• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱାର୍ଥପର ସମାଜରେ ନିସ୍ୱାର୍ଥପର ମଣିଷଟିଏ । ପରିଣତ ବୟସରେ ସମାଜ ସେବାରେ ମଗ୍ନ । ପାଇବାର କୌଣସି ଇଚ୍ଛା ନରଖି ଜୀବନ ତମାମ ଖାଲି ଦାନ ହିଁ କରିଆସୁଛନ୍ତି । ନିଜର ମହତ କାର୍ଯ୍ୟକୁ ଗୋପନ ରଖି ନିରନ୍ତର ସେବା କରୁଛନ୍ତି । ନିଜ କଷ୍ଟ ଉପାର୍ଜିତ ସମ୍ପତ୍ତିକୁ ଦାନ କରି ଗରିବ, ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଉଛନ୍ତିସମ୍ବଲପୁରର ୮୫ ବର୍ଷୀୟ ଡାକ୍ତର ନାରାୟଣୀ ପଣ୍ଡା । ମହିଳା ଦିବସରେ ଜାଣିବା ଜଣେ ବଦାନ୍ୟ ମହିଳାଙ୍କ କାହାଣୀ ।

ସମ୍ବଲପୁର ସହରର ଡାକ୍ତର ନାରାୟଣୀ ପଣ୍ଡା ୮୫ ବର୍ଷ ବୟସରେ ପାଦ ଦେଲେଣି, ହେଲେ ଏବେ ବି ଲୋକଙ୍କ ସେବା ପାଇଁ ତତ୍ପର । ଚାକିରି ସମୟରେ ଅନେକ ଲୋକଙ୍କ ସେବା ଶ୍ରୁଶୁଷା କରିଛନ୍ତି । ଚାକିରିରୁ ଅବସର ନେବା ପରେ ବି ସେବା ଜାରି ରଖିଛନ୍ତି । ଖାଲି ସେତିକି ନୁହେଁ, ବିଭିନ୍ନ ସାମାଜିକ ଓ ଶିକ୍ଷାନୁଷ୍ଠାନ ସମେତ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କମିଟି ଓ ରୋଟାରୀ କ୍ଲବ ସଦସ୍ୟା ଭାବେ ସେ ପ୍ରତ୍ୟକ୍ଷ କାର୍ଯ୍ୟ କରୁଛନ୍ତି ।

ଏମିତିକି ନିଜ ଅର୍ଜିତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଜନ ସେବାରେ ଲଗାଇ ଆସିଛନ୍ତି । ଗତବର୍ଷ ସେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ଦାନ କରିଥିଲେ ୩୦ ଲକ୍ଷ ଟଙ୍କା । ଏହି ଟଙ୍କା ଛାତ୍ରଛାତ୍ରୀଙ୍କ କମ୍ପ୍ୟୁଟର ଶିକ୍ଷା ପାଇଁ ବିନିଯୋଗ ହେବ । କେବଳ ଏତିକି ନୁହେଁ, ଏମିତି ଅନେକ କ୍ଷେତ୍ରରେ ଦାନ କରି ସେ ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି ।

ଦିନ ଥିଲା ତାଙ୍କ ଉଚ୍ଚ ଶିକ୍ଷା ପାଇଁ ବାପା ଟଙ୍କା ଖର୍ଚ୍ଚ କରିବାକୁ ସକ୍ଷମ ନ ଥିଲେ । ତେବେ ତାକ୍ତରୀ ପଢିବା ପାଇଁ ସେତେବେଳେ ତାଙ୍କୁ ଗଙ୍ଗାଧର ମେହେର ଶିକ୍ଷାନୁଷ୍ଠାନରୁ ମାସିକ ୨୫ ଟଙ୍କା ଷ୍ଟାଇପେଣ୍ଡ ଯୋଗାଇ ଦିଆଯାଇଥିଲା । ସେହି ଟଙ୍କା ମିଳିନ ଥିଲେ ଆଜି ସେ ଡାକ୍ତରୀ ପଢି ପାରି ନଥାନ୍ତେ ବୋଲି କହିଛନ୍ତି । ନିଜ ଶିକ୍ଷାନୁଷ୍ଠାନ ପାଇଁ କିଛି କରିବାର ସୁଯୋଗ ମିଳିଥିବାରୁ ସେ ଖୁବ ଖୁସି ।

ତାଙ୍କ ସ୍ୱାମୀ ପ୍ରଶାନ୍ତ ମହାନ୍ତିଙ୍କ ଦେହାନ୍ତ ପରେ ସେ ପୁରା ସମୟ ସମାଜ ସେବାରେ କଟାଉଛନ୍ତି । ଘରେ ରୋଗୀ ସେବା ଜାରି ରଖିଥିବା ବେଳେ କିଛିଦିନ ହେବ କୋଭିଡ ପାଇଁ ତାହା ବନ୍ଦ ରହିଛି । ସେ ରହୁଥିବା ୨ ମହଲା ବିଶିଷ୍ଟ କୋଠାଘରକୁ ନିଜ ସମ୍ପର୍କୀୟଙ୍କୁ ନଦେଇ ସର୍ବସାଧାରଣଙ୍କ କାମରେ ସମର୍ପି ଦେବାକୁ ମନସ୍ଥ କରିଛନ୍ତି । ବହୁ କୋଟି ଟଙ୍କା ମୁଲ୍ୟର ତାଙ୍କର କୋଠାଟି ଏକ ପ୍ଲେ ସ୍କୁଲରେ ପରିଣତ ହେବ ।