Advertisment

ବ୍ରାହ୍ମଣୀ ନଦୀ ସୁରକ୍ଷାବନ୍ଧ ନିର୍ମାଣରେ ଦୁର୍ନୀତିର ଗନ୍ଧ : ର-ଠ କାମ କରି କୋଟି କୋଟି ଟଙ୍କା ହଡପ ଅଭିଯୋଗ

କେବଳ ଉପରେ ଉପରେ ପଥର ଗୁଡିକୁ ଛାପି ଦିଆଯାଉଛି ଫଳରେ ଗୋଟିଏ ବନ୍ୟା ଆସିଲେ ପଥର ପ୍ୟାକିଙ୍ଗ ସବୁ ନଦୀଗର୍ଭକୁ ଚାଲିଯିବା ଥୟ ।

author-image
Prangyan Parimita
ଅଦ୍ୟତନ ହୋଇଛି
jojana Ra Naa Hariloot

jojana Ra Naa Hariloot

ନଦୀ ଦାଉରୁ ଗାଁକୁ ସୁରକ୍ଷା ଦେବା ପାଇଁ ଚାଲିଛି ପଥର ପ୍ୟାକିଙ୍ଗ କାମ । ପ୍ରାୟ ୧୧ କୋଟି ଟଙ୍କା ପଥର ପ୍ୟାକିଙ୍ଗ କାମ ମାତ୍ର ୨୦ ଦିନ ତଳେ ଆରମ୍ଭ ହୋଇଛି, କିନ୍ତୁ ଦେଢ କୋଟି ଟଙ୍କା ବିଲ୍ ସରିଗଲାଣି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ସାହୁପଡ଼ା ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀ ସୁରକ୍ଷାବନ୍ଧ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ । ନିର୍ମାଣ ଦାୟିତ୍ୱରେ ଥିବା କଣ୍ଟ୍ରାକ୍ଟର, ଜେଇ ଓ ଆଳି ତଟବନ୍ଧ ଡିଭିଜନର ଅଧିକାରୀଙ୍କ ମିଲିଭଗତରେ ର-ଠ କାମ କରି କୋଟି କୋଟି ଟଙ୍କା ହଡପ୍ ପାଇଁ ଆରମ୍ଭ ହୋଇଛି ଉଦ୍ୟମ ।

Advertisment

କେନ୍ଦ୍ରାପଡ଼ା ଆଳି ବ୍ଲକ ସାହୁପଡ଼ା ଗାଁ ନିକଟରେ ବ୍ରାହ୍ମଣୀ ନଦୀ ସୁରକ୍ଷାବନ୍ଧ ନିର୍ମାଣରେ ଦୁର୍ନୀତିର ଗନ୍ଧ । ନିମ୍ନମାନର ପଥର ପ୍ୟାକିଙ୍ଗ ଅଭିଯୋଗ । ନାବାର୍ଡ ସହାୟତାରେ ୧୦ କୋଟି ୮୬ ଲକ୍ଷ ଟଙ୍କା ଅର୍ଥାତ୍ ପ୍ରାୟ ୧୧ କୋଟି ଟଙ୍କାର ପଥର ପ୍ୟାକିଙ୍ଗ କାମ କରୁଛି ଆଳି ତଟବନ୍ଧ ବିଭାଜନ । ହେଲେ ପଥର ପ୍ୟାକିଙ୍ଗରେ ଛୋଟ ଛୋଟ ପଥର ବ୍ୟବହାର ହେଉଛି । ବିନା ଡମ୍ପିଙ୍ଗରେ କରାଯାଉଛି କାମ । କେବଳ ଉପରେ ଉପରେ ପଥର ଗୁଡିକୁ ଛାପି ଦିଆଯାଉଛି ଫଳରେ ଗୋଟିଏ ବନ୍ୟା ଆସିଲେ ପଥର ପ୍ୟାକିଙ୍ଗ ସବୁ ନଦୀଗର୍ଭକୁ ଚାଲିଯିବା ଥୟ ।

ବ୍ରାହ୍ମଣୀ ନଦୀ ଧୀରେ ଧୀରେ ସାହୁପଡ଼ା ଗାଁ ଆଡକୁ ମାଡ଼ି ଆସୁଛି । ଏମିତିକି ଚାଷ ଜମି ସହ ଅନେକ ଘରବାଡ଼ି ନଦୀ ଗର୍ଭରେ ଲୀନ ହୋଇଗଲାଣି । ଗାଁକୁ ସୁରକ୍ଷା ଦେବା ପାଇଁ ବର୍ଷ ବର୍ଷ ଧରି ଗାଁ ଲୋକେ ଦାବି କରିବା ପରେ ଏବେ ୨୦ ଦିନ ହେବ କାମ ଆରମ୍ଭ ହୋଇଛି । ସ୍ପେଶାଲ କ୍ଲାସ୍ କଣ୍ଟ୍ରାକ୍ଟର ସମ୍ବିତ୍ ଲେଙ୍କା କାମ ହାତକୁ ନେଇଛନ୍ତି, ହେଲେ ଦିନେ ବି ସ୍ପଟକୁ ଆସୁନାହାନ୍ତି, କାମର ତଦାରଖ କରୁନାହାନ୍ତି ।

Advertisment

ଗୋଟେ ପଟେ ବ୍ରାହ୍ମଣୀ ନଦୀ ସୁରକ୍ଷା ବନ୍ଧ ନିର୍ମାଣ ହେଉଛି, ଆଉ ଗୋଟେ ପଟେ କଣ୍ଟ୍ରାକ୍ଟର ବଡ଼ ବଡ଼ ଜେସିବି ନେବା ପାଇଁ ନଦୀବନ୍ଧକୁ ଗାଟି ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି ,ଯାହା ବନ୍ୟା ସମୟରେ ସାହୁପଡ଼ା ଗାଁ ପ୍ରତି ବିପଦ ସୃଷ୍ଟି କରିବ ।

ନିମ୍ନମାନର କାମ ନେଇ ସାହୁପଡ଼ା ଗ୍ରାମବାସୀ ଆଳି ତଟବନ୍ଧ ଡିଭିଜନ୍ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଲିଖିତ ଅଭିଯୋଗ ପରେ ଖୋଦ୍ ଅଧୀକ୍ଷଣ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରିଥିଲେ । ସାଙ୍ଗରେ ଥିଲେ ଏସଡିଓ ଏବଂ ଯନ୍ତ୍ରୀ, ତେବେ କାହିଁକି ନିମ୍ନମାନର କାମ ହେଉଛି, କେତେ ଟଙ୍କା ବିଲ୍ ହେଲାଣି ଏଭଳି ପ୍ରଶ୍ନ ବାଣରେ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘାଇଲା କରିଥିଲେ ସାହୁପଡ଼ା ଗ୍ରାମବାସୀ । କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।

କାମ ଆରମ୍ଭ ହେବା ମାସେ ବି ହୋଇନି, କିନ୍ତୁ ଦେଢ କୋଟି ଟଙ୍କା ବିଲ୍ ସରିଯାଇଥିବା ସୂଚନା ମିଳିଛି । କଣ୍ଟ୍ରାକ୍ଟର, ଆଳି ତଟବନ୍ଧ ବିଭାଜନ ଅଧିକାରୀ ଓ ଜେଇଙ୍କ ମିଲିଭଗତରେ କୋଟି କୋଟି ଟଙ୍କା ହଡପ୍ ପାଇଁ ଚକ୍ରାନ୍ତ ଚାଲିଛି । ଏଠି ପ୍ରଶ୍ନ ଉଠୁଛି, କଣ ଦେଖେଇ ଦେଢ କୋଟି ଟଙ୍କା ବିଲ୍ ହୋଇଛି ?

(ରିପୋର୍ଟ-ବନମାଳି ସାହୁ, ଆଳି)

Jojana Ra Naa Hariloot
Advertisment
Advertisment