• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାହାଘର ଠିକ ହୋଇଥିଲା । ଆଉ କିଛିଦିନ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥାଆନ୍ତେ । ନାଲି ଓଢ଼ଣୀ ଟାଣି ବେଦୀରେ ବସିଥାଆନ୍ତେ । ମାତ୍ର ବିଧିର ବିଧାନ ଥିଲା ଅଲଗା କିଛି । କ୍ଷଣିକରେ ସବୁ କିଛି ଓଲଟ ପାଲଟ ହୋଇଗଲା । କେନ୍ଦୁଝର ରଥଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇ ଗୋଟିଏ ହାତ ହରାଇବାକୁ ପଡିଲା । ଗୋଟିଏ ଗୋଡ ବି ଭାଙ୍ଗିଗଲା । ଏବେ ଘର କୋଣରେ ପଡ଼ି ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି କେନ୍ଦୁଝର ଟାଉନ ଥାନା ଅର୍ନ୍ତଗତ ଘୁଟୁର ଗାଁର ଯମୁନା ନାଏକ ।

ବାପା, ମାଙ୍କର ଏକମାତ୍ର ଝିଅ ଯମୁନା । ପିଲାଟି ଦିନରୁ ଖୁବ୍‌ ଗେହ୍ଲାରେ ବଢ଼ିଛନ୍ତି । ଏଥର ସେ ଗାଁ ପଡିଶା ଲୋକଙ୍କ ସହିତ ରଥଯାତ୍ରା ଦେଖିବାକୁ କେନ୍ଦୁଝର ବଡଦାଣ୍ଡକୁ ଯାଇଥିଲେ । ରଥ ଉପରେ ତିନି ଠାକୁରଙ୍କୁ ଦର୍ଶନ କରି ଆନନ୍ଦ ଉଲ୍ଳାସରେ ଘରକୁ ଫେରୁଥିଲେ ଯମୁନା । ହେଲେ ବାଟରେ ତାଙ୍କ ସହିତ ଘଟିଗଲା ଏକ ବଡ ଦୁର୍ଘଟଣା । ନିଜ ଗାଁ ଘୁଟୁର ଛକ ନିକଟରେ ତାଙ୍କୁ ଏକ ଡାଲା ଅଟୋ ଧକ୍କା ଦେଇଥିଲା । ଫଳରେ ସେ ଛିଟିକି ପଡି ଗୁରୁତର ହୋଇଥିଲେ । ସଙ୍ଗେସଙ୍ଗେ ତାଙ୍କୁ ଲୋକମାନେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତେବେ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କ ଦେଖିବା ପରେ ଅପରେସନ କରିବାକୁ ପଡିବ ବୋଲି କହିଥିଲେ । ଫଳରେ ତାଙ୍କର ଅପରେସନ କରାଯାଇଥିଲା ।

ଅପରେସନ ହୋଇ ସେ ଚେତା ଫେରି ଦେଖିଲା ବେଳକୁ ତାଙ୍କ ହାତ କଟାଯାଇଛି । ତାଙ୍କ ଡାହାଣ ଗୋଡ କାମ କରୁନି । ତାଙ୍କ ଡାହାଣ ଗୋଡରେ ଭାଙ୍ଗି ଯାଇଥିବାରୁ ସେଥିରେ ରଡ ଭର୍ତ୍ତି କରାଯାଇଥିଲା । ଭାଗ୍ୟକୁ ଆଦରି ଡାକ୍ତରଖାନା ବେଡରେ କେବଳ ଲୁହ ଝରାଇବା ବ୍ୟତୀତ ତାଙ୍କ ପାଖରେ ଆଉ କିଛି ନାହିଁ । କିଛିଦିନ ସେଠାରେ ଚିକିତ୍ସିତ ହେବା ପରେ ୩/୪ ଦିନ ହେଲା ଘରକୁ ଫେରିଥିଲେଯ ମୁନା । ଘରର ଅବସ୍ଥା ଅତି ଶୋଚନୀୟ ।

ବାପା ମାଟୁ ନାଏ ଜଣେ ମାନସିକ ବିକୃତ୍ତ ହୋଇଥିବା ବେଳେ ମା ଶାନ୍ତି ଜଣେ ଦିନ ମଜୁରିଆ ଅଟନ୍ତି । ବାପା କିଛି କାମଧନ୍ଦା କରୁନଥିବା ବେଳେ ଶାନ୍ତି କାମଧନ୍ଦା କରି ପରିବାରକୁ ଚଳାଉଥିଲେ । ମାଟି ଛପର ଘରେ ଦିନ ବିତୁଥିବା ବେଳେ ଝିଅର ଚିକିତ୍ସାରେ ଘରେ ଥିବା ସମସ୍ତ ଜିନିଷପତ୍ର ବିକ୍ରି କରିଦେଇଛନ୍ତି । ଏପରକି ଚାଷ କାମ ପାଇଁ ଥିବା ହଳେ ବଳଦକୁ ମଧ୍ୟ ବିକ୍ରି କରି ସର୍ବସ୍ୱାନ୍ତ ହୋଇପଡିଛନ୍ତି । ଏହି ପରିସ୍ଥିତିରେ ଘରେ ବିଦ୍ୟୁତ ନଥିବାରୁ ଫ୍ୟାନ ଚାଲିପାରୁନି । ତେଣୁ ପଡିଶା ଲୋକଙ୍କ ଘରେ ଯମୁନା ଆଶ୍ରୟ ନେଇଛନ୍ତି ।

ଏପରି ସ୍ଥଳେ ବର୍ତ୍ତମାନ ଘରେ କିଛି ନାହିଁ । କିପରି ଘର ଚଳିବ । ଶାନ୍ତିଙ୍କ ମୁଣ୍ଡରେ ଚଡକ ପଡିଛି । ଝିଅର ଔଷଧ ଖର୍ଚ୍ଚ କରିବା ମଧ୍ୟ ତାଙ୍କର ସାମର୍ଥ୍ୟ ନାହିଁ । ତେଣୁ ସରକାରୀ ସହାୟତା ଯୋଗାଇବା ପାଇଁ ଯମୁନା ନିବେଦନ କରିଛନ୍ତି । କିଛିଦିନ ପରେ ଯମୁନାଙ୍କ ବାହାଘର ହୋଇଥାଆନ୍ତା ବୋଲି ତାଙ୍କ ମା କହିଛନ୍ତି । ହେଲେ ନିୟତିକୁ ଆଉ କିଛି ମଞ୍ଜୁର ଥିଲା । ତେଣୁ ତାଙ୍କ ଏପରି କରିଛି ।