• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତେଲକୋଇ( ଚିନ୍ମୟ କୁମାର ସାହୁ) : ଜୀବନ ନେଇଗଲେ ରାସନ କାର୍ଡ । ରାସନ କାର୍ଡ ହଜିଯିବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭୟଙ୍କର ଝଗଡା ହୋଇଥିଲା । ଆଉ ଝଗଡ଼ାର ୭ ଦିନ ପରେ ଗାଁ ପାଖ ଜଙ୍ଗଲରୁ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ସ୍ତ୍ରୀଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ତେଲକୋଇ ଥାନା ଜଗମୋହନପୁର ଗାଁ ରେ ।

ଜଗମୋହନପୁର ମୁଣ୍ଡା ସାହିର ଦିନ ମଜୁରିଆ ଶଙ୍କର ମୁଣ୍ଡାଙ୍କ ସ୍ତ୍ରୀ ଗୁରୁବାରୀ ମୁଣ୍ଡା ଗତ ସୋମବାର ପିଡ଼ିଏସ ଚାଉଳ ଆଣିଲା ବେଳେ ରାସନ କାର୍ଡକୁ କେଉଁଠି ହଜାଇ ଦେଇଥିଲେ ୧ ରାସନ କାର୍ଡ ନଥିଲେ ଚାଉଳ ମିଳିବ ନାହିଁ ଏହି ଆଶଙ୍କାରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହୋଇଥିଲା । ତା ପରଦିନ ଅର୍ଥାତ ମଙ୍ଗଳବାର ଦିନ ସକାଳେ ଶଙ୍କର ତା ସ୍ତ୍ରୀ ଗୁରୁବାରୀଙ୍କୁ ବହୁ ଜୋରରେ ପାଟି କରିଥିଲା । ଶଙ୍କର କାମକୁ ଗଲାପରେ ଗୁରୁବାରୀ ଘରୁ କେଉଁଆଡେ ପଳାଇଥିଲେ ।

ଶଙ୍କର ଘରକୁ ଆସି ସ୍ତ୍ରୀକୁ ଖୋଜାଖୋଜି କରିଥିଲେ । ହେଲେ ବାପ ଘରକୁ ସ୍ତ୍ରୀ ଗୁରୁବାରୀ ପଳାଇଥିବ ଭାବି ନିଜ କାମରେ ଲାଗି ପଡ଼ିଥିଲେ । ତେବେ ଗତକାଲି ସାହିଠୁଁ କିଛି ଦୂରରେ ଥିବା ନମହୁଳି ଜଙ୍ଗଲରେ ଜଣେ ମହିଳା ଝୁଲନ୍ତା ଅବସ୍ଥାରେ ଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଝୁଲନ୍ତା ମହିଳାଙ୍କ ଶବ ଶଙ୍କର ସ୍ତ୍ରୀ ଗୁରୁବାରୀଙ୍କ ବୋଲି ଜଣାପଡିଥିଲା । ଗୁରୁବାରୀଙ୍କ ଶବ ଗଳିତ ଅବସ୍ଥାରେ ପୋଲିସ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ରାସନ କାର୍ଡକୁ ନେଇ ଝଗଡା ପରେ ସ୍ତ୍ରୀ ଗୁରୁବାରୀ ଆତ୍ମହତ୍ୟା କରିଛି ବୋଲି ସ୍ୱାମୀ ଶଙ୍କର କହୁଥିଲା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।