• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଯୁଆଡେ ଦେଖିବେ, ଯେମିତି ଦେଖିବେ ଖାଲି ପାଣି ଆଉ ପାଣି । ଆଖି ଯେତେ ବାଟ ଦେଖିପାରୁଛି ସେତେ ବାଟ ଖାଲି ପାଣି ଆଉ ପାଣି । ହେଉ ନଥିଲା ହେଉ ନଥିଲା ଏମିତି ବର୍ଷା ହେଲା ଯେ ତଳିଆକୁ ପୂରା ବୁଡେଇ ଦେଲା । ଜୀବନ ବଞ୍ଚାଇବାକୁ କିଏ ଘର ଛାଡି ପଳାଉଛି ତ ଆଉ କିଏ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଉଛି । ଦିନରେ ଯାହା ଯେମିତି ଚଳିଯାଉଛି ହେଲେ ସଞ୍ଜ ନଇଁଲେ ଅକଲ ପୂରା ଗୁଡୁମ ହେଉଛି । ବନ୍ୟା ପାଣିରେ ସାପ, ବେଙ୍ଗଙ୍କ ସହ କରିବାକୁ ପଡୁଛି ସଂଘର୍ଷ ।

ବୈତରଣୀ ବଢିବା ପରେ ଭଦ୍ରକ ଏବେ ଉବୁଟୁବୁ । ବିଶେଷକରି ମଣିନାଥପୁର, ଷୋଳମପୁର, ଖପୁରିଆ, ଭଣ୍ଡାରୀପୋଖରୀ ଆଦି ଅଂଚଳର ଅବସ୍ଥା ପୂରା ସଙ୍ଗୀନ ହେଲାଣି । କେଉଁଠି ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି ତ ଆଉ କେଉଁଠି ପେଟେ । ଜୀବନ ଏବେ ଏମାନଙ୍କ ଲାଗି ଦୁର୍ବିସହ ହୋଇ ପଡିଛି ।

କାହାର କାହାର ଘର ପାଖକୁ ପାଣି ପହଞ୍ଚିବାରୁ ଛେଳିକୁ କାଖେଇ ସୁରକ୍ଷିତ ସ୍ଥାନକୁ ପଳାଇ ଯାଉଛନ୍ତି । କାରଣ କେତେବେଳେ ଘର ଭିତରେ ପାଣି ପଶିବ ସେକଥା କେହି କହିପାରିବେ ନାହିଁ । ଭଦ୍ରକ ଧାମନଗର ଦୋବଲରେ ବନ୍ୟା ପାଣି ମାଡ଼ି ଆସିବାରୁ ବିଶ୍ୱ ଦରବାର ଯାତ୍ରା ପେଣ୍ଡାଲରେ ବି ପାଣି ପଶିଯାଇଛି । ଆଜିଠୁ ଏଠାରେ ଯାତ୍ରା ଚାଲିଥାଆନ୍ତା । ଶହଶହ ଲୋକ ଯାତ୍ରା ଦେଖିଥାଆନ୍ତେ ହେଲେ ଏବେ ପେଣ୍ଡାଲ ଭିତରେ ପାଣି ଭରି ହୋଇ ରହିଛି । ତେଣୁ ଯାତ୍ରା ପ୍ରେମୀ ବି ନିରାଶ ।

ବନ୍ୟାସ୍ଥିତି ଏତେ ସଙ୍ଗୀନ ଯେ ଆଖିରେ ନଦେଖିଲେ ବିଶ୍ୱାସ ହେବନି । ଶହଶହ ଲୋକ ପାଣି ଘେରରେ ରହିଥିବା ବେଳେ ଅନେକ ଏବେ ବି ଭୋକ ଉପାସରେ ରହିଛନ୍ତି । କାହା ଘରେ ଚୁଲି ଜଳୁଛି ତ ଆଉ କାହା ଘରେ ଜଳୁନି । ପ୍ରତିବର୍ଷ ବୈତରଣୀ ଭଦ୍ରକକୁ ବୁଡାଉଛି । ହେଲେ ସ୍ଥାୟୀ ପ୍ରତିକାରର କୌଣସି ବ୍ୟବସ୍ଥା ହେଉନି । ଯାହାକୁ ନେଇ ବିଶେଷ କରି ଭଣ୍ଡାରୀପୋଖରୀ ବ୍ଲକ୍‌ର ଲୋକଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ ।

 

  • Reported by:
  • Partha Sarathi nayak