• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାରାଷ୍ଟ୍ର ଖାରଗରରେ ବଡ଼ ଅଘଟଣ । ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଲକ୍ଷାଧିକ ଲୋକ ଏକାଠି ହୋଇଥିବା ବେଳେ, ଅସମ୍ଭାଳ ତାତି ଓ ଗୁଳୁଗୁଳି ( heat stroke) ଯୋଗୁଁ ଚାଲିଗଲା ୧୩ ଜଣଙ୍କ ଜୀବନ । ଏଥିରେ ୬ଶହ ଜଣ ହିଟଷ୍ଟ୍ରୋକର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ତେବେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଅନେକ ଲୋକ ନିଜ ଶରୀରରୁ ଜଳୀୟଅଂଶ କମି ଯାଉଥିବା ଅଭିଯୋଗ କରିବା ସହିତ ତଳେ ବେହୋସ ହୋଇ ପଡ଼ିଯାଇଥିଲେ ।

ମହାରାଷ୍ଟ୍ର ଭୂଷଣ ଆୱାଡ ସେରିମନି (Bhushan Award ceremony) ରେ ବିଭିନ୍ନ ରାଜ୍ୟରୁ ଲକ୍ଷାଧିକ ଲୋକ ଏକାଠି ହୋଇଥିଲେ । ମହାରାଷ୍ଟ୍ର ସମେତ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ଗୁଜରାଟରୁ ଲୋକମାନେ ଏଠାକୁ ଆସିଥିଲେ । ଦୁଇଟି ଟେଣ୍ଟରେ କେବଳ ଭିଆଇପି ଓ ଗଣମାଧ୍ୟମ ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ପାଣି ପିଇବାକୁ ନପାଇ ଚାଲିଗଲା ହାତୀର ଜୀବନ

ଲୋକମାନେ ଖରାରେ ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ବସି ରହିଥିଲେ । ଫଳରେ ଘଟଣାସ୍ଥଳରେ ହିଁ କିଛି ଲୋକ ଅଚେତ ହୋଇଯାଇଥିଲେ । ଖରା ସହିନପାରି ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ବୃଦ୍ଧ ମହିଳା ଥିବା ଜଣାପଡ଼ିଛି । ଏହାପରେ ଦଳାଚକଟା ଭଳି ସ୍ଥିତି ଉପୁଜିଥିଲା ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଉତ୍ସବରେ ଯୋଗ ଦେଇ ମହାରାଷ୍ଟ୍ର ଭୂଷଣ ପୁରସ୍କାର ପ୍ରଦାନ କରିଥିଲେ । ଶାହଙ୍କ ସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହି ଘଟଣା ପରେ ପୀଡ଼ିତମାନଙ୍କୁ ଭେଟିବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନଭି ମୁମ୍ବାଇ ସ୍ଥିତ ଏମଜିଏମ ହସ୍ପିଟାଲ ଯାଇଥିଲେ। ଏଥିସହିତ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ଘୋଷଣା କରିଛନ୍ତି ।