/odishatv-khabar/media/post_attachments/uploadimage/library/16_9/16_9_0/Nitika_1753689040.jpg)
Nitika
ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଆସିଥିବା ବନ୍ୟାରେ ଏକ ୧୦ ମାସର ଶିଶୁ ଅନାଥ ହୋଇଯିବା ପରେ ସେହି ଶିଶୁକୁ ଆପଣେଇ ନେଇଛନ୍ତି ସରକାର। ସେହି ୧୦ ମାସର ଶିଶୁକନ୍ୟା ନୀତିକାକୁ ‘ରାଜ୍ୟର ସନ୍ତାନ’ (ଚାଇଲ୍ଡ ଅଫ ଦି ଷ୍ଟେଟ) ଘୋଷଣା କରାଯାଇଛି ଏବଂ ସରକାର ତାର ଶିକ୍ଷା ଓ ଲାଳନପାଳନର ସମ୍ପୂର୍ଣ୍ଣ ଦାୟିତ୍ୱ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ତଲୱାଡ଼ା ଗାଁରେ ୩୦ ଜୁନ ଓ ୧ ଜୁଲାଇ ମଧ୍ୟରାତ୍ରିରେ ବାଦଲ ଫଟା ବର୍ଷା ହେବା ପରେ ହଠାତ୍ ବନ୍ୟା ହୋଇଥିଲା। ଏହି ବନ୍ୟାରେ ନୀତିକାର ପିତା ରମେଶ (୩୧)ଙ୍କର ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ମା’ ରାଧା ଦେବୀ (୨୪) ଏବଂ ଜେଜେମା’ ପୂର୍ଣ୍ଣୁ ଦେବୀ (୫୯) ଏବେ ବି ନିଖୋଜ ଅଛନ୍ତି।
ବନ୍ୟା ପାଣି ଘରେ ପଶି ଯିବାରୁ ରମେଶ ଘରେ ପଶୁଥିବା ପାଣିକୁ ଅଟକାଇବା ପାଇଁ ବାହାରକୁ ଯାଇଥିଲେ। ତାଙ୍କ ପଛେ ପଛେ ତାଙ୍କ ପତ୍ନୀ ଓ ମା’ ମଧ୍ୟ ତାଙ୍କୁ ସାହାଯ୍ୟ କରିବା ପାଇଁ ଯାଇଥିଲେ, ହେଲେ କେହି ଫେରି ନ ଥିଲେ। ଏହା ପରେ ନୀତିକାଙ୍କୁ ଏକା କାନ୍ଦୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ ପଡୋଶୀ। ତାପରେ ସେ ନୀତିକାର ସମ୍ପର୍କୀୟ ବଲଓ୍ୱନ୍ତଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ। ବଲଓ୍ୱନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଜୟରାମ ଠାକୁରଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଅଛନ୍ତି। ବର୍ତ୍ତମାନ ନୀତିକା ତଲୱାଡ଼ା ଗାଁରୁ ପ୍ରାୟ ୨୦ କିଲୋମିଟର ଦୂର ଶିକୌରୀ ଗାଁରେ ତାଙ୍କ ପିଉସୀ କିରନା ଦେବୀଙ୍କ ସହ ରହୁଛନ୍ତି।
ସୂଚନାଯୋଗ୍ୟ, ୨୦୨୩ରେ ରାଜ୍ୟରେ ହିମାଚଳପ୍ରଦେଶ ସରକାର ସୁଖ-ଆଶ୍ରୟ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ଅନାଥମାନଙ୍କୁ ଅନେକ ସୁବିଧା ପ୍ରଦାନ କରାଯାଏ। ୧୮ରୁ ୨୭ ବର୍ଷ ବୟସର ଅବିବାହିତ ଅନାଥ ପିଲାମାନଙ୍କୁ ଖାଦ୍ୟ, ଆଶ୍ରୟ, ବସ୍ତ୍ର, ଉଚ୍ଚ ଶିକ୍ଷା ଭଳି ସୁବିଧା ସୁଯୋଗ ପ୍ରଦାନ କରାଯାଏ। ଏହି ଶିଶୁମାନଙ୍କୁ ‘ରାଜ୍ୟର ସନ୍ତାନ’ ବୋଲି କୁହାଯାଏ। ଏହି ଅନାଥ ଶିଶୁଙ୍କ ଦେଖାଶୁଣା କରିବା ସହ ସରକାର ଆଇନଗତ ଅଭିଭାବକ ରହିଥାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)