• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିର୍ବନ୍ଧ ସରିଥିଲା । ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କାର୍ଡ ବଣ୍ଟା ସରିଥିଲା । ହେଲେ ହୋମ ନିଆଁ ଜଳିବା ପୂର୍ବରୁ ଶ୍ମଶାନରେ ଜଳିଲା ଜୁଇ । ଭାଙ୍ଗିଗଲା ସୁଖର ସ୍ୱପ୍ନ । ନୂଆ ଜୀବନରେ ଆରମ୍ଭ କରିବା ବଦଳରେ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ବାସୁଦେବ । ଆସନ୍ତା ମାର୍ଚ୍ଚ ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥାଆନ୍ତେ, କିନ୍ତୁ ତା’ ପୂର୍ବରୁ ଉଠିଲା କୋକେଇ । ପ୍ରତିଶୋଧ ପରାୟଣା ହୋଇ ପ୍ରେମିକକୁ ହତ୍ୟା କଲେ ପ୍ରେମିକା ଓ ପ୍ରେମିକାର ଭିଣୋଇ । ମୃତ ଦେହ ଠାବ ହେବା ପରେ ସନ୍ଧାନୀ କୁକୁର ସିଧାସଳଖ ପହଞ୍ଚିଲା ପ୍ରେମିକା ଦୁଆରେ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ସୋନପୁର ଜିଲ୍ଲାର ଖୁଣ୍ଟିଗୋରା ପଞ୍ଚାୟତରେ ।

କଣ୍ଟାମାଳ ଥାନା ଖୁଣ୍ଟିଗୋରା ପଞ୍ଚାୟତ ଉଡେର ଗ୍ରାମର ବାସୁଦେବ ଭୋଇ । ବୟସ ୨୫ ବର୍ଷ । ବୃତ୍ତିରେ ଜଣେ ଶିକ୍ଷକ । ବିବାହ ପାଇଁ ଲଗ୍ନ ସ୍ଥିର ହୋଇସାରିଥିଲା । କିଛି ଦିନ ପରେ ହାତରୁ ଦିହାତ ହୋଇ ଥାଆନ୍ତେ । ଘରକୁ ବୋହୂ ଆସିଥାଆନ୍ତା । ବୁଢ଼ୀ ମା’ ବୋହୂ ପରଷା ପାଇଥାଆନ୍ତେ । ବାହାଘରକୁ ନେଇ ବିଧବା ମା’ଟି ମଧ୍ୟ ବେଶ୍ ଖୁସି ଥିଲା । କିଣାକିଣି ବି ସରିଥିଲା । ହେଲେ ବିବାହରେ କଣ୍ଟା ସାଜିଥିଲେ ପୁରୁଣା ପ୍ରେମିକା । ତାଙ୍କୁ ବିବାହ ନକରିବାକୁ ରକ୍ତମୁଖା ପାଲଟି ଯାଇଥିଲା ।

୪ବର୍ଷ ହେଲା ବାସୁଦେବଙ୍କର ତୁଷୁରା ଥାନା ଅନ୍ତର୍ଗତ ଏକ ଗାଁର ଜନୈକ ଝିଅଙ୍କ ସହ ପ୍ରେମସଂପର୍କ ଥିଲା । ହେଲେ କୌଣସି କାରଣ ବଶତଃ ତାଙ୍କର ଅନ୍ୟତ୍ର ବିବାହ ଠିକ୍ ହୋଇଥିଲା । ଗତ ୧୨ତାରିଖରେ ବାସୁଦେବ ତାଙ୍କ ପିଉସୀ ପୁଅ ଭାଇ ସହ ମିଶି ପ୍ରେମିକାକୁ ଭେଟିବାକୁ ଯାଇଥିଲେ । ଭାଇକୁ କିଛି ଦୂରରେ ଛିଡ଼ା କରାଇ ନିଛାଟିଆ ସ୍ଥାନରୁ ଏକୁଟିଆ ଯାଇଥିଲେ । ପ୍ରେମିକା ଓ ତା’ର ଭିଣୋଇ ଆଗରୁ ପ୍ରସ୍ତୁତ ଥିଲେ । ପ୍ରେମିକା ସାଥୀରେ ନେଇ ଆସିଥିଲା ଶଙ୍ଖା ସିନ୍ଦୂର । ଆଉ ଏହି ଜଙ୍ଗଲରେ ହିଁ ଶଙ୍ଖା ସିନ୍ଦୂର ପିନ୍ଧାଇବାକୁ ବାଧ୍ୟ କରିଥିଲେ । ଏଥିରେ ବାସୁଦେବ ଅମଙ୍ଗ ହେବାରୁ ବାଡ଼େଇ ବାଡେଇ ତାଙ୍କୁ ମାରିଦେଇଥିଲେ ।

ସେପଟେ ଅନେକ ସମୟ ଧରି ନଫେରିବା ପରେ ବାସୁଦେବଙ୍କ ଭାଇ ନିରାଶ ହୋଇ ଫେରିଆସି ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକ ତୁରନ୍ତ କଂଟାମାଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କଣ୍ଟାମାଳ ପୋଲିସ ଗୁଡଭେଲା ପୋଲିସ ସହାୟତାରେ ଖୋଲତାଡ ଆରମ୍ଭ କରିଥିଲେ ହେଁ କୌଣସି ସୁରାକ ପାଇ ନଥିଲେ ।

ଶେଷରେ ୧୨ଦିନ ପରେ କର୍ଲାଖମନ ନିକଟ ରାହୁଲ ନଦୀର ବିରିଘାଟ ଠାରେ ଏକ ଶବ ପଡିଥିବା ସନ୍ଧାନ ମିଳିଛି । ଘଟଣା ସ୍ଥଳରେ ଗୁଡଭେଲା ଥାନାଧିକାରୀ ସଞ୍ଜିବ କୁମାର ପ୍ରଧାନ ପହଞ୍ଚି ତଦନ୍ତ କରି ଶବ ଚିହ୍ନଟ କରିଛନ୍ତି । ତେବେ ଘଟଣାସ୍ଥଳରେ ସନ୍ଧାନୀ କୁକୁର ପହଞ୍ଚିବା ପରେ, ସେଠାରୁ ଯାଇ ସିଧାସଳଖ ପ୍ରେମିକା ଘରେ ପହଞ୍ଚିଥିଲା । ପ୍ରେମିକା ମଧ୍ୟ ପ୍ରେମିକକୁ ଜୀବନରୁ ମାରିଦେଇଥିବା କଥା ସ୍ୱୀକାର କରିଥିବା କଥା ସୂଚନା ମିଳିଛି ।

ଏପଟେ ବାସୁଦେବଙ୍କ ବିଧବା ମାଆ କମଳା ଏକମାତ୍ର ଶିକ୍ଷକ ପୁଅର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡିଛନ୍ତି । ପ୍ରେମିକା ସିନା ପ୍ରେମିକ ଠାରୁ ପ୍ରତିଶୋଧ ନେଇ, ସବୁଦିନ ପାଇଁ ଜୀବନରୁ ମାରିଦେଲା । ହେଲେ ଏବେ ଏକୁଟିଆ ବୁଢ଼ୀ ମଣିଷ ଏବେ ବଞ୍ଚିବ କିପରି , କରିବ କ’ଣ ?