• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗରିବ ନିରୀହ ଆଦିବାସୀ ମାସ ମାସ ଧରି ପାଉନାହାନ୍ତି ସରକାରଙ୍କ ପିଡିଏସ୍ ସାମଗ୍ରୀ । ଡିଲରଙ୍କ ମନମାନି ଯୋଗୁଁ କିଏ ୬ ମାସ କିଏ ୧୦ ମାସ କିଏ ୨୪ ମାସ ପିଡିଏସ୍ ସାମଗ୍ରୀ ପାଉନି । ବାଲେଶ୍ୱର ରେମୁଣା ବ୍ଳକ କଲ୍ୟାଣପୁର ପଞ୍ଚାୟତରେ ୩୦ରୁ ୪୦ ଜଣ ହିତାଧିକାରୀଙ୍କ ରାସନ୍ ସାମଗ୍ରୀ ହଡପ୍ କରୁଛନ୍ତି ଡିଲର । ଏନେଇ ହିତାଧିକାରୀ ଯୋଗାଣ ବିଭାଗ ଓ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ଏବଂ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ପରେ ସମ୍ପୃକ୍ତ ଡିଲରଙ୍କୁ ସସପେଣ୍ଡ କରାଯାଇଛି । ଡିଲର ଜଣକ ଲୋକଙ୍କୁ ଚାଉଳ, ଗହମ ଓ କିରୋସିନ୍ ଦେଉନଥିବା ତଦନ୍ତରୁ ଠୋସ୍ ପ୍ରମାଣ ମିଳିଛି ।

ବାଲେଶ୍ୱର ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତରେ ଡିଲର ବସନ୍ତ ପଢିହାରୀ । ଲୋକଙ୍କୁ ପିଡିଏସ୍ ଦେଉନଥିବା ଅଭିଯୋଗ ହେଉଛି । ଲୋକେ ମାସ ମାସ ଧରି ରାସନ୍ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି । ସେହିପରି କଲ୍ୟାଣପୁର ପଞ୍ଚାୟତ ହଳଦିଆ ଗାଁର ଟୁନି ସିଂ । ସେ ଗତ ଦୁଇବର୍ଷ ହେଲା ପାଇନାହାନ୍ତି ରାସନ୍ । ତାଙ୍କ ନାଁରେ ଆସୁଥିବା ଚାଉଳ ଓ କିରୋସିନ ଡିଲର ବସନ୍ତ ପଢିହାରୀ ଦେଉନଥିବା ସେଅଭିଯୋଗ କରିଛନ୍ତି । ଚାଉଳ ପାଇଁ ଗଲେ ତାଙ୍କ ନାଁ କଟିଯାଇଛି କହି ଫେରାଇ ଦେଉଛନ୍ତି ଡିଲର ବସନ୍ତ ।

ସେହି ହଳଦିଆ ଗାଁର ଲକ୍ଷ୍ମୀ ସିଂଙ୍କର ସମାନ ଅଭିଯୋଗ ସେ ୩ ମାସ ହେବ ପାଇନାହାନ୍ତି ରାସନ୍ ସାମଗ୍ରୀ । ଡିଲରଙ୍କ ପାଖକୁ ଗଲେ, ଚାଉଳ ବ୍ଲକକୁ ଫେରିଯାଇଛି ବୋଲି କହୁଛନ୍ତି କଲ୍ୟାଣପୁର ଗାଁର ସସ୍ମିତା ସିଂ ମଧ୍ୟ ଡିଲରଙ୍କ ଚକ୍ରାନ୍ତର ଶିକାର ।

କେବଳ ଏହି ୩ ଜଣ ନୁହନ୍ତି, କଲ୍ୟାଣପୁର ପଞ୍ଚାୟତର ୩୦ରୁ ୪୦ ହିତାଧିକାରୀଙ୍କ ପିଡିଏସ୍ ସାମଗ୍ରୀ ଡିଲର ବସନ୍ତ ପଢିହାରୀ ହଡପ କରିଥିବା ଅଭିଯୋଗ ହୋଇଛି । ଏନେଇ ସେମାନେ ରେମୁଣା ବ୍ଲକ ମାର୍କେଟିଂ ଇନ୍ସପେକ୍ଟରଙ୍କ ଅଫିସରୁ ମିଳିଥିବା ଆରଟିଆଇ ତଥ୍ୟରୁ ଜାଣିବାକୁ ପାଇଥିଲେ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଥିଲେ । ପରେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ରାସନ୍ କାର୍ଡ ଧରି ଧାରଣା ବି ଦେଇଥିଲେ । ତେବେ ସମ୍ପୃକ୍ତ ଡିଲରଙ୍କୁ ପଚାରିବାରୁ ସେ କେବଳ ୩ ଜଣଙ୍କର ରାସନ୍ ସାମଗ୍ରୀ ଦେଇନଥିବା ସ୍ୱୀକାର କରିଛନ୍ତି ।

ଗରିବ ଲୋକଙ୍କ ପିଡିଏସ୍ ହଡପ ନେଇ ଡିଲରଙ୍କ ବିରୋଧରେ ଅଭିଯୋଗ ପରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ହୋଇଥିଲା ତଦନ୍ତ । ତଦନ୍ତ ବେଳେ ଡିଲର ପିଡିଏସ୍ ବଣ୍ଟନରେ ଅନିୟମିତତା କରିଥିବା ଜଣାପଡିଛି । ହିତାଧିକାରୀଙ୍କୁ ଚାଉଳ ଓ କିରୋସିନ୍ ବାଣ୍ଟିନଥିବା ଉପଜିଲ୍ଲାପାଳ ତଦନ୍ତ ରିପୋର୍ଟରେ ସ୍ପଷ୍ଟ ଲେଖିଛନ୍ତି । ଠୋସ୍ ପ୍ରମାଣ ମିଳିବା ପରେ ଉପଜିଲ୍ଲାପାଳ କଲ୍ୟାଣପୁରର ଡିଲର ବସନ୍ତ ପଢିହାରୀଙ୍କୁ ସସପେଣ୍ଡ କରିବା ସହ ତାଙ୍କ ଲାଇସେନ୍ସ ରଦ୍ଦ କରିଛନ୍ତି । ତାଙ୍କ ସ୍ଥାନରେ ଏକ SHGକୁ ରାସନ୍ ବାଣ୍ଟିବାକୁ ଦିଆଯାଇଛି ଅନୁମତି ।