/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643204536.jpg)
Woman arrested for trying to buy boy at supermarket
ସାଧାରଣତଃ ଲୋକମାନେ ଜିନିଷ କିଣିବା ପାଇଁ ଦୋକାନ ବଜାରକୁ ଯାଆନ୍ତି। କିନ୍ତୁ ଏମିତି ସପିଂ ସମୟରେ ଜଣେ ମହିଳା କିଛି କିଣିବାକୁ ଚାହୁଁଥିଲେ ଯାହା ବଜାରରେ ବିକ୍ରି ହୁଏ ନାହିଁ। ଦୋକାନ ବଜାରରେ ସପିଂ କରିବା ସମୟରେ, ଏହି ମଧ୍ୟ ବୟସ୍କ ମହିଳା ଜଣକ ଜଣେ ମା’ଠାରୁ ତାଙ୍କ ପିଲାକୁ କିଣିବାକୁ ଚାହୁଁଥିଲେ। ସେହି ମା’ ଜଣକ ମନା କରିବା ସତ୍ତ୍ୱେ ମହିଳା ଜଣକ ତାଙ୍କ ଜିଦ୍ରେ ଅଟଳ ରହିଲେ।
ରେବିକା ଲାନେଟ୍ ଟେଲର ନାମକ ଜଣେ ୪୯ ବର୍ଷ ବୟସ୍କା ମହିଳା ଏକ ଛୋଟ ପିଲା କିଣିବା ପାଇଁ ଜଣେ ମା’ଙ୍କୁ ପାଖାପାଖି ଚାରି କୋଟି ଟଙ୍କା ଯାଚିଥିଲେ। ଏହି ଘଟଣା ଆମେରିକାର ଟେକ୍ସାସ୍ ପ୍ରଦେଶରେ ଦେଖିବାକୁ ମିଳିଥିଲା। ଯେଉଁଠାରେ ଜିନିଷ ପତ୍ର କିଣି ବିଲ୍ ପୈଠ କରିବାକୁ ଧାଡିରେ ଠିଆ ହୋଇଥିବା ଜଣେ ମହିଳାଙ୍କ ୧ ବର୍ଷର ଶିଶୁକୁ କିଣିବା ପାଇଁ ରେବିକା ଜିଦ୍ ଧରିଥିଲେ।
ସୂଚନା ମୁତାବକ, ରେବିକା ଯେତେବେଳେ ବିଲ୍ ପାଇଁ ଧାଡିରେ ଠିଆ ହୋଇଥିବା ମହିଳାଙ୍କ ହାତରେ ତାଙ୍କ ପିଲାକୁ ଦେଖିଥିଲେ, ସେତେବେଳେ ସେ ତା’ର ଖୁବ ପ୍ରଶଂସା କରିବା ଆରମ୍ଭ କରିଥିଲେ। ସେ ପ୍ରଥମେ ପିଲାଟିର ସୁନ୍ଦର ସୁନେଲି କେଶ ଏବଂ ନୀଳ ଆଖିକୁ ପ୍ରଶଂସା କରିଥିଲେ। ଏହାପରେ ସେ ମହିଳା ଏହି ପିଲାଟିକୁ କେତେ ଟଙ୍କାରେ ବିକିବେ ବୋଲି ପଚାରିଥିଲେ।
ପ୍ରଥମେ ରେବିକା ଯେତେବେଳେ ପିଲାଟିକୁ ପ୍ରଶଂସା କରୁଥିଲେ ତାଙ୍କ ମା’ଙ୍କୁ ଲାଗିଥିଲା ଯେ ସେ ବୋଧେ ଥଟ୍ଟା କରୁଥିଲେ। କିନ୍ତୁ ରେବିକା ଯେତେବେଳେ ତାଙ୍କୁ ପିଲାଟିର ଦାମ୍ ବିଷୟରେ ପଚାରିଲେ ଏବଂ ପିଲାଟିକୁ କିଣିବା ନେଇ ତାଙ୍କୁ ପାଖାପାଖି ୪ କୋଟି ଦେବାକୁ ପ୍ରସ୍ତୁତ ବୋଲି କହିଥିଲେ, ଏହା ଶୁଣି ମାଆ ଜଣଙ୍କର ହୋସ୍ ଉଡ଼ିଯାଇଥିଲା।
କେବଳ ଏତିକି ନୁହେଁ, ଯେତେବେଳେ ପିଲାଟିର ମା’ ତାଙ୍କ ଶିଶୁକୁ ବିକିବାକୁ ମନା କରି ଚାଲିଗଲେ, ମହିଳା ଜଣକ ତାଙ୍କ ପଛେ ପଛେ ପାର୍କିଂ ସ୍ଥାନକୁ ମଧ୍ୟ ଗଲେ। ଏହା ପରେ ସେ ବଡ ପାଟିରେ ଚିଲେଇକି କହିଲେ ଯେ ପିଲାଟି ପାଇଁ ସେ ପ୍ରାୟ ୧୦ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି। ସେ ପିଲାଟିକୁ ତାଙ୍କୁ ଯେମିତି ହେଲେ ବିକ୍ରି କରିବା ଉଚିତ, ନଚେତ୍ ସେ କୌଣସି ବି ଉପାୟରେ ପିଲାଟିକୁ ନେଇଯିବେ। ଏହି ଘଟଣା ପରେ ମାଆ ଜଣଙ୍କ ଭୟଭୀତ ହୋଇଗଲେ। ସେ ତାଙ୍କ ପିଲାକୁ ରକ୍ଷା କରିବା ନେଇ ପୋଲିସକୁ ଖବର ଦେଇଥିଲେ। ଏହା ପରେ ରେବିକାଙ୍କୁ ଗିରଫ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)