• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶବ ନଥାଇ ଶ୍ମଶାନ, ମଣିଷ ନଥାଇ କମ୍ୟୁନିଟି ହଲ୍ । ଢେଙ୍କାନାଳ ମ୍ୟୁନିସିପାଲଟି ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଛି । ଢେଙ୍କାନାଳ ମ୍ୟୁନିସିପାଲଟି ଅନ୍ତର୍ଗତ ୧ ନମ୍ବର ୱାର୍ଡରେ ଶ୍ମଶାନ ପାଇଁ ଦୀର୍ଘ ଦିନ ଧରି ଲୋକଙ୍କର ଦାବି ଥିଲା । କାରଣ ପାଖରେ ଶ୍ମଶାନ ନଥିବାରୁ ଲୋକଙ୍କୁ ଅନ୍ତ୍ୟେଷ୍ଟି ପାଇଁ ୫ କିଲୋମିଟର ଯିବାକୁ ପଡ଼େ । ନଚେତ୍ ଖର୍ଚ୍ଚାନ୍ତ ହୋଇ ପୁରୀ ସ୍ୱର୍ଗଦ୍ୱାର ଯାଅଆନ୍ତି ।

ତେବେ ଶ୍ମଶାନ ହେବା ପରେ ଲୋକଙ୍କର ଦାବି ତ ପୂରଣ ହେଲା, କିନ୍ତୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ତିଆରି ହୋଇଥିବା ନୂଆ ମଶାଣିରେ ଗୋଟିଏ ବି ମୃତଦେହ ପୋଡା ହୋଇପାରିଲାନି । ୬ ମାସରୁ ଅଧିକ ସମୟ ହେବ ଏହି ମଶାଣି କାମ ସରିଥିଲେ ମଧ୍ୟ ୱାର୍ଡ ବାସିନ୍ଦାଙ୍କୁ ହସ୍ତାନ୍ତର କରାଯାଇନି । ଫଳରେ ଶ୍ମଶାନ ଭିତରେ ଛୋଟ ବଡ଼ ଗଛ ଉଠି ପରିତ୍ୟକ୍ତ ଅବସ୍ଥା ହୋଇଗଲାଣି ।

କେବଳ ଶ୍ମଶାନ ନୁହେଁ, ଶ୍ମଶାନ ପାଖକୁ ଲାଗି ଏକ ପରିଚୟ କେନ୍ଦ୍ର ବା କମ୍ୟୁନିଟି ହଲ୍ ତିଆରି କରିଛି ମ୍ୟୁନିସିପାଲଟି । ଯେଉଁଥିରେ ଖର୍ଚ୍ଚ ହୋଇଛି ୫ ଲକ୍ଷ ଟଙ୍କା କିନ୍ତୁ ଏଠାରେ ଜନବସତି ନଥିବାରୁ ସ୍ଥାନୀୟ ଲୋକେ ବିରୋଧ କରିଆସୁଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଯେଉଁ ଜାଗାରେ କମ୍ୟୁନିଟି ହଲ୍ ହୋଇଛି, ସେଠାରେ ମାତ୍ର ୪-୫ଟି ପରିବାର କିଛି ମାସ ହେବ ଘର କରି ରହିଛନ୍ତି । ସେଠାରେ ବସ୍ତି ଅଛି ବୋଲି ଦର୍ଶାଇବାକୁ ଜାଗା ମିଶନ୍ ଯୋଜନାର ଏକ ବୋର୍ଡ ଲାଗିଛି । କାହା ସ୍ୱାର୍ଥରେ ଏତେ ଟଙ୍କା ଖର୍ଚ୍ଚ ହୋଇ କମ୍ୟୁନିଟି ହଲ୍ ହୋଇଛି, ତାକୁ ନେଇ ଅସନ୍ତୁଷ୍ଟ ୱାର୍ଡ ବାସିନ୍ଦା ।

ଶ୍ମଶାନ କାମ ସରିବା ପରେ ତାହା ବ୍ୟବହାର ହୋଇପାରୁନଥିବା ସ୍ୱୀକାର କରିଛନ୍ତି ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ । ସେପଟେ ଡ୍ରୋନ୍ ସର୍ଭେ କରାଯାଇ କମ୍ୟୁନିଟି ହଲ୍ ତିଆରି କରାଯାଇଥିବା ସଫେଇ ଦେଇଛନ୍ତି । ପ୍ରଶ୍ନ ଉଠୁଛି, ଯଦି ଏହି ସ୍ଥାନରେ ଜନବସତି ଅଛି ବୋଲି ଦର୍ଶାଯାଇଛି, ତାହେଲେ କୁଆଡେ ଗଲା ଜନବସତି ? ନା ଟଙ୍କା ଚଳୁ କରିବା ପାଇଁ ଏଠାରେ ଜାଗା ମିଶନ୍ ନାଁରେ କାମ କରାଯାଇଛି ? ଯଦି ଯୋଜନା କରାଯାଉଛି, କିନ୍ତୁ କାମରେ ଆସୁନି ତେବେ କାହା ପାଇଁ ହେଉଛି ଯୋଜନା ?

ରାଜଶ୍ରୀ ଶତପଥୀ