• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମାସିକ ଋତୁସ୍ରାବ ପାଇଁ ଛୁଟିର ଆବଶ୍ୟକତା ନାହିଁ । ଏହା ପାଇଁ କୌଣସି ଦରମା ସହ ଛୁଟିର ଆବଶ୍ୟକତା ନାହିଁ । ଏହା ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା । ଏପରି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ଜୀବନର ସ୍ୱାଭାବିକ ପ୍ରକ୍ରିୟା ପାଇଁ ଛୁଟିର କୌଣସି ଆବଶ୍ୟକତା ନାହିଁ । ଏଥିପାଇଁ ଦରମା ସହ ଛୁଟିର ଦରକାର ନାହିଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ।

ଋତୁସ୍ରାବ ସମୟରେ ଛୁଟିକୁ ନେଇ ପୁରା ଦେଶରେ ରାଜନୀତି ଚାଲୁଥିବା ବେଳେ, ଏହାକୁ ସିଧା ସଳଖ ଖଣ୍ତନ କରିଛନ୍ତି କେନ୍ଦ୍ର ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ । ଋତୁସ୍ରାବ ସ୍ୱଚ୍ଛତା ନୀତି ଉପରେ ଆରଜେଡି ନେତା ମନୋଜ କୁମାର ଝା’ଙ୍କ ପ୍ରଶ୍ନର ଉତ୍ତରରେ ଇରାନୀ ରାଜ୍ୟସଭାରେ ଏହି କଥା କହିଛନ୍ତି।

ଏହା ଏକ ସ୍ୱାଭାବିକ ପ୍ରକ୍ରିୟା । ଏହା ମହିଳାଙ୍କର କୌଣସି ଅକ୍ଷମତା ନୁହେଁ । କାର୍ଯ୍ୟ କ୍ଷେତ୍ରରେ ଏହାକୁ ନେଇ ଛୁଟି ଦେବାର ଅର୍ଥ, ଏହାକୁ ଅଲଗା ନଜରରେ ଦେଖିବା । ଯାହା ଆଦୌ ଗ୍ରହଣୀୟ ନୁହେଁ । ଏହା ମହିଳାଙ୍କୁ ସମାନ ଅଧିକାରରୁ ବଞ୍ଚିତ କରିବ । ଏଣୁ ମାସିକ ଋତୁସ୍ରାବ ପାଇଁ ଛୁଟିର କୌଣସି ଆବଶ୍ୟକତା ନଥିବା କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଛୁଟି ପ୍ରସ୍ତାବକୁ ମନା କରିଥିବା ଇରାନୀ କିନ୍ତୁ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇଛନ୍ତି । ଏପରିକି ସମଗ୍ର ଦେଶରେ ଏନେଇ ସଚେତନ କରିବାକୁ ସ୍ୱତନ୍ତ୍ର ଡ୍ରାଫ୍ଟ ପ୍ରସ୍ତୁତ ହେବ ବୋଲି ଘୋଷଣା କରିଛନ୍ତି । ଶିକ୍ଷା ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଜରିଆରେ ସ୍ୱଚ୍ଛତା ପ୍ରତି ଜନଜାଗରଣ ସୃଷ୍ଟି କରିବାକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ସ୍ପେନ ସଂସଦ ଏନେଇ ଏକ ବିଲ୍‌ ପାସ୍‌ କରିଛି । ବିଲ୍‌ରେ ଋତୁସ୍ରାବ ଯନ୍ତ୍ରଣାଦାୟକ ହେଲେ ଦରମା ସହ ଛୁଟି ପ୍ରଦାନ କରିବାକୁ ଅନୁମତି ଦିଆଯାଇଛି । ଅନ୍ୟପଟେ ଏ ସମ୍ପର୍କୀୟ ବିଲ୍‌ ପାସ୍‌ କରିବାରେ ସ୍ପେନ୍‌ ପ୍ରଥମ ୟୁରୋପୀୟ ରାଷ୍ଟ୍ର ହୋଇଛି । କିନ୍ତୁ ଆମ ଦେଶରେ ସେପରି କିଛି ଯୋଜନା ନଥିବା କଥା ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।