• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖଟ ଉପରେ ଦୀର୍ଘ ବର୍ଷ ଧରି ପଡ଼ି ରହିଛନ୍ତି ସ୍ୱାମୀ ଦେବତା । ଘରର ରୋଜଗାରିଆର ମଣିଷ ଆଜି ସମ୍ପୂର୍ଣ୍ଣ ବେସହାରା । ସ୍ୱାମୀକୁ ବଞ୍ଚାଇବା ପାଇଁ ସ୍ତ୍ରୀ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି । ହେଲେ ସେ ଏକା ବା କ’ଣ କରିବେ, ମୁହଁ ଲୁଚେଇ କାନ୍ଦିବା ହିଁ ସାର ହେଉଛି । ଆଉ ଏଇ ଲୁହ ପଛରେ ଲୁଚି ରହିଛି ସ୍ୱାମୀଙ୍କ ଶଯ୍ୟାଶାୟୀ ହେବାର କରୁଣ କାହାଣୀ l ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ୱାମୀଙ୍କ ଏଭଳି ଅବସ୍ଥା ଦେଖି କେଉଁ ପତ୍ନୀ ବା ସମ୍ଭାଳି ପାରିବ l ଗୋଟିଏ ପଟେ ସ୍ୱାମୀଙ୍କ ଏଭଳି ଅବସ୍ଥା ଅନ୍ୟପଟେ ୨ ପିଲାଙ୍କ ଭବିଷ୍ୟତ ଏବେ ଅନୁପମାଙ୍କ ପାଇଁ ଚିନ୍ତାର କାରଣ l ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ ଜାମୁସାହି ଗାଁର ।

୩୮ ବର୍ଷିୟ ଶିଶିର ରାଉତ ୬ ବର୍ଷ ହେବ ସ୍ପାଇନାଲ ରୋଗରେ ପୀଡ଼ିତ l ୩ ବର୍ଷ ହେଲାଣି ଏମିତି ଶଯ୍ୟାଶାୟୀ l ଦିନକୁ ଦିନ ସେ ଶୁଖି ଯାଇ ପତଳା ହେଉଛନ୍ତି l ନାଁ ନିଜେ ଗଣ୍ଡେ ଖାଇପାରୁଛନ୍ତି,ନାଁ ଚାଲିପାରୁଛନ୍ତି l ଚାଲିବା ତ ଦୂରେ ଥାଉ କଥା ପଦେ କହିବାକୁ ବି ଜୁ ନାହିଁ l ଘରର ଏକମାତ୍ର ରୋଜଗାରିଆ ଥିଲେ ଶିଶିର l ହେଲେ ୬ ବର୍ଷ ହେବ ରୋଗରେ ପୀଡ଼ିତ ହୋଇ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି l ପ୍ରତି ମୁହୂର୍ତ୍ତରେ ପତ୍ନୀ ଧର୍ମ ପାଳୁଛନ୍ତି ପତ୍ନୀ l ଘର ଚଳିବାକୁ ପାଖରେ ଟଙ୍କା ଟିଏ ନାହିଁ l

କଥାରେ ଅଛି ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ କୁଟୁମ୍ବବଙ୍କୁ ସାଙ୍ଗରେ ନେଇ ଆସେ l କାରଣ ଏ ଦୁଃଖ କେବଳ ଶିଶିରଙ୍କ ପାଇଁ ନୁହେଁ, ତାଙ୍କ ପରିବାର ପାଇଁ l ଘରେ ଏବେ ଚୁଲି ଜଳିବା ବନ୍ଧ ହେଇଯାଉଛି l ସବୁ ଦିନ ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ମଧ୍ୟ ପରିବାର ପାଖରେ ଟଙ୍କା ନାହିଁ l ଏଣେ ପିଲାଙ୍କ ଭବିଷ୍ୟତ କଥା ପଚାରେ କିଏ l ପିଲାଙ୍କ ପାଠପଢିବା ଏକ ପ୍ରକାର ଠପ ହୋଇଗଲାଣି l

ସକାଳୁ ସଞ୍ଜ ଆଉ ସଞ୍ଜରୁ ସକାଳ ଖଟ ଉପରେ ଶୋଇବାକୁ ଶିଶିରଙ୍କୁ ଯେପରି ବିଧିର ବିଧାନ ବାଧ୍ୟ କରିଛି l ଖଟ ଉପରେ, ଘରର ଚାରି କାନ୍ଥ ମଧ୍ୟରେ ଏମିତି ପଡ଼ି ରହିଛନ୍ତି l ଶିଶିର ଏବେ ବଞ୍ଚିଛନ୍ତି ସିନା ହେଲେ ପ୍ରତ୍ୟେକ ସମୟରେ ମରଣ ସହ ଲଢ଼େଇ କରୁଛନ୍ତି l ସେ ସବୁ ଜାଣୁଛନ୍ତି ହେଲେ ହତଭାଗ l

ଦିନ ଥିଲା ମିସ୍ତ୍ରୀ ଭାବେ କାମ କରି ହସ ଖୁସିରେ ପରିବାର ଚଳାଉଥିଲେ l ଯୁବାବସ୍ଥାରେ ଅନୁପମା ରାଉତଙ୍କୁ ବିବାହ କଲେ l ବୈବାହିକ ଜୀବନ ୫ ବର୍ଷ ଭଲରେ କଟିଲା l ଶିଶିର ଏବଂ ପତ୍ନୀଙ୍କ ଔରଶରୁ ଝିଅ ଏବଂ ପୁଅ ଜନ୍ମ ହୋଇଛନ୍ତି l ପରେ ହଠାତ ମାତ୍ର ୩୨ ବର୍ଷରୁ ସ୍ପାଇନାଲ ରୋଗରେ ପୀଡ଼ିତ ହେଲେ ଶିଶିର l ରୋଗ ଭଲ କରିବାକୁ ନୟାଗଡ଼ରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ କଟକ ଆଦି ସ୍ଥାନ ବୁଲିଛନ୍ତି ପତ୍ନୀ l ପରିବାର ଲୋକଙ୍କୁ ନେଇ ସ୍ୱାମୀଙ୍କ ଚିକିତ୍ସା ପାଇଁ ପ୍ରାଣପ୍ରଣେ ଉଦ୍ୟମ କରିଛନ୍ତି ସେ l

ହେଲେ ଆଉ କେତେ ବା ବୁଲିବେ l ଘରର ଆର୍ଥିକ ମେରୁଦଣ୍ଡ ଥିବା ଶିଶିରଙ୍କ ଦେହ ଖରାପ ପାଇଁ ଘରକୁ ଆସୁଥିବା ଟଙ୍କା ବନ୍ଦ ହେଇଗଲା l ଆଉ ବାର ବାର ମେଡିକାଲ ନେବା ପରିବାର ଲୋକଙ୍କ ପକ୍ଷେ ସମ୍ଭବ ହେଲା ନାହିଁ l ବାପ ଘର ସାହାଯ୍ୟରେ ଅନୁପମା ନିଜ ପରିବାର କଷ୍ଟେମଷ୍ଟେ ଚଳାଉଥିଲେ l ହେଲେ ବାପା ଘର ସବୁବେଳେ ଦେବାକୁ ଅସମର୍ଥ ହେଲେ l ଏବେ ଭାଗ୍ୟକୁ ଆଦରି ଭଗବାନଙ୍କ ସାହା ଭରସାରେ ପରିବାର l

ତେବେ ଶିଶିରଙ୍କ ଉତ୍ତମ ଚିକିତ୍ସା ଏବଂ ପରିବାରକୁ ସହାୟତା ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରାଯାଇଛି । ଖୁବଶୀଘ୍ର ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ନିର୍ଭର ପ୍ରତିଶୃତି ଦେଇଛନ୍ତି ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ l