• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିରାଟ ଅଘଟଣ । ତାମିଲନାଡୁର ଏକ ମନ୍ଦିର ଶୋଭାଯାତ୍ରା ବେଳେ ଘଟିଛି ଅଘଟଣ । ଯେଉଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଶୋଭାଯାତ୍ରାରେ ଆସୁଥିବା ରଥ ବିଦ୍ୟୁତ ତାରରେ ଲାଗିବାରୁ ଏଭଳି ଅଘଟଣ ଘଟିଛି । ତଞ୍ଜାବୁର ଜିଲ୍ଲାର କାଲିମେଡ୍ଡସ୍ଥିତ ଏକ ମନ୍ଦିରରେ ଆଜି ସକାଳୁ ହେଉଥିଲା ଏହି ଶୋଭାଯାତ୍ରା । ବିଦ୍ୟୁତ ସଂସ୍ପର୍ଶରେ ଆସି ଆଉ ୧୫ ଜଣ ଆହତ ହୋଇଥିବା ମଧ୍ୟ ସୂଚନା ରହିଛି । ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବା ଜଣାଯାଇଛି ।

ମନ୍ଦିରରେ ଉପ୍ପର ଗୁରୁପୂଜାଇ ଉତ୍ସବ ପାଳନ ହେଉଥିଲା । ଏହି ଉତ୍ସବରେ ସାମିଲ ହେବାକୁ ମଙ୍ଗଳବାର ରାତିରୁ ହିଁ ମନ୍ଦିରରେ ଭିଡ଼ ଜମିବାରେ ଲାଗିଥିଲା। ବୁଧବାର ସକାଳୁ ସକାଳୁ ମନ୍ଦିରରୁ ଏକ ରଥ ଯାତ୍ରା ବାହାରିଥିଲା । ଏଥିରେ ବହୁ ଭକ୍ତ ସାମିଲ ହୋଇଥିଲେ । ରଥ ଟାଣିବା ସମୟରେ ରଥଟି ଏକ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୨ ଛୋଟ ଛୁଆଙ୍କ ସମେତ ସମୁଦାୟ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।

ଏଥିଯୋଗୁ ଗୁରୁତରଙ୍କ  ସଂଖ୍ୟା ବଢ଼ିବାରୁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ବହୁ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ରଥ ଟଣା ସମୟରେ ରାସ୍ତା ଉପରେ ଖାଲରେ ପାଣି ଜମା ହୋଇଥିବାରୁ କିଛି ଲୋକ ଦୂରରେ ଛିଡ଼ା ହୋଇଥିଲେ । ନଚେତ ଆହୁରି ଅଧିକ ଜୀବନହାନୀ ହୋଇଥାନ୍ତା ବୋଲି ଆଲୋଚନା ହେଉଛି ।