• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରେମ ! କୁହାଯାଏ ପ୍ରେମ କୌଣସି ବି ବୟସରେ ହୋଇପାରେ । ଅର୍ଥାତ୍ ପ୍ରେମ କରିବାର କୌଣସି ବୟସ ସୀମା ନାହିଁ । ହେଲେ କିଶୋର ଅବସ୍ଥାରେ ଅଧିକାଂଶ ପ୍ରେମରେ ପଡ଼ନ୍ତି । ଆଉ ସେହି ସମୟରେ ଯେଉଁମାନେ ପ୍ରେମ କରନ୍ତି ସେମାନେ ଅନେକ ଭୁଲ କରି ବସନ୍ତି । ସେହି ସବୁ ଭୁଲକୁ ନେଇ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । କୋର୍ଟ କହିଛନ୍ତି କିଶୋର ଅବସ୍ଥାରେ ପ୍ରେମ କରି ଯେଉଁ ସବୁ ଭୁଲ ହୋଇଥାଏ, ସେହିସବୁ ମାମଲାରେ ଟିକେ ଭାବି ଚିନ୍ତି ରାୟ ଶୁଣାଇବାକୁ ହୋଇଥାଏ ।

କିଶୋର ଅବସ୍ଥାରେ ଯେଉଁ ପ୍ରେମ ହୁଏ ତାକୁ କୋର୍ଟ ନିୟନ୍ତ୍ରଣ କରିପାରିବେ ନାହିଁ । ଖାଲି ସେତିକି ନୁହେଁ କୋର୍ଟ ଏହି ସବୁ ମାମଲାରେ ଅଧିକ ଯତ୍ନବାନ ହେବା ସହ ସେମାନଙ୍କୁ ବେଲ୍‌ ଦେବାକୁ ହୋଇଥାଏ । ସ୍ଥିତି ଓ ପରିସ୍ଥିତିକୁ ଦେଖି ଏହି ମାମଲାର ରାୟ ଶୁଣାଇବାକୁ ହୋଇଥାଏ ।

ତେବେ ଦିଲ୍ଲୀ ହାଇକୋର୍ଟରେ ମେ’ ୮ ତାରିଖରେ ଏଭଳି ମାମଲାର ଶୁଣାଣି କରାଯାଇଥିଲା । ଜଣେ ୧୯ ବର୍ଷର ବାଳକ ଏଭଳି ଏକ ମାମଲାରେ ବେଲ୍ ପାଇଁ ଆବେଦନ କରିଥିଲେ । ସେ ଏପ୍ରିଲ ୨୦୨୧ରେ ଜଣେ ୧୬ ବର୍ଷର ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସେହି ମାମଲାର ଶୁଣାଣି ବେଳେ କୋର୍ଟ କହିଥିଲେ ଯେ, କିଶୋର ଅବସ୍ଥାରେ ଏଭଳି ଭୁଲ ସେମାନଙ୍କର ବୟସ ଓ ଚିନ୍ତାଧାରା ଯୋଗୁଁ ହୋଇଥାଏ । ସେମାନେ ସମ୍ପୂର୍ଣ୍ଣ ରୂପେ ପରିପକ୍ୱ ନୁହନ୍ତି । 

ବିଭିନ୍ନ ରୋମାଣ୍ଟିକ୍‌ ଫିଲ୍ମ ଦେଖିବା ଓ ନଭେଲ ଆଦି ସହ ଯୋଡ଼ି ହେବାରୁ ସେମାନେ ଏଭଳି କାର୍ଯ୍ୟ ପ୍ରତି ଆକର୍ଷିତ ହୋଇଥାନ୍ତି । ଯାହାଫଳରେ ସେହି ବୟସରେ ସେମାନେ ଭୁଲ କରି ବସନ୍ତି । ସେମାନେ ଆଇନ କାନୁନ ପ୍ରତି ଅଜ୍ଞ ଥାନ୍ତି । ତେଣୁ ଏହି ସବୁ ମାମଲାର ଶୁଣାଣି ବେଳେ ବା ରାୟ ଦେବା ବେଳେ କୋର୍ଟ ଅଧିକ ଯତ୍ନବାନ ହେବା ଆବଶ୍ୟକ । କୋର୍ଟଙ୍କ ଦ୍ୱାରା ଯେଭଳି କୌଣସି ଭୁଲ ନହୁଏ ସେଥିପ୍ରତି ଧ୍ୟନ ଦେବାକୁ ହୋଇଥାଏ । ଏମିତିକି ମାମଲାର ଶୀଘ୍ର ସମାଧାନ କିଭଳି ହେବ ସେଥିପ୍ରତି ମଧ୍ୟ କୋର୍ଟ ଗୁରୁତ୍ୱ ଦେବା ଉଚିତ ବୋଲି ଦିଲ୍ଲୀ ହାଇକୋର୍ଟ କହିଥିଲେ ।

ଏଭଳି ମାମଲାରେ ଅଭିଯୁକ୍ତର ବେଲ୍ ଆବେଦନ, ଖାରଜ କିମ୍ବା ମଞ୍ଜୁର କରିବା କ୍ଷେତ୍ରରେ କୋର୍ଟ ଅନ୍ୟ ମାମଲା ଅପେକ୍ଷା ଅଧିକ ଯତ୍ନଶୀଳ ହୋଇଥାନ୍ତି । ପାରିପାର୍ଶ୍ୱିକ ପରିସ୍ଥିତି ଓ ପ୍ରମାଣ ଏମିତିକି ଅଭିଯୁକ୍ତର ଚିନ୍ତାଧାରା ଆଦିକୁ ଦେଖି କୋର୍ଟ ଏହି ରାୟ ଶୁଣାଣିବା ଉଚିତ୍ ।

ତେବେ କୋର୍ଟ ଯେଉଁ ମାମଲାର ଶୁଣାଣି କରୁଥିଲେ, ସେଥିରେ ଅଭିଯୁକ୍ତକୁ ଦୁଇ ମାସ ପାଇଁ ବେଲ୍ ଦେଇଛନ୍ତି । ପୋଲିସ ରିପୋର୍ଟ ଅନୁଯାୟୀ, ମାମଲା ରୁଜୁ କରିବା ବେଳେ ଯୁବତୀ ଜଣକ ଗର୍ଭବତୀ ଥିଲେ । ଆଉ ସେହି ଗର୍ଭରେ ଥିବା ଛୁଆ ହେଉଛି ଉକ୍ତ ଅଭିଯୁକ୍ତର ପୁଅ । ତେଣୁ କୋର୍ଟ ଉଭୟଙ୍କୁ ବିବାହ କରିବାକୁ କହିଥିଲେ ।