• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ବାପା... କ’ଣ ଆମେ ବି ମରି ଯିବା ? ବାପା... କ’ଣ ଆମ ଘର ବି ଭାଙ୍ଗିଯିବ ?’ ଜଣେ ବାପାକୁ ତାର ଛଅ ବର୍ଷର କୁନି ଝିଅ ଯଦି ଏମିତି କିଛି ପ୍ରଶ୍ନ ପଚାରେ ତେବେ ସେ ବାପା ଏହାର କି ଉତ୍ତର ଦେବ । ଥରେ ଏହି କୋହଭରା ତଥା ଛନ୍ଦକପଟ ହୀନ ବାକ୍ୟକୁ ଅନୁଭବ କରନ୍ତୁ । ଆଉ ଚିନ୍ତା କରନ୍ତୁ ଯେଉଁ ବାପାକୁ ତାର ଝିଅ ଏଭଳି ପ୍ରଶ୍ନ କରିଥିବ, ସେହି ପରିସ୍ଥିତିରେ ବାପାର ମାନସିକ ସ୍ଥିତି କେମିତି ରହିଥିବ ।

ଏଭଳି ଏକ ଖବର ସାମ୍ନାକୁ ଆସିଛି ହିମାଚଳ ପ୍ରଦେଶ ସିମ୍‌ଲାରୁ । କୁନି ଝିଅର ଏଭଳି ପ୍ରଶ୍ନକୁ ସାମ୍ନା କରିଥିବା ସେହି ବାପା ନିଜେ ପୁରା ଘଟଣାକୁ କୋହଭରା କଣ୍ଠରେ ଗଣମାଧ୍ୟମ ଆଗରେ ବଖାଣିଛନ୍ତି । ଆଉ କହିଛନ୍ତି, ‘କିଛି ଦିନ ହେବ ହିମାଚଳ ପ୍ରଦେଶରେ ପ୍ରକୃତି ତାଣ୍ଡବ ରଚୁଛି । ବାଦଲଫଟା ବର୍ଷା ଯୋଗୁଁ ମାଟି ଧସୁଛି । ଗଛ ଉପୁଡ଼ୁଛି । ଘର ଭାଙ୍ଗି ଯାଉଛି । ଅନେକ ଲୋକଙ୍କ ଜୀବନ ମଧ୍ୟ ଗଲାଣି ।’

ଅଧିକ ପଢ଼ନ୍ତୁ: ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ! ୪ ଦିନ ଧରି ଭୂସ୍ଖଳନ ରଚୁଛି ପ୍ରଳୟ

ଖାଲି ସେତିକି ନୁହେଁ, ‘୩ ଦିନ ପୂର୍ବେ ମୋ ଘର ଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ଏକାଧିକ ମହଲା ବିଶିଷ୍ଟ ଏକ ଘର ଭୁଶୁଡ଼ି ପଡ଼ିଛି । ଆଉ ଏକ ସ୍ଲଟର ହାଉସ ବି ଭାଙ୍ଗି ରୁଜି ମାଟିରେ ମିଶିଯାଇଛି । ଏହି ସବୁ ଘଟଣାକୁ ମୋ କୁନି ଝିଅ ନିଜ ଆଖିରେ ଦେଖିଛି । ଏମିତିକି ତାର ଦୁଇ ଜଣ ସ୍କୁଲ୍‌  ସାଙ୍ଗ ଏହି ବର୍ଷା ବିତ୍ପାତରେ ଜୀବନ ହାରିଛନ୍ତି । ସେଥିରୁ ଜଣେ ନର୍ସରୀ ଆଉ ଜଣେ ଦ୍ୱିତୀୟରେ ପଢ଼ୁଥିଲେ । ସମସ୍ତେ ଏକାଠି ସ୍କୁଲ ଯାଅନ୍ତି ଆଉ ଖେଳନ୍ତି ।

ଏହି ସବୁ ଘଟଣାକୁ ମୋ ଝିଅ ଅତି ପାଖରୁ ଦେଖିଛି । ଆଉ ଏହାର ବର୍ବତାକୁ ଅତି ପାଖରୁ ଦେଖିଛି ।’ ଏହି ସବୁ କାରଣରୁ ଆଜି ସେହି କୁନି ଝିଅର ମନରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି ।

ତେବେ କହିବାକୁ ଗଲେ ଉତ୍ତର ଭାରତରେ ଥମୁନି ପ୍ରକୃତିର ତାଣ୍ଡବ। ବିଶେଷ କରି ହିମାଚଳ ପ୍ରଦେଶରେ ଗତ ତିନି-ଚାରି ଦିନ ଧରି ଲଗାଣ ବର୍ଷା ଓ ଭୂସ୍ଖଳନ ପ୍ରଳୟ ରଚିଛି । ଏହି ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୮୦ ଟପିଲାଣି । ତାସ ଘର ପରି ଭୁଶୁଡି ପଡୁଛି ପାହାଡି ଇଲାକାର ଘର ଗୁଡ଼ିକ । ମାତ୍ର କେଇ ସେକେଣ୍ଡରେ ଧରାଶାୟୀ ହୋଇଛି ତିନି ମହଲା ଅଟ୍ଟାଳିକା । ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ପଂଜାବରେ କିଛି ଦିନ ହେଲାଣି ଜୋର୍ ବର୍ଷା ଲାଗି ରହିଛି । 

ଉତ୍ତରାଖଣ୍ଡରେ ସୋମବାର ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟିଥିଲା । ଏଥିରେ ଏକ ରିସୋର୍ଟ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା । ରିସୋର୍ଟର ଭଗ୍ନାବଶେଷରୁ ଏକ ଦମ୍ପତି ଏବଂ ତାଙ୍କ ପୁଅ ସମେତ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସଦ୍ୟତମ ରିପୋର୍ଟ ଅନୁସାରେ, ମାତ୍ର ତିନି ଦିନ ମଧ୍ୟରେ ଏଠାରୁ ୧୦ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇ ସାରିଲାଣି।

ଉଦ୍ଧାର କାର୍ଯ୍ୟରେ ଲାଗିଛି ଏନଡିଆରଏଫ୍ ଟିମ୍ । ଘରର ଭଗ୍ନାବଶେଷ ତଳୁ ଜୀବନ ଖୋଜା ଚାଲିଛି । ଆହୁରି କିଛି ଦିନ ମଧ୍ୟ ବର୍ଷା ଲାଗି ରହିବାର ପୂର୍ବାନୁମାନ କରାଯାଇଥିବାରୁ ପରିସ୍ଥିତି ଆହୁରି ବିଗିଡ଼ିପାରେ । ହିମାଚଳରେ ୧୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦ ହଜାର କୋଟିର ସମ୍ପତ୍ତି ନଷ୍ଟ ହୋଇ ସାରିଥିବା ଆକଳନ କରାଯାଇଛି ।

ମୋଟ ଉପରେ ଦେଖିବାକୁ ଗଲେ ଚଳିତ ବର୍ଷ ହିମାଚଳ ପ୍ରଦେଶରେ ବର୍ଷାରେ ୨୧୪ ଜଣ ଲୋକଙ୍କ ମୃତ୍ୟୁ ହେଲାଣି । ଗତ ଦୁଇ ମାସ ଭିତରେ ଏହି ରାଜ୍ୟରେ ୭୪୨ ମିଲିମିଟର ବର୍ଷା ହୋଇଛି । ପଂଜାବରେ ମଧ୍ୟ ପ୍ରବଳ ବନ୍ୟା ଦେଖିବାକୁ ମିଳିଛି । ହୋସିୟାରପୁର, ଗୁରଦାସପୁର, ରୁପନଗର ଜିଲ୍ଲାର ସ୍ଥିତି ସାଂଘାତିକ । ଲୋକେ ଘରୁ ବାହାରି ପାରୁନାହାନ୍ତି ।