Advertisment

ଫ୍ୟାମିଲି ପ୍ଲାନିଂ ଅପରେସନ୍‌ ପାଇଁ ଯାଇଥିଲେ ମହିଳା, ହେଲେ ଚାଲିଗଲା ଜୀବନ...

ଜନ୍ମ ନିୟନ୍ତ୍ରଣ ପାଇଁ ଅପରେସନ କରାଇଲେ, ହେଲେ ଚାଲିଗଲା ମହିଳାଙ୍କ ଜୀବନ। ଭଦ୍ରକ ଜିଲ୍ଲାରୁ ଏହି ଅଭିଯୋଗ ଆସିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman dies after tubectomy operation in Bhadrak

Woman dies after tubectomy operation in Bhadrak

କାଳ ହେଲା କି ପରିବାର ନିୟୋଜନ ଅପରେସନ ? ଜନ୍ମ ନିୟନ୍ତ୍ରଣ ପାଇଁ ଅପରେସନ କରାଇଲେ, ହେଲେ ଚାଲିଗଲା ମହିଳାଙ୍କ ଜୀବନ। ଭଦ୍ରକ ଜିଲ୍ଲାରୁ ଏହି ଅଭିଯୋଗ ଆସିଛି। ମୃତକ ହେଲେ ରାଉତରାୟପୁରର ହୃଷିକେଶ ବେଜଙ୍କ ଝିଅ ଜୟନ୍ତୀ ବେଜ। ତାଙ୍କ ସ୍ୱାମୀଙ୍କ ନାଁ ଶତ୍ରୁଘ୍ନ ବାରିକ। ଉଭୟଙ୍କ ଏକ ପୁଅ ଅଛି।

Advertisment

ସୂଚନା ଅନୁସାରେ, ପରିବାର ନିୟୋଜନ ପାଇଁ ଗତ ୨୫ ତାରିଖରେ ବରପଦାରେ ହୋଇଥିବା ଶିବିରରେ ଜୟନ୍ତୀଙ୍କ ଅପରେସନ କରାଯାଇଥିଲା। କିନ୍ତୁ ଘରକୁ ଫେରିବା ପରେ ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପ୍ରଥମେ ଆଗରପଡ଼ା ହସ୍ପିଟାଲ, ପରେ ପରେ ଭଦ୍ରକ ଓ କଟକ ନିଆଯାଇଥିଲା। କିନ୍ତୁ କଟକରେ ଆଖି ବୁଜିଛନ୍ତି ଜୟନ୍ତୀ। ସେଠାରେ ରହି ଚିକିତ୍ସିତ ହେଉଥିବାବେଳେ ୨୭ ତାରିଖ ଦିନ କଟକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅପରେସନ୍ ସମୟରେ ପରିସ୍ରା ନାଡ଼ି କଟିଯାଇଥିବା ଡାକ୍ତର କହିଥିବା ପରିବାର ଲୋକେ କହିଛନ୍ତି। ଡାକ୍ତରଙ୍କ ଖାମଖିଆଲି ଓ ଭୁଲ୍‌ ଅପରେସନ ଯୋଗୁ ଝିଅର ମୃତ୍ୟୁ ହୋଇଛି ବୋଲି ଜୟନ୍ତୀଙ୍କ ବାପା ଅଭିଯୋଗ କରିଛନ୍ତି। ଭଦ୍ରକ ରୁରାଲ ଥାନାରେ ଏତଲା ଦେବା ସହ ଜିଲ୍ଲାପାଳଙ୍କ ନିକଟରେ ସେ ନ୍ୟାୟ ମାଗିଛନ୍ତି। ଅପରେସନ ସମୟରେ ବିଦ୍ୟୁତ୍‌ ନଥିବା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ଏନେଇ ଭଦ୍ରକ ସିଡିଏମ୍‌ଓ କହିଛନ୍ତି, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ। ତା’ପରେ ଯାହା ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ପରିବାର ନିୟୋଜନ ଅପରେସନରେ ବରିଷ୍ଠ ତଥା ଅଭିଜ୍ଞ ଡାକ୍ତର ନିୟୋଜିତ ଥିବାବେଳେ ଏଭଳି ସାଂଘାତିକ ଭୁଲ୍‌ ହେଲା କେମିତି ? ଯେଉଁଥିପାଇଁ ଏକ ନିରୀହ ଜୀବନ ଅକାଳରେ ଚାଲିଗଲା।

Advertisment
Advertisment