• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୂତ ନେଉଛି ଭତ୍ତା ଟଙ୍କା । ଯେଉଁ ଲୋକ ବର୍ଷେ କି ଦୁଇ ବର୍ଷ ହେଲା ଆରପାରିକୁ ଚାଲିଯାଇଛି, ସେମାନଙ୍କ ନାଁରେ ଟିପ ଚିହ୍ନ ଦିଆଯାଇ ଟଙ୍କା ଉଠାଯାଉଛି । ସୂଚନା ଅଧିକାର ଆଇନ୍ ବଳରେ ମିଳିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ । ଭଦ୍ରକ ବାସୁଦେବପୁର ବ୍ଲକ ସୁଗୋ ପଞ୍ଚାୟତରେ ଏଭଳି ୫୦ରୁ ଅଧିକ ହିତାଧିକାରୀଙ୍କ ନାଁରେ ମାସିକିଆ ଭତ୍ତା ଟଙ୍କା ହଡପ୍ ହେଉଛି । କେବଳ ମଲା ଲୋକ ନୁହେଁ, ଯେଉଁ ମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି, ଖାତାରେ ପୁଣି ଟିପ ଚିହ୍ନ ମରାଯାଇ ଟଙ୍କା ଚଳୁ ହେଉଛି ।

ବାସୁଦେବପୁର ବ୍ଲକ ସୁଗୋ ପଞ୍ଚାୟତର ଲକ୍ଷ୍ମଣ ସାହୁ । ୨୦୨୧ ଜାନୁଆରୀ ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ଡେଥ୍ ସାର୍ଟିଫିକେଟ୍ କହୁଛି । କିନ୍ତୁ ଆଜି ପର୍ଯ୍ୟନ୍ତ ବର୍ଷେ ୧୦ ମାସ ହେଲା ତାଙ୍କ ନାଁରେ ଉଠୁଛି ଭତ୍ତା ଟଙ୍କା । ଟିପ ଚିହ୍ନ ଦିଆଯାଇ ପ୍ରତିମାସରେ ଟଙ୍କା ଉଠାଯାଉଛି , କିନ୍ତୁ ଲକ୍ଷ୍ମଣଙ୍କ ପରିବାର ଏ ବିଷୟରେ ଜାଣିନଥିବା କହିଛନ୍ତି ।

ସୁଗୋ ପଞ୍ଚାୟତର ନୟନା ପାତ୍ର । ତାଙ୍କ ଶ୍ୱଶୁର ବୀରଭଦ୍ର ପାତ୍ରଙ୍କ ପରଲୋକ ହେବାର ୧୫ ମାସ ବିତିଲାଣି । କିନ୍ତୁ ଏବେବି ତାଙ୍କ ନାଁରେ ଭତ୍ତା ଟଙ୍କା ଉଠୁଛି । ଶ୍ୱଶୁରଙ୍କ ମୃତ୍ୟୁ ପ୍ରମାଣପତ୍ର ଦେଖାଇ ନୟନା କହିଛନ୍ତି, କିଏ ଏହି ଟଙ୍କା ଉଠାଉଛି, ଏ ଚିପ ଚିହ୍ନ କାହାର ତାହା ସେ ଜାଣିନାହାନ୍ତି । ସରକାରଙ୍କ ଏହି ଯୋଜନାର ଅପବ୍ୟବହାର କରି ଟଙ୍କା ଲୁଟୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନୟନା । ସେହିପରି ସୁଗୋ ଗାଁର ମୃତ ବୃନ୍ଦାବନ ସାହୁଙ୍କ ନାଁରେ ଟିପ ଦିଆଯାଇ ପ୍ରତି ମାସରେ ଭତ୍ତା ଟଙ୍କା କିଏ ନେଉଛି ।

ସୁଗୋ ପଞ୍ଚାୟତରେ କେବଳ ଏହି ୩ ମଲା ଲୋକଙ୍କ ନାଁରେ ଯେ ଟଙ୍କା ଉଠୁଛି ତା ନୁହେଁ, ଏଭଳି ୫୦ରୁ ଅଧିକ ଲୋକଙ୍କ ନାଁରେ ଉଠୁଛି ଟଙ୍କା । ଯେଉଁ ବୃଦ୍ଧ ବୃଦ୍ଧାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି, ସେମାନଙ୍କ ନାଁକୁ ଖାତାରେ ଆଉଥରେ ଏଣ୍ଟ୍ରି କରି ଟିପ ଚିହ୍ନ ଦିଆଯାଇ ଟଙ୍କା ଖାଇଯାଉଛନ୍ତି , ଯାହାର ଖୁଲାସା କରିଛନ୍ତି ସୂଚନା ଅଧିକାର କର୍ମୀ ।

ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଅସହାୟଙ୍କୁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ବଣ୍ଟନ କରିବା ଦାୟିତ୍ୱ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କର, ସେ ସିଧାସଳଖ ଏହି ଟଙ୍କାକୁ ପଞ୍ଚାୟତ ଅଫିସରେ ବାଣ୍ଟିଥାନ୍ତି । ତେବେ କିଭଳି ଭୂତ ନେଉଛି ଭତ୍ତା ଟଙ୍କା, ସେ ସମ୍ପର୍କରେ ସୁଗୋ ପଞ୍ଚାୟତର ପିଇଓଙ୍କୁ ପଚାରିବାରୁ ସେ ଘଟଣାର ତଦନ୍ତ ଚାଲିଛି କହି ଏଡ଼ାଇ ଯାଇଥିଲେ ।

ମଲା ଲୋକଙ୍କ ନାଁରେ କିଏ ଉଠାଉଛି ଭତ୍ତା ଟଙ୍କା ? ଟିପ ଚିହ୍ନ କାହାର ? ଟଙ୍କା ବାଣ୍ଟିବା ଦାୟିତ୍ୱ ପିଇଓଙ୍କର ଥିବା ବେଳେ ସେ ହିଁ ଉତ୍ତରଦାୟୀ ରହିବା କଥା । ତେବେ ଏଠି ପିଇଓ ତଦନ୍ତ ଚାଲିଥିବା କଥା କହି ପ୍ରଶ୍ନକୁ ଏଡ଼ାଇ ଯାଉଥିବାରୁ କିଛି ଗଡ଼ବଡ଼ ମନେ ହେଉଛି ।

ଆରଟିଆଇରୁ ମିଳିଥିବା ଏହି ତଥ୍ୟ ଗତ ୫ ମାସର ତଦନ୍ତ ହେଲେ, କେତେ ବର୍ଷ ଧରି କେତେ ଲୋକଙ୍କ ନାଁରେ ଉତ୍ତା ଟଙ୍କା ହଡପ ହେଉଛି, ତାହା ଜଣାପଡିବ ।

(ରିପୋର୍ଟ – ବାସୁଦେବପୁର, କିରୀଟି ଦାସ)