• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କ୍ୟାନସର... ଏହା କେବଳ ଏକ ରୋଗ ନୁହେଁ, ଏହା ଏକ ଯୁଦ୍ଧ । ଏହି ଜୀବନ ଯୁଦ୍ଧ ଲଢ଼ି ଲଢ଼ି କେତେ ପରିବାର ତଳିତଳାନ୍ତ ହୋଇଯାଉଛନ୍ତି, ତ ଆଉ କାହାକୁ ଅକାଳରେ ହରାଇବାକୁ ପଡ଼ୁଛି ଜୀବନ । ବେଳ ଥାଉ ଥାଉ ଚିହ୍ନଟ ହୋଇନପାରିଲେ, ଏହା ମାରାତ୍ମକ ଦୁରାରୋଗ୍ୟ । ଏସବୁ ସତ୍ତ୍ୱେ, କର୍କଟ ସହ ମୁକାବିଲା କରି କିଏ ଉଦାହରଣ ସୃଷ୍ଟି କରିଛି, ତ ଆଉ କିଏ ପାଇଛି ସାହସିକତା ପୁରସ୍କାର । ଆଜି ବିଶ୍ୱ କର୍କଟ ଦିବସ ଉପଲକ୍ଷେ, ଏଭଳି କିଛି ନିର୍ଭିକ ଯୋଦ୍ଧାଙ୍କ କାହାଣୀକୁ ନେଇ ଓଟିଭିର ଏହି ସ୍ୱତନ୍ତ୍ର ରିପୋର୍ଟ ।

ସବୁ ବେଳେ ହସ ହସ ମୁହଁ... ମେଳାପି ସ୍ୱଭାବ... ନିର୍ଭୀକ... ଖୁସ୍ ମିଜାଜ୍... । ବାହାରୁ ଦେଖିଲେ ଜାଣିବା ମୁସ୍କିଲ, ସେ ଭିତରେ ଭିତରେ ଲଢ଼ୁଛନ୍ତି ଏକ ହାରି ସାରିଥିବା ଯୁଦ୍ଧ । ସତରେ, ତାଙ୍କ ମେରୁ-ସମ ମନୋବଳକୁ ଶତ ଶତ ସାଲ୍ୟୁଟ୍ । ଶିମିଳିପାଳର ସାହସୀ ରେଞ୍ଜର ଜଗନ୍ନାଥ ପରିଡ଼ା । ବ୍ଲଡ୍ କ୍ୟାନ୍ସର ଫୋର୍ଥ ଷ୍ଟେଜ୍ । ସେ କେବେ ସୁସ୍ଥ ହେବେନି ଜାଣିବି, ଜୀବନକୁ ସାମ୍ନା କରୁଛନ୍ତି ଅମାପ ସାହସର ସହ । ଅନ୍ୟ କେହି ହୋଇଥିଲେ ହୁଏତ ନିରାଶ, ରୁଗ୍ଣ କିମ୍ବା ଶଯ୍ୟାଶାୟୀ ହୋଇସାରନ୍ତାଣି । ମୃତ୍ୟୁ ଆସିବା ଆଗରୁ ଜୀବନ ଯୁଦ୍ଧରେ ହାରି ସାରନ୍ତାଣି ।

ହେଲେ ଜଗନ୍ନାଥ ସତରେ ଜଣେ ଆଶ୍ଚର୍ଯ୍ୟ । ସତେ ଯେମିତି ତାଙ୍କ ରକ୍ତରେ କର୍କଟ ନୁହେଁ, ଫୁର୍ତ୍ତି ଧାଉଁଛି । ଶିମିଳିପାଳ ଅଭୟାରଣ୍ୟର ଚ୍ୟାଲେଞ୍ଜପୂର୍ଣ୍ଣ ଡ୍ୟୁଟି ଭିତରେ ବି କ୍ୟାନସର ଡରକୁ ହରାଇଛନ୍ତି ପୋଡ଼ାଡିହା ରେଞ୍ଜର ଜଗନ୍ନାଥ ପରିଡ଼ା । ଦେହର କ୍ୟାନସରକୁ ପାସୋରି ଦେଇ, ନିଇତି ବର୍ଦ୍ଦି ପିନ୍ଧି ଧାଇଁ ଆସନ୍ତି କର୍ମସ୍ଥଳୀକୁ । ଶିକାରୀଙ୍କ ମୁକାବିଲା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସମର୍ପିତ ଏହି ରେଞ୍ଜରଙ୍କ ସାହସକୁ ନିକଟରେ ପୁରସ୍କୃତ କରିଛି ବନବିଭାଗ ।

ଆଉ ଦୁଇଜଣ କର୍କଟ ବିଜୟୀଙ୍କୁ ମଧ୍ୟ ସଲାମ । ଜଣେ ପରିଣତ ବୟସ୍କ, ଅନ୍ୟ ଜଣେ ଅତ୍ୟନ୍ତ ଗରିବ । ପ୍ରଧାନ ଶିକ୍ଷକ ଭାବେ ଅବସର ନେବା ପରେ ମୁଖ ଗହ୍ୱର କର୍କଟରେ ଆକ୍ରାନ୍ତ ହୋଇଥିଲେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ପଳାସପୁର ଗାଁର ସୁଦାମ ଚରଣ ରାଉତ । ହେଲେ ଏହାକୁ ନଡ଼ରି ପ୍ରାଥମିକ ପର୍ଯ୍ୟାୟରୁ ହିଁ ଚିକିତ୍ସା ଆରମ୍ଭ କରାଇଥିଲେ ସୁଦାମ । ଦୀର୍ଘ ବର୍ଷର ସଂଘର୍ଷ ପରେ ସେ ଏବେ ଫେରିପାଇଛନ୍ତି ନୂଆ ଜୀବନ । ସୁଦାମ ଜିତିଛନ୍ତି, କର୍କଟ ହାରିଛି ।

ସେପଟେ ଥାଇରଏଡ୍ କ୍ୟାନସରରୁ ସୁସ୍ଥ ହେବା ପରେ, ନିଜ ୟୁନିଫର୍ମକୁ ଦେଖି ପୁଣି ଥରେ ସ୍ୱପ୍ନ ଗୋଟାଉଛନ୍ତି କଳାକାହ୍ନୁ ନାୟକ । ପୁଣି ଚାକିରିରେ ଯୋଗଦେବେ ବୋଲି ଆଶା ରଖିଛନ୍ତି ଗଜପତି ଜିଲ୍ଲା ମୋହନା ଢେପାପଦରର ପୂର୍ବତନ ହୋମଗାର୍ଡ । ରୋଗ ସହ ଦୁଇ ବର୍ଷର ଲଢ଼େଇ ଭିତରେ ଚାକିରି ଯାଇଛି, ସଞ୍ଚୟ ସରିଛି... ଏପରିକି ଜିଭରୁ କଥା ଛଡ଼ାଇ ନେଇଛି କ୍ୟାନସର । ହେଲେ ମୃତ୍ୟୁର ଆଁରୁ ଜୀବନ ଫେରିବା ପରେ, ସରକାର ସହାୟତା କଲେ ପୁଣି ଥରେ ସେମାନଙ୍କ ମୁହଁରେ ହସ ଫୁଟିପାରିବ ବୋଲି ଆଶା ରଖିଛନ୍ତି ଏହି ସର୍ବସ୍ୱାନ୍ତ ପରିବାର ।

ତଥ୍ୟ କହୁଛି, ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ ୫୫ ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହେଉଥିବା ବେଳେ, ପ୍ରାୟ ୩ ହଜାର ଜଣଙ୍କର ମୃତ୍ୟୁ ଘଟିଥାଏ । ପ୍ରତି ୧ ଲକ୍ଷ ଲୋକଙ୍କ ଲୋକଙ୍କ ମଧ୍ୟରୁ ବାର୍ଷିକ ହାରାହାରି ୯୨ ଜଣ କର୍କଟ ଆକ୍ରାନ୍ତ ହେଉଥିବା ବେଳେ, ୬୭ ଜଣଙ୍କର ଜୀବନ ଯାଉଛି ।