• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାସ୍ତା ନିର୍ମାଣ ପାଇଁ ୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମାଳ ମାଳ ହୋଇ ଫଳକ ଲାଗିଛି । ପ୍ରକଳ୍ପର ସମୟସୀମା ବି ପୂରିଗଲାଣି, କିନ୍ତୁ ରାସ୍ତା କାମ ଆରମ୍ଭ ହୋଇପାରୁନି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଘୋଟାଲାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ । ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇଙ୍କ ସଫେଇ, ବର୍ଷା ପରେ କାମ ଜୋରସୋର ହେବ ।

ଆଳିର ସାନ ଆଙ୍କୋ ଜଳସମ୍ପଦ ବନ୍ଧଠାରୁ କଳଦିଆ ଭାୟା-ଗୋପୀନାଥପୁର, ପୁରିଲୋ କେନାଙ୍ଗ, ଧନେଶ୍ୱରପୁର ପର୍ଯ୍ୟନ୍ତ ପକ୍କା ରାସ୍ତା ପାଇଁ ଟଙ୍କା ମଞ୍ଜୁର ହୋଇଥିଲା । ମୋଟ ୫ କିଲୋମିଟର ୪୬୬ ମିଟର ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨ କୋଟି ୧୭ ଲକ୍ଷ ଟଙ୍କା ଆସିଥିଲା । ୨୦୨୨ ଜାନୁଆରୀ ୧୦ ତାରିଖରୁ କାର୍ଯ୍ୟ ଆରମ୍ଭ ହୋଇ ଅକ୍ଟୋବର ୯ ତାରିଖରେ ସରିବାର ଥିଲା କାର୍ଯ୍ୟ ଅବଧି ସରିଗଲା । ପରେ କିନ୍ତୁ ରାସ୍ତା କାମ ଆରମ୍ଭ ହୋଇପାରିଲାନି । ରାସ୍ତାର ଦୁଇ ସାଇଡ୍ ଖୋଳା ହୋଇ କଂକ୍ରିଟ୍ ହେବ, ବହଳିଆ ପିଚୁ ରାସ୍ତା ହେବା ପାଇଁ ଟଙ୍କା ଆସିଥିଲା, କିନ୍ତୁ କେବେ ରାସ୍ତା କାମ ଆରମ୍ଭ ହେବ ତାର ଉତ୍ତର କାହା ପାଖରେ ନାହିଁ ।

ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲଗାଯାଇଥିବା ଏହି ଫଳକ ଅନୁସାରେ ସମୟସୀମା ସରିଯାଇଛି । ଲୋକଙ୍କ କହିବା ଅନୁସାରେ, କିଛି ଦିନ ତଳେ ରାସ୍ତାର ଦୁଇ ସାଇଡକୁ ଖୋଳିଦେଇ ଛାଡିଦେଲେ କିନ୍ତୁ ରାସ୍ତା କରୁନାହାନ୍ତି । କାର୍ଯ୍ୟର ସମୟସୀମା ସରିଯାଇଥିବାରୁ ଆଗକୁ ଏ ପ୍ରକଳ୍ପ ହେବ ନା ମିଥ୍ୟା ବିଲ୍ କରି ଟଙ୍କା ଖାଇଦେଲେ, ତାକୁ ନେଇ ସନ୍ଦେହ ଉପୁଜିଛି ।

ଜାନୁଆରୀରୁ ଅକ୍ଟୋବର ଗଲା କାମ ଆାରମ୍ଭ ହେଲାନି । କିନ୍ତୁ ଆଳି ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ସଫେଇ, ରାସ୍ତାର ଅପର ପାର୍ଶ୍ୱରୁ କଂକ୍ରିଟ୍ କାମ କରାଯାଉଛି । ବର୍ଷା ଦିନ ପରେ କାମ ଜୋରସୋର ହେବ ।

ଏଠି ପ୍ରଶ୍ନ ଉଠୁଛି, ସମୟସୀମା ଭିତରେ କାହିଁକି ଆରମ୍ଭ ହେଲାନି କାମ ? ଲକ୍ଷେ କି ୨ ଲକ୍ଷ ନୁହେଁ, ୨ କୋଟିର କାମକୁ କାହିଁକି ଠିକରେ କରୁନି ବିଭାଗ ? କାହିଁକି ବିଳମ୍ବ କରୁଛନ୍ତି ଠିକାଦାର ? ଜାନୁଆରୀରୁ ଅକ୍ଟୋବର ପର୍ଯ୍ୟନ୍ତ କଣ ସବୁଦିନେ ବର୍ଷା ହେଉଥିଲା ?

ସାନ ଆଙ୍କୋ ଜଳସମ୍ପଦ ବନ୍ଧଠାରୁ କଳଦିଆ ପର୍ଯ୍ୟନ୍ତ ଏହି ପିଚୁ ରାସ୍ତା କାମ ଶୀଘ୍ର ନହେଲେ ଆନ୍ଦୋଳନ କରିବାକୁ ସଜବାଜ ହେଲେଣି ସ୍ଥାନୀୟ ଗ୍ରାମବାସୀ । ତେବେ କାହିଁକି କାମ ବିଳମ୍ବ ହେଉଛି, ତାର ସରଜମିନ୍ ତଦନ୍ତ ପାଇଁ ଦାବି ହୋଇଛି ।

(ରିପୋର୍ଟ - ବନମାଳି ସାହୁ, ଆଳି)