି କରି ଏମିତି ଘଟଣା ଘଟିଥିବାର କହିଛି । ଏଥିରେ କୁହାଯାଇଛି, କୋଚିରୁ ମୁମ୍ବାଇ ଆସୁଥିବା ଏହି ବିମାନ ଆଜି ଅବତରଣ ସମୟରେ ପ୍ରବଳ ବର୍ଷା ଯୋଗୁଁ ରନୱେ ଛାଡ଼ି ଚାଲିଯାଇଥିଲା। ବିମାନଟି ନିରାପଦରେ ଗେଟ୍ ନିକଟରେ ପହଞ୍ଚିଥିଲା ଏବଂ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ ଓହ୍ଲାଇଛନ୍ତି।
ବିମାନଟିକୁ ଯାଞ୍ଚ ପାଇଁ ରଖାଯାଇଛି। ଯାତ୍ରୀ ଏବଂ କ୍ରୁଙ୍କ ସୁରକ୍ଷା ଆମର ପ୍ରମୁଖ ଅଗ୍ରାଧିକାର ବୋଲି ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏମରଜେନ୍ସୀ ଟିମଗୁଡ଼ିକ ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ ପାଇଁ ମୁତୟନ ହୋଇଥିଲେ।
କୋଚିରୁ ଆସିଥିବା ଏହି ବିମାନ ଆଜି ସକାଳ ୯ଟା ୨୭ ମିନିଟରେ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ରନୱେ ବାହାରକୁ ଚାଲିଯାଇଥିଲା। ବିମାନବନ୍ଦରର ପ୍ରଥମ ରନୱେରେ ସାମାନ୍ୟ କ୍ଷତି ହୋଇଥିବା ଜଣାପଡିଛି । ବିମାନବନ୍ଦରର ଅପରେସନ ଜାରି ରଖିବା ପାଇଁ ଦ୍ୱିତୀୟ ରନୱେକୁ ସକ୍ରିୟ କରାଯାଇଛି।
ଯାତ୍ରମାନଙ୍କ ସୁରକ୍ଷା ସର୍ବଦା ଆମର ସବୁଠୁ ବଡ଼ ପ୍ରାଥମିକତା ବୋଲି ବିମାନବନ୍ଦର ପକ୍ଷରୁ କୁହାଯାଇଛି । ବିମାନବନ୍ଦରର ଜଣେ ମୁଖପାତ୍ର କହିଛନ୍ତି, କ୍ଷତିଗ୍ରସ୍ତ ମୁଖ୍ୟ ରନୱେର ଯାଞ୍ଚ ଏବଂ ମରାମତି ଚାଲିଛି। ବିମାନବନ୍ଦରର ଫ୍ଲାଇଟ ସୂଚୀ ବଜାୟ ରଖିବା ପାଇଁ ଦ୍ୱିତୀୟ ରନୱେକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)