ମୋରବି ଜିଲ୍ଲାର ହଲବଦରେ ଏକ ଲୁଣ କାରଖାନାର କାନ୍ଥ ଭୁଶୁଡ଼ି ପାଞ୍ଚ ମହିଳାଙ୍କ ସମେତ ୧୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । କାନ୍ଥ ଭୁଶୁଡ଼ିବା ଫଳରେ ପ୍ରାୟ ୩୦ ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ଜେସିବି ମେସିନ ସାହାଯ୍ୟରେ ମୃତ ଓ ଆହତଙ୍କୁ ଉଦ୍ଧାର କରାଯାଇଥିଲା । ଆହତଙ୍କୁ ସହରର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା ରହିଛି ।
Also Read
ଛୋଟ ପିଲା ମଧ୍ୟ ଆହତ ହୋଇଥିବା ସୂଚନା
ହଲବଦ GIDC ସ୍ଥିତ ସାଗର ସଲ୍ଟ ନାମକ ଏହି କାରଖାନାରେ ଯେତେବେଳେ କାନ୍ଥ ଭୁଶୁଡ଼ିଲା ସେତେବେଳେ ଫ୍ୟାକ୍ଟ୍ରିରେ ପ୍ରାୟ ୩୦ ଜଣ ଶ୍ରମିକ କାମ କରୁଥିଲେ । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, କିଛି ଶ୍ରମିକଙ୍କ ପିଲା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତେଣୁ ସେହି ପିଲାମାନେ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିବା ଅନୁମାନ କରାଯାଉଛି । କିନ୍ତୁ ଏବେ ସୁଦ୍ଧା ପିଲାମାନଙ୍କୁ ନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।
Gujarat | At least 12 people died after a wall of a salt factory in Morbi's Halvad GIDC collapsed
— ANI (@ANI) May 18, 2022
12 people have died after an incident happened at Sagar Salt Factory in Halvad GIDC. Government stands with the families of the deceased: State Minister Brijesh Merja pic.twitter.com/lSBAaw2jJB
ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଦୁର୍ଘଟଣା ଘଟିଥିଲା । ଖବର ପାଇ ପ୍ରଥମେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସ୍ଥାନୀୟ ବିଧାୟକ ପରସୋତ୍ତମ ସବରିଆ ଏବଂ କଲେକ୍ଟରଙ୍କ ସମେତ ବହୁ ଉଚ୍ଚ ପଦାଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ କାନ୍ଥଟି କାହିଁକି ଓ କେମିତି ଭୁଶୁଡ଼ିଲା, ସେନେଇ କୌଣସି ସ୍ପଷ୍ଟ କାରଣ ସାମ୍ନାକୁ ଆସି ନାହିଁ ।
ଅନେକ ଶ୍ରମିକ ଖାଇବାକୁ ଯାଇଥିଲେ
ଦୁର୍ଘଟଣାର ପ୍ରାୟ ଅଧ ଘଣ୍ଟା ପୂର୍ବରୁ ୪୦ରୁ ଅଧିକ ଶ୍ରମିକ ଏଠାରେ ଲୁଣ ପ୍ୟାକେଟ୍ କରୁଥିଲେ । ସୌଭାଗ୍ୟବସତଃ ସେମାନଙ୍କ ମଧ୍ୟରୁ ଅନେକ ଶ୍ରମିକ ଖାଇବା ପାଇଁ ବାହାରକୁ ଯାଇଥିଲେ । ଶ୍ରମିକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ଶ୍ରମିକମାନେ ରାଧନପୁର ତହସିଲ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି ।
ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ କହିଛନ୍ତି ଯେ, ‘ମୋରବିରେ କାନ୍ଥ ଭୁଶୁଡ଼ିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏହି ଦୁଃଖଦ ସମୟରେ ପୀଡିତଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି ।’ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସ୍ଥାନୀୟ ପ୍ରଶାସନ ସମସ୍ତ ସହାୟତା ଯୋଗାଇ ଦେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
ମୃତକଙ୍କ ପରିବାରକୁ ୪ ଲକ୍ଷ
ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି । ଏଥିସହିତ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ସେମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି।

OTV is now on Whatsapp
ପ୍ରତି ମୁହୂର୍ତ୍ତରେ ଖବରର ଅପଡେଟ୍ ପାଇଁ ଫଲୋ କରନ୍ତୁ ଓଟିଭିର ହ୍ଵାଟ୍ସଅପ ଚ୍ୟାନେଲ୍ କୁ
Join Now