• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆପଡା: ପଡ଼ିଆ ଜମିରେ ହସୁଛି ସୁନାର ଫସଲ । ଯୁଆଡ଼େ ଚାହିଁଲେ ଦଶୁଛି ସବୁଜ ସବୁଜ । ନିଜ ହାତରେ ଦୁବ କଅଁଳୁ ନଥିବା ଜମିକୁ ଅମଳକ୍ଷମ କରିପାରିଛନ୍ତି ତପସ୍ୱିନୀ । ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଅଧ୍ୟକ୍ଷା । ଚାଷ ଏବେ ତାଙ୍କୁ ଦେଇଛି ନୂଆ ପରିଚୟ । ଯେଉଁ ମାଟିରେ ଦିନେ ଘାସ ବି ହେଉନଥିଲା, ସେ ମାଟିରେ ଏବେ କଦଳୀ, ସଜନା, ଆମ୍ବ, ପଣସ, ତଥା ପନିପରିବାରେ ହସୁଛି । ଜଣେ ମହିଳା ମହିଳା ଚାଷୀଙ୍କ କାହାଣୀ ।

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଧ୍ୟକ୍ଷା ତପସ୍ୱିନୀ ମାଝି । କାମରୁ ଟିକିଏ ଫୁରସତ୍ ମିଳିଲେ, କୋଡିକୋଦାଳ ଧରି ନିଜ ଚାଷ ଜମିକୁ ଚାଲି ଯାଆନ୍ତି । ତାଙ୍କର ଉଦ୍ୟମ ଯୋଗୁଁ ଏବେ ହସୁଛି ସବୁଜିମା । ଦିନେ ଚିନ୍ତା କଲେ ନିଜ ଗାଁ ପେଣ୍ଡରେନରେ ତାଙ୍କର ଅନେକ ଜମି ଅଛି । କିନ୍ତୁ ଚାଷବାସ ନ ହୋଇ ପଡିଆ ପଡୁଛି । ଜମି ଏମିତି ଥିଲା ସେଠାରେ ଦୂବଘାସଟିଏ ବି କଅଁଳୁ ନ ଥିଲା । ସେ ଜମିରେ ସେ ଏବେ ସୁନା ଫଲାଇଛନ୍ତି । ନିଜ ବ୍ୟାଙ୍କ ଅଧୀକାରୀ ସ୍ୱାମୀ ତାଙ୍କୁ ସହଯୋଗ କଲେ । ପ୍ରାୟ ୨୨ ଏକର ଜମିରେ ୩୦୦୦ କଦଳୀ ଗଛ. ୩୦୦ ସଜନା ଗଛ, ୪୦୦ ଆମ୍ବଗଛ,ପଣସଗଛ ଏମିତି ଅନେକ ଗଛ ଲଗାଇଛନ୍ତି । ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଛନ୍ତି ।

ପ୍ରାୟ ବର୍ଷେ ହେବ ଏ ଚାଷ କାର୍ଯ୍ୟରେ ଲାଗି ପଡିଛନ୍ତି ତପସ୍ୱିନୀ । ଦିନ ଥିଲା ତାଙ୍କ ଗାଁରୁ ଅନେକ ପରିବାର କାମଧନ୍ଦା ଅବାବରୁ ବାହାର ରାଜ୍ୟକୁ ଚାଳି ଯାଉଥିଲେ । ହେଲେ ଏବେ ତପସ୍ୱିନୀ ନିଜ ଅଂଚଳର ୧୦ ପରିବାକୁ ନିଜ ଚାଷବାସ କାମରେ ଲଗାଇ ସେମାନଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି । ନିଜ ଗାଁରେ କାମ ପାଇ ଲୋକେ ବି ଖୁସିରେ ଅଛନ୍ତି ।

ବିଭିନ୍ନ ସମୟରେ ଉଦ୍ୟାନ ବିଭାଗର ଅଧିକାରୀମାନେ ତପସ୍ୱିନୀଙ୍କ ଚାଷବାସ ଦେଖି ଯାନ୍ତି । ତାଙ୍କୁ ଚାଷବାସର ନୂତନ ଜ୍ଞାନକୌଶଳ ବୁଝାଇଥାନ୍ତି । ତାଙ୍କୁ ଅନ୍ୟ ମହିଳାମାନେ ଅନୁକରଣ କରିବାକୁ ଅନୁରୋଧ କରିଛନ୍ତି ନୂଆପଡା ଉଦ୍ୟାନ ବିଭାଗ ଅଧିକାରୀ । ବାସ୍ତବିକ୍ ତପସ୍ୱିନୀ ଜଣେ ସଫଳ ରାଜନେତା ହେବା ସହ ଜଣେ ସଫଳ ମହିଳା ଚାଷୀ । ସେ ଅନ୍ୟ ମହିଳାଙ୍କ ପାଇଁ ଏକ ଉଦାହରଣ ।