• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚମ ଧୁଡୁ ଧୁଡୁ ଶରୀର । ଫୁଟି ହୋଇ ବାହାରିଛି ଦେହର ଛ' ଖଣ୍ଡ ହାଡ଼ । ନା ଠିକ୍ ସେ ଦେଖାଯାଉଛି ନା ଶୁଭାଯାଉଛି । ଛେପ ଢୋକି ଢୋକି କଥା ଦିପଦ କହୁଛନ୍ତି । ତାହା ବି ଅସ୍ପଷ୍ଟ। ବୟସ ୭୦ ଡେଇଁଲାଣି । ଆଉ ଏହି ପରିଣତ ବୟସରେ ବ୍ରହ୍ମପୁର ଏମକେସିଜି ମେଡିକାଲର ସଂକ୍ରାମକ ରୋଗ ୱାର୍ଡରେ ଦିନ ଗଣୁଛନ୍ତି ୩ ଜଣ ଅସହାୟ ।

ପ୍ରଥମେ ଆମେ କହୁଛୁ ଭୁବନେଶ୍ୱରର ରଣଜିତ୍ କୁମାର ତ୍ରିପାଠୀଙ୍କ କଥା । ୬ ବର୍ଷ ହେଲାଣି ବାର୍ଦ୍ଧକ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ପଡି ରହିଛନ୍ତି ବେଡରେ। ପରିବାରରୁ କେହି ଥରୁଟିଏ ବି ଦେଖିବାକୁ ଆସିନାହାନ୍ତି ।

ସେହି ସମାନ ୱାର୍ଡରେ ରହୁଛନ୍ତି ଆଉ ଦୁଇ ଜଣ ଅସହାୟ ବୃଦ୍ଧା । ସେମାନେ ବି କାହାର ମାଆ। ପିଲା ଛୁଆ ବଡ ହେଲେଣି, ନାତି-ନାତୁଣୀ ବି ଅଛନ୍ତି। ହେଲେ ବୟସର ଅପରାହ୍ଣରେ ଭାଗ୍ୟକୁ ଆଦରି ପଡିରହିଛନ୍ତି ମେଡିକାଲରେ । ବର୍ଷ ବର୍ଷ ଧରି ଏହି ସଂକ୍ରାମକ ୱାର୍ଡ ହିଁ ପାଲଟିଛି ତାଙ୍କ ଠିକଣା । କାହାର ବୟସ ୭୦ ଡେଇଁଲାଣି ତ କାହାକୁ ୮୦ । ଦେହ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ମେଡିକାଲ ଆଣିଥିଲେ ପରିବାର ସଦସ୍ୟ । ହେଲେ ଆଡମିଶନ କରିଦେଇ ଯାଇଛନ୍ତି ଯେ, ଆଉ ଦେଖା ନାହିଁ। ଦି ତିନି ବର୍ଷ ହେଲା ବୁଢୀ ଆଖି ଅନାଇ ରହିଛି,ସେମାନଙ୍କ ଫେରିବା ବାଟକୁ।

ରୋଗାକ୍ରାନ୍ତ ଏହି ଅସହାୟ ବୁଢାବୁଢୀଙ୍କ ସାହାରା ସାଜିଛନ୍ତି ବଡ ମେଡିକାଲର କର୍ମଚାରୀ। ନିଜ ପିଲା ସିନା ବଇରି ସାଜିଲେ ହେଲେ ଅଜଣା, ଅଚିହ୍ନା କର୍ମଚାରୀ ଆପଣାର କରିନେଇଛନ୍ତି ଏମାନଙ୍କୁ । ଠିକ୍ ସମୟରେ ଖାଇବା ପିଇବାକୁ ଦେଉଛନ୍ତି, ନଖାଇଲେ ନିଜେ ଖୁଆଇ ଦେଉଛନ୍ତି । ସେବା ସୁସୁଶ୍ରା ପାଇଁ ମେଡିକାଲ କର୍ମଚାରୀଙ୍କ ସହ ଏକ ଏନଜିଓର କର୍ମଚାରୀ ବି ନିୟୋଜିତ ହୋଇଛନ୍ତି । ସେମାନଙ୍କୁ ଗାଧୋଇ ଦେବା, ଡାଇପର ବଦଳାଇବା, ମୁଣ୍ଡ କୁଣ୍ଡାଇ ଦେବା, ନିଜ ଜନ୍ମକଲା ପୁଅ-ଝିଅ ଠାରୁ ଅଧିକ କରୁଛନ୍ତି ।