• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନଦୀ କୂଳିଆ ଗାଁ ଗୁଡିକୁ ସୁରକ୍ଷା ଦେବା ପାଇଁ ନଦୀବନ୍ଧ ମରାମତି, ପଥର ପ୍ୟାକିଙ୍ଗ ଓ ପ୍ରଶସ୍ତିକରଣ କରାଯାଏ । ପଥର ପ୍ୟାକିଙ୍ଗ ହେଲେ ନଈ ବଢି ବେଳେ କୂଳ ଖାଇବନି, ଗାଁ ଗୁଡିକ ନଦୀ ଗର୍ଭରେ ଲୀନ ହେବନି । ସରକାର ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଜଳସମ୍ପଦ ବିଭାଗର ଅସାଧୁ ଅଫିସର ଓ ଠିକଦାରଙ୍କ ସଲାସୁତୁରାରେ ବାଟମାରଣା ହେଉଛି ଟଙ୍କା, କାମ ଠିକରେ ହେଉନି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀ କୂଳରେ ପଥର ପ୍ୟାକିଙ୍ଗ ନାଁରେ ଏଭଳି ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି ।

କୁହାଯାଉଛି ଠିକାଦାର ଓ ବିଭାଗୀୟ ଅଧିକାରୀ ଏ ବାବଦକୁ କୋଟି କୋଟି ଟଙ୍କା ବିଲ୍ ମଧ୍ୟ କରୁଛନ୍ତି । ହେଲେ ଶ୍ରୀରାମପୁର ପଞ୍ଚାୟତ ପାଳପାଟଣା ପାଖରେ ଥିବା ଏହି ସ୍ପର ପ୍ୟାକିଙ୍ଗକୁ । ୮ ମାସ ତଳେ ହୋଇଥିବା କାମ, ଏବେ ବ୍ରାହ୍ମଣୀ ନଦୀ ଗର୍ଭରେ ଛୋଟ ଛୋଟ ପଥର କେତୋଟି ଗଡ଼ୁଛି ଯାହା ସ୍ପଷ୍ଟ ହୋଇଥିବା ସୂଚାଉଛି । ଅତ୍ୟନ୍ତ ନିମ୍ନମାନର, ଅଧପନ୍ତରିଆ କାମ କରିଦେବା ପରେ ଠିକାଦାର କି ବିଭାଗୀୟ ଅଧିକାରୀ କାହାରି ଦେଖାନାହିଁ ।

କୂଳ ଖାଉଛି ନଈ । ନଦୀ ଗର୍ଭରେ ଲୀନ ହେଉଛି ତଟବର୍ତ୍ତୀ ଗାଁ । ପ୍ରତିବର୍ଷ ବର୍ଷାଦିନେ ବଢି ଆସିଲେ ଛାନିଆ ହୋଇଯାଉଛନ୍ତି ନଈକୂଳିଆ । ଲୋକେ ବ୍ରାହ୍ମଣୀ ନଦୀର ପ୍ରଖର ସ୍ରୋତରୁ ରକ୍ଷା ପାଇବା ପାଇଁ ପଥର ପ୍ୟାକିଙ୍ଗ ହୋଇଛି । ତେବେ ଯେଉଁଠି ପଥର ବନ୍ଧ ହେବା କଥା ସେଠି ମାଟି ପଡି ଉପରେ ଛୋଟ ଛୋଟ ପଥର ଘୋଡ଼ାଇ ଦିଆଯାଇଛି । ନଦୀ ଭିତରୁ ବେସ୍ ହୋଇ ପ୍ୟାକିଙ୍ଗ ହେବା କଥା କିନ୍ତୁ ଉପରେ ଉପରେ ଲୋକଙ୍କ ଚାଷ ଜମିରେ ପ୍ୟାକିଙ୍ଗ ହୋଇଥିବା ଅଭିଯୋଗ ହୋଇଛି ।

ଲୋକଙ୍କ ଅଭିଯୋଗ, ଯେଉଁଠି ଟନ୍ ଟନ୍ ପଥର ଲାଗିବା କଥା, ସେଠି ସେହି ଅନୁସାରେ ପଥର ଲାଗିନି । ମନଇଚ୍ଛା କାମ କରିଛନ୍ତି ଠିକାଦାର । ଜେଇ, ଇଞ୍ଜିନିୟର ମଧ୍ୟ କାମର ତଦାରଖ କରିନାହାନ୍ତି । ଅଳଭା ଠାରୁ ମଦନପୁର ଯାଏଁ ୧୮ କିଲୋମିଟର ଘେରିବନ୍ଧ ପାଇଁ ୨୦୧୮ରେ ୧୩ କୋଟି ୧୫ ଲକ୍ଷ ଟଙ୍କା, ୨୦୧୯ ଜାନୁଆରୀରେ ନାବାର୍ଡ ପକ୍ଷରୁ ୧୭ କୋଟି ୮୩ ଲକ୍ଷ ଯଙ୍କାର କାର୍ଯ୍ୟ ହୋଇଥିଲା । ୨୦୨୦ ଜୁଲାଇ ୧୫ରେ ଶେଷ କରିବାକୁ ଚୁକ୍ତି ହୋଇଥିଲା ,କିନ୍ତୁ ଠିକଦାର କାର୍ଯ୍ୟ ବିଳମ୍ବ କରିବା ଯୋଗୁଁ ଏଯାଏଁ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇନି । ଫଳରେ ପାଳପାଣା ଘାଟ ପାଖରେ ଥିବା ପ୍ୟାକିଙ୍ଗ ସମ୍ପୂର୍ଣ୍ଣ ନଦୀ ଗର୍ଭକୁ ଚାଲିଯାଇଛି । ଗାଁର କେବଳ ଗୋଟିଏ ସ୍ଥାନରେ ଶିଳାନ୍ୟାସ ଫଳକ ଥିବାବେଳେ ଅନ୍ୟ କିଛି ଫଳକ ନାହିଁ ।

ନଦୀକୂଳିଆ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ହେଉଥିବା ପଥର ପ୍ୟାକିଙ୍ଗରେ ନିମ୍ନମାନର କାମ ଏବଂ ଟଙ୍କା ବାଟମାରଣା ନେଇ ଆମେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେଇଥିଲୁ । ସେ କହିଛନ୍ତି, ଆଉ ଥରେ ମରାମତି ପାଇଁ ନିର୍ଦ୍ଦେଶ ଦେବେ ।

(ରିପୋର୍ଟ- ପ୍ରବୀର ନାୟକ, ପଟ୍ଟାମୁଣ୍ଡାଇ)