• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ଦିନେ ନୁହେଁ କି ମାସେ ନୁହେଁ ବର୍ଷ ବର୍ଷ ଧରି ଏମାନେ ଜଗୁଛନ୍ତି ଜଙ୍ଗଲ। ଦିନରାତି ଏକ କରି ପାଳିକରି ଜଙ୍ଗଲକୁ ସୁରକ୍ଷା ଦେବା ଦାୟିତ୍ୱ ନେଇଛନ୍ତି । ଏଥିପାଇଁ ଏମାନେ କୌଣସି ପାରିଶ୍ରମିକ ପାଉନାହାନ୍ତି । କିନ୍ତୁ ରାତିଦିନ ଏକ କରି ଖଟୁଛନ୍ତି । କାରଣ ଏମାନେ ବୁଝିଛନ୍ତି ପରିବେଶର ମୂଲ୍ୟ । ଏମାନେ ହେଉଛନ୍ତି ଢେଙ୍କାନାଳ ସହରର ଯୁବ ସ୍ୱେଚ୍ଛାସେବୀ । ଏମାନେ ଭଲଭାବେ ବୁଝିଛନ୍ତି, ଜଙ୍ଗଲ ବୃଦ୍ଧି ହେଲେ ଜୀବଜଗତର କ'ଣ କ'ଣ ସବୁ ଉପକାର ହେବ । ଖାସ୍ ସେଇଥିପାଇଁ ରାତିର ଘନ ଅନ୍ଧକାରରେ ହାତରେ ଲାଇଟ, ଠେଙ୍ଗା ବାଡିଧରି ଏମାନେ ଦେଉଛନ୍ତି ଘଞ୍ଚ ଜଙ୍ଗଲ ଭିତରେ ପହରା। କେବଳ ସେତିକି ନୁହେଁ ହୁଇସିଲ ମାରି ରାତିର ଅନ୍ଧାର ଭିତରେ ନିଜ ନିଜର ଉପସ୍ଥିତିକୁ ଜାହିର ମଧ୍ୟ କରୁଛନ୍ତି ଏହି ପ୍ରକୃତି ପ୍ରେମୀ ଯୁବ ଗୋଷ୍ଠୀ।

ଢେଙ୍କାନାଳ ସହରକୁ ଲାଗି ରହିଥିବା ଇଏ ହେଉଛି ସେହି ପାଣିଓହଳା ପାହାଡ । ଏଇ ପାହାଡ ସହରର କଲେଜ ବାଇପାସ ନିକଟରୁ ମହିଷାପାଟ ଯାଏଁ ଦୀର୍ଘ ୫ କିଲୋମିଟର ପର୍ଯ୍ୟନ୍ତ ଲମ୍ୱିଛି । ଏହି ପାହାଡ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଢେଙ୍କାନାଳ ସହର ବାସୀଙ୍କୁ ସୁରକ୍ଷା ଦେଇଥାଏ । ୧୯୯୯ମସିହାର ମହାବାତ୍ୟା ହେଉ କି ଫନୀ, ହୁଡହୁଡ ହେଉ ଅବା ତିତଲି କୌଣସି ବି ବଡଧରଣର ବାତ୍ୟା ସହରରେ ତାଣ୍ଡବ ରଚିବା ପୂର୍ବରୁ ଏହିଠାରେ ହିଁ ମାଡ ହୋଇ ଅଟକିଯାଏ । ସହରବାସୀଙ୍କ ନିମନ୍ତେ ବରଦାନ ସାଜି ଠିଆ ହୋଇଛି ପାଣିଓହଳା ପାହାଡ । ଏହି ପାହାଡରେ ଗଛ ଲଗାଯିବା ପାଇଁ ଦିନେ ହେଲିକପ୍ଟର ଉଡାଯାଇ ମଞ୍ଜି ବିଞ୍ଚାଯାଇଥିଲା । ପରେ ଏହା ଜଙ୍ଗଲରେ ପରିଣତ ହୋଇଥିଲା ।ଏହାର ସୁରକ୍ଷା ଦାୟିତ୍ୱ ଏବେ ନିଜ ହାତକୁ ନେଇଛନ୍ତି ପାହାଡର ପାଦଦେଶରେ ରହୁଥିବା ଦେଉଳସାହି ବାସିନ୍ଦା ଓ ବଜରଙ୍ଗ କ୍ଲବର ଯୁବକମାନେ ।

ଏହି ଉଦୀୟମାନ ଯୁବକମାନେ କେବଳ ଜଙ୍ଗଲ ଜଗିବା କାମ କରୁଛନ୍ତି ତାହା ନୁହେଁ ବରଂ ବିଭିନ୍ନ ସମୟରେ ଜଙ୍ଗଲ ମଧ୍ୟରେ ବହୁ ମୂଲ୍ୟବାନ ଔଷଧୀୟ ଗଛ ଲଗାଇ ଜଙ୍ଗଲକୁ ଆହୁରି ବ୍ୟାପକ କରୁଛନ୍ତି । ଖରାଦିନେ କୌଣସି କାରଣବଶତଃ ଯଦି ଏହି ପାଣିଓହଳା ପାହାଡରେ ନିଆଁଲାଗେ, ତେବେ ଏହି ଯୁବକମାନେ ଆଗକୁ ବାହାରି ନିଆଁଲିଭା କାମରେ ନିଜକୁ ନିୟୋଜିତ କରନ୍ତି । ଯାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।

ଏକଦା ଏଠି ଶିକାରୀମାନଙ୍କ ଦ୍ୱାରା ବନ୍ୟଜନ୍ତୁ ଶିକାର ଓ ମୂଲ୍ୟବାନ ଗଛ କଟା ଚାଲିଥିଲା । ସଙ୍କଟରେ ରହିଥିଲା ଜଙ୍ଗଲ । ସ୍ଥାନୀୟ ବାସିନ୍ଦା ଓ ବଜରଙ୍ଗ କ୍ଲବ ସଦସ୍ୟଙ୍କ ହସ୍ତକ୍ଷେପ ପରେ ଏଥିରେ ଏବେ ରୋକ ଲାଗିପାରିଛି ।ଆଗାମୀ ଦିନରେ ଏହି ଯୁବଗୋଷ୍ଠୀଙ୍କୁ ନେଇ ଏକ ସ୍ୱତନ୍ତ୍ର ତାଲିମ ଦିଆଯିବା ସହ ନିଆଁଲିଭା କାର୍ଯ୍ୟ ପାଇଁ ସେମାନଙ୍କୁ ସେଫ୍ଟିକିଟ ଯୋଗାଇ ଦିଆଯିବ । ଏହି ପ୍ରତିଶୃତି ଦେଇଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ।