• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଲି ମାଫିଆ ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଲୁଟ୍ ହେଉଛି କୋଟି କୋଟି ଟଙ୍କାର ରାଜସ୍ୱ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲ୍ କଳଦୀପ ବାଲିଘାଟ ନିକଟରୁ ଚାଲିଛି ବେଆଇନ୍ ବାଲି ଉଠାଣ । ସରକାରୀ ବାଲିଘାଟ ଆଳରେ ମହାନଦୀରୁ ବେଧଡକ୍ ଭାବେ ଚୋରା ଚୋଲାଣ ହେଉଛି ବାଲି । ନିର୍ଦ୍ଧାରିତ ପ୍ଲଟ୍ ସହିତ ଆଖପାଖରେ ଥିବା ବ୍ୟକ୍ତିଗତ ଜମିରୁ ମଧ୍ୟ ବାଲି ଉଠାଇ ମାଫିଆ ମାନେ ବିକ୍ରି କରିଦେଉଛନ୍ତି । ଜେସିବି ଓ ଡ୍ରୋଜର ସାହାଯ୍ୟରେ ହଜାର ହଜାର ଟ୍ରିପ୍ ବାଲି ଉତ୍ତୋଳନ ହେଉଥିବାରୁ ମାଲାମାଲ୍ ହେଉଛନ୍ତି ମାଫିଆ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଅନ୍ୟପଟେ କିନ୍ତୁ ଅତଡ଼ା ଧସି ନଦୀ ଗର୍ଭକୁ ଚାଲିଗଲାଣି ୫ ଖଣ୍ଡ ମୌଜାର ଚାଷ ଜମି ।

କୁଜଙ୍ଗ ତହସିଲ୍ ଅଧୀନ କଳଦୀପ ବାଲିଘାଟରେ ନିତିଦିନ ଏଭଳି ଦେଖିବା ପାଇଁ ମିଳୁଛି । ଏଠାରୁ ପ୍ରତିଦିନ ବେଧଡକ୍ ମାତ୍ରାଧିକ ବାଲି ଉତ୍ତୋଳନ କରୁଛନ୍ତି ମାଫିଆ । ବର୍ଷକ ତଳେ ଅର୍ଥାତ୍ ୬.୧୨.୨୦୨୧ରେ କଟକର ନାରାୟଣ ବିଶ୍ୱାଳଙ୍କୁ ୫ ବର୍ଷିଆ ନିଲାମ ଦିଆଯାଇଥିଲା । କଳଦୀପ ମୌଜାର ୨୦୪ ନମ୍ବର ଖାତା ୫ ନମ୍ବର ପ୍ଲଟର ମୋଟ ୩୧ ଏକର ୨୭ ଡିସିମିଲି ଜମି ଭିତରୁ ମାତ୍ର ୬ ଏକର ୪୫ ଡିସିମିଲି ଲିଜ୍ ସୂତ୍ରରେ ପ୍ରଦାନ କରାଯାଇଥିଲା । ବର୍ଷକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ବାଲି ସେଠାରୁ ଉତ୍ତୋଳନ ହୋଇପାରିବ, ତାହା ପୁଣି ଲିଜ୍ ଏରିଆର ସୀମା ଭିତରୁ କିନ୍ତୁ ସମସ୍ତ ନୀତି ନିୟମକୁ ଫୁ କରି ଲିଜ୍ ଏରିଆ ବାହାରୁ ଉଠୁଛି ହଜାର ହଜାର ଟ୍ରିପ୍ ବାଲି ।

ଡ୍ରୋଜର ଓ ଜେସିବି ମେସିନ୍ ସାହାଯ୍ୟରେ ଲୋକଙ୍କ ବ୍ୟକ୍ତିଗତ ଜମିରୁ ମଧ୍ୟ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ ହୋଇଛି । ଅଧିକ ଗଭୀର କରି ଏବଂ ଅଧିକ ଏରିଆରୁ ବାଲି ଉତ୍ତୋଳନ ଫଳରେ ମହାନଦୀ ଦୁଇ ପାର୍ଶ୍ୱରେ ଅତଡ଼ା ଧସି ଚାଲିଛି ଲୋକଙ୍କ ଚାଷ ଜମି, ବଗିଚା, ଗୋଚର ଜମି ନଦୀ ଗର୍ଭରେ ଲୀନ ହୋଇଗଲାଣି । ଯେଉଁଥିପାଇଁ ବଡ଼ପାଳ, ପଥୁରିଆ, ପରମାନନ୍ଦପୁର ସମେତ ୫ ଖଣ୍ଡ ମୌଜାର ଲୋକେ ଅତିଷ୍ଠ ହୋଇପଡିଲେଣି ।

ପ୍ରଶାସନର ସଲାସୁତୁରାରେ କୋଟି କୋଟି ଟଙ୍କା ରାଜସ୍ୱ ଲୁଟୁଛନ୍ତି ମାଫିଆ । ହେଲେ ପ୍ରତିବାଦ କଲେ ଗାଁ ଲୋକଙ୍କୁ ମିଳୁଛି ଧମକ ଚମକ । ବେଧଡକ୍ ଭାବେ ଲିଜ୍ ଏରିଆ ବାହାରେ ବାଲି ଉତ୍ତୋଳନକୁ ନେଇ ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଭିନ୍ନ ସମୟରେ ତହସିଲଦାର, ଜିଲ୍ଲାପାଳ, ବିଧାୟକଙ୍କୁ ଚିଠି ଲେଖି ଗୁହାରି କରିଛନ୍ତି । କିନ୍ତୁ କେହି କର୍ଣ୍ଣପାତ କରୁନଥିବାରୁ ନିରାଶ ହୋଇ ଏବେ ଆନ୍ଦୋଳନ ପାଇଁ ସଜବାଜ ହେଲେଣି ।

କଳଦୀପ ମୌଜାର ବିଶ୍ୱନାଥ ମଲ୍ଲ ଆରଟିଆଇରେ ଏ ସମ୍ପର୍କିତ ତଥ୍ୟ ମାଗିଥିଲେ । ତେବେ ତାଙ୍କୁ ସଠିକ୍ ତଥ୍ୟ ଦିଆଯାଇନଥିବା ସେ ଅଭିଯୋଗ କରିଛନ୍ତି । ଏମିତିକି ତାଙ୍କୁ ବାଲି ମାଫିଆ ମାନେ ଧମକ ଚମକ ଦେଉଥିବା ସେ ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ବାଲି ମାଫିଆ ଓ ସରକାରୀ ଅଧିକାରୀଙ୍କ ମିଲିଭଗତ ଯୋଗୁଁ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ଅନ୍ୟପଟେ ମାଲାମାଲ୍ ହେଉଛନ୍ତି ମାଫିଆ ଓ ଦୁର୍ନୀତିଖୋର ଅଧିକାରୀ । ତହସିଲଦାରଙ୍କୁ ପଚାରିଲେ ସେହି ଚିରାଚରିତ ଉତ୍ତର, ତଦନ୍ତ କରିବେ, ଅନିୟମିତତା ଥିଲେ କାର୍ଯ୍ୟାନୁଷ୍ଠାନ ନେବେ ।