/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684031746.jpg)
Mother Donate Kidney to Son
ମା’ ତା ଛୁଆର ସୁରକ୍ଷା ପାଇଁ କିଛି ବି କରିପାରେ । ଯେଉଁ ଛୁଆକୁ ୯ ମାସ ୧୦ଦିନ ଗର୍ଭରେ ଧାରଣ କରି ଜନ୍ମଦିଏ, ଦରକାର ପଡ଼ିଲେ ତା ପାଇଁ ଜୀବନ ବି ଦେବାକୁ ପଛାଏ ନାହିଁ । ଆଜି ବିଶ୍ୱ ମାତୃ ଦିବସରେ ଦେଖିବା ଏମିତି ଜଣେ ମାଆର କାହାଣୀ ଯିଏ ନିଜ ପୁଅକୁ ବଞ୍ଚାଇବା ପାଇଁ କିଡନୀ ଦେବାକୁ ବି ପଛାଇଲେ ନାହିଁ ।
ମାଆ, ଏକ ଅନାବିଳ ଶବ୍ଦ । ଯେଉଁ ଶବ୍ଦ ଉଚ୍ଚାରଣ କରିବା ମାତ୍ରେ ଝରି ଆସେ ସ୍ନେହ । ଦିନେ ଯିଏ ପିଲାର ହାତ ଧରି ଦୁନିଆ ଦେଖାଇଥିଲା, ଆଜି ସେହି ପିଲାର ଯନ୍ତ୍ରଣା ଦେଖି ଜୀବନକୁ ଜଳାଞ୍ଜଳି ଦେବାକୁ ବି ପଛାଇ ନାହିଁ । ପୁଅର ଜୀବନ ବଞ୍ଚାଇବାକୁ ଯାଇ ନିଜର କିଡନୀକୁ ଦାନ କରିଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରି ଯାଆଁଳା ଗାଁର ରେବତୀ ପ୍ରଧାନ ।
ପରିବାର ବୋଝକୁ ହାଲକା କରିବା ପାଇଁ ଦାଦନ ଖଟି ଯାଇଥିଲେ ବଂଶୀଧର ପ୍ରଧାନଙ୍କ ପୁଅ ବିବେକାନନ୍ଦ। କିଛି ଦିନ କାମ କରିବା ପରେ ହଠାତ ଅସୁସ୍ଥ ହୋଇ ପଡିବାରୁ ଜଣାପଡିଥିଲା ଯେ ତାଙ୍କର ୨ଟି ଯାକ କିଡନୀ ନଷ୍ଟ ହୋଇଯାଇଛି । ଏହା ଶୁଣିବା ପରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ପୁଅର ଜୀବନ ବଞ୍ଚାଇବାକୁ ଆଗକୁ ଆସିଥିଲେ ମାଆ ରେବତୀ । ନିଜର ଗୋଟିଏ କିଡ଼ନୀ ଦାନ କରିବା ପରେ ପୁଅ ବିବେକାନନ୍ଦ ନୂଆ ଜୀବନ ପାଇଛି ।
ରେବତୀଙ୍କ ପାଇଁ ଆଜି ଦୁନିଆ ଦେଖୁଛନ୍ତି ବିବେକାନନ୍ଦ । କିଡନୀ ପ୍ରତ୍ୟାରୋପଣ ପରେ ବିବେକାନନ୍ଦ ସୁସ୍ଥ ଥିବା ବେଳେ ରେବତୀ ବେଶ ଖୁସି। ଯାହାକୁ ଦେଖି ରେବତୀଙ୍କୁ ପ୍ରଶଂସା କରୁଛନ୍ତି ସାହି ପଡିଶା ।
ଏ ଦୁନିଆରେ ମାଆ ହିଁ ସବୁ କିଛି । ପୁଅର ଜୀବନ ବଞ୍ଚାଇବାକୁ ଯାଇ ରେବତୀ ଯାହା କଲେ ଆଜି ସେ ଅନ୍ୟ ମାଆମାନଙ୍କ ପାଇଁ ପ୍ରେରଣା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)