• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରଥମେ ସରକାରୀ ଚାଉଳ ଗୋଦାମରୁ କୋଟି କୋଟି ଟଙ୍କାର ଚାଉଳ ଚୋରି କରିନେଲେ, ତାପରେ ପ୍ରମାଣ ନଷ୍ଟ ପାଇଁ ଗୋଦାମରେ ନିଆଁ ଲଗାଇଦେଲେ । ଆଉ ନିଆଁ ଲାଗିବାର କାରଣ ଖୋଜୁ ଖୋଜୁ ପଦାକୁ ଆସିଲା ସତ । ଯାଞ୍ଚ ପରେ ଗୋଦାମରେ ୧୦ ହଜାର କୁଇଣ୍ଟାଲ ଚାଉଳ କମ୍ ଥିବା ଜଣାପଡିଲା । ଏଭଳି ଚାଉଳ ହେରଫେରକୁ ନେଇ ଏବେ ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲା । ବିନିକା ଥାନା ଅରିଗାଁର ପିଇଜି ଗୋଦାମ ଏବେ ବିବାଦରେ ଥିବା ଗୋଦାମକୁ ବିକ୍ରି କରାଯିବା ପରେ ତାଲା ଝୁଲୁଛି ।

ସୁବର୍ଣ୍ଣପୁର ବିନିକା ଥାନା ଅରିଗାଁରେ ଅଛି ଭାରତ ସରକାରଙ୍କ ପିଇଜି ଚାଉଳ ଗୋଦାମ । ଏହିଠାରୁ ହିଁ ଜିଲ୍ଲାର ବିଭିନ୍ନ ଡିଲରଙ୍କ ପାଖକୁ ଯାଇଥାଏ ଚାଉଳ । ଏହି ବିମଳିନୀ ଭାରତୀ ଚାଉଳ ଗୋଦାମରେ ୧୦ ହଜାର ୯୧୩ କୁଇଣ୍ଟାଲ ଚାଉଳ ହେରଫେର୍ ହୋଇଥିବା ଅଭିଯୋଗ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୩୦ ଲକ୍ଷ ଟଙ୍କା ହେବ । ପ୍ରଥମେ ହେରଫେର୍, ପରେ ପ୍ରମାଣ ନଷ୍ଟ ପାଇଁ ଗୋଦାମ ମାଲିକ ଜାଣିଶୁଣି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । କାରଣ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିନିକା ତହସିଲଦାର ଓ ଜିଲ୍ଲା ଯୋଗାଣ ବିଭାଗ ଜଏଣ୍ଟ ଟିମର ତନାଘନା ପରେ ଗୋଦାମରୁ ୧୦ ହଜାର ୯୧୩ କୁଇଣ୍ଟାଲ ଚାଉଳ ଗାଏବ୍ ହୋଇଥିବା ଜଣାପଡିଥିଲା ।

ଅରିଗାଁ ପିଇଜି ଗୋଦାମରେ ଗରିବଙ୍କ ପାଇଁ ଗଚ୍ଛିତ ହଜାର ହଜାର କୁଇଣ୍ଟାଲ ଚାଉଳ ହେରଫେର୍ ଘଟଣାରେ ଗୋଦାମ ମାଲିକ ପ୍ରତାପ ଭାରତୀଙ୍କ ସହ ଯୋଗାଣ ବିଭାଗର ହାତ ଥିବା ଅଭିଯୋଗ ହେଉଛି । ଲୋକଙ୍କ ଦାବି, ଚାଉଳ ଚୋରିର ତଦନ୍ତ କରାଯାଉ । ସେପଟେ ଗୋଦାମରେ ଗତ ୩ ସପ୍ତାହ ହେବ ତାଲା ଝୁଲୁଥିବାରୁ ସେଠାରେ କାମ କରି ପରିବାର ଚଳାଉଥିବା ଶ୍ରମିକ ଚିନ୍ତାରେ ପଡିଛନ୍ତି ।

ବିମଳିନୀ ଭାରତୀ ଚାଉଳ ଗୋଦାମରୁ ପ୍ରଥମେ ୧୦ ହଜାର କୁଇଣ୍ଟାଲ ଗାଏବ୍ ହେଲା ପରେ ନିଆଁର ନାଟକ ରଚାଗଲା । ଶେଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପ୍ରତାପ ଭାରତୀଙ୍କଠାରୁ ଚାଉଳ ଆଦାୟ ହୋଇଥିବା ଖୋଦ୍ ଜିଲ୍ଲାପାଳ ଓ ତହସିଲଦାର ସ୍ୱୀକାର କରିଛନ୍ତି । କିନ୍ତୁ ଏବେ ବିବାଦ ଘେରରେ ଥିବା ଗୋଦାମକୁ ଅନ୍ୟ ୩ ଜଣଙ୍କୁ ବିକ୍ରି କରାଯାଇଥିବା ସୂଚନା ଦେଇଛନ୍ତି ତହସିଲଦାର ।

ଚାଉଳ ହଡପ୍ ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ଗୋଦାମର ଚାଉଳ ସଂଗ୍ରହ ନିରୀକ୍ଷକ ମୋହନ ସେଠୀଙ୍କୁ ସସପେଣ୍ଡ କରିଛି ରାଜ୍ୟ ଯୋଗାଣ ନିଗମ । ଏପଟେ ଗତ ୨୦ ଦିନ ହେଲାଣି ବିମଳିନୀ ଭାରତୀ ଓ ତାଙ୍କ ପୁଅ ପ୍ରତାପ ଭାରତୀଙ୍କ ନାଁରେ ଥାନାରେ ମାମଲା ହୋଇଛି, କିନ୍ତୁ ପୋଲିସ ଗିରଫ କରୁନି ।

୨୦୧୭ରେ ସେହି ବିନିକାର ଜାମ୍ପାଲି ଗାଁରେ ଥିବା ଚାଉଳ ଗୋଦାମରୁ ୨ କୋଟି ଟଙ୍କାର ଚାଉଳ ହେରଫେର ନେଇ ଅଭିଯୋଗ ଆସିଥିଲା ଏବେ ଅରିଗାଁ ଗୋଦାମ ମାଲିକଙ୍କ ବିରୋଧରେ ଅଭିଯୋଗ ।