Advertisment

ମାଟି ଘରେ ବିଶ୍ୱକପ୍ ତାରକା: ମେଡାଲ, ଟ୍ରଫି ରଖିବାକୁ ଜାଗା ନାହିଁ

୨୦୧୬ ଅଣ୍ଡର-ଏଇଟିନ୍ ଏସିଆ କପ୍‌ରେ ସଞ୍ଜୀପ ସମ୍ଭାଳିଥିଲେ ଭାରତୀୟ ହକି ଟିମ୍‌ର ଅଧିନାୟକ ଦାୟିତ୍ୱ।

author-image
Chandan Shishu
Indian hockey star player Neelam Sanjip Khes

Indian hockey star player Neelam Sanjip Khes

ନୀଲମ ସଞ୍ଜୀପ ଖେସ୍ ଟିମ୍ ଇଣ୍ଡିଆର ଷ୍ଟାର ଡିଫେଣ୍ଡର। ୧୩ ତାରିଖରୁ ଆରମ୍ଭ ହେଉଥିବା ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ସଞ୍ଜୀପଙ୍କ ଷ୍ଟିକ୍‌ର ଯାଦୁ। ହେଲେ ନଜର ପକାନ୍ତୁ ଭାରତୀୟ ବିଶ୍ୱକପ୍ ହକି ଟିମ୍‌ର ଏହି ଓଡ଼ିଆ ଖେଳାଳିଙ୍କ ଘର ଉପରେ। ସୁନ୍ଦରଗ଼ଡ କୁଆଁରମୁଣ୍ଡା ବ୍ଳକ୍ କାଦୋବାହାଲ ପଂଚାୟତର ସରନାଟୋଲୀ ବସ୍ତି ଝାଟି ମାଟିର ଘର, ଖପରର ଛାତ ଦୁଇଟି କୋଠରୀର ଏହି ଘରକୁ ଏଯାଏଁ ପିଇବା ପାଣି ସଂଯୋଗ ହୋଇନି।

Advertisment

ମାଟି ଖପରର ଏହି ଘରେ ରହୁଛନ୍ତି ସଞ୍ଜୀପଙ୍କ ପୁରା ପରିବାର। ବାପା ବିପିନ ଖେସ, ମାଆ ଜୀରା ଖେସ୍ ଏବଂ ବଡ ଭାଇ ପ୍ରଦୀପ ଦୁଇ ଭଉଣୀ ବିବାହିତା। ଘରେ ଏଯାଏଁ କାଠ ଚୁଲି ଜଳୁଛି। ବିଜୁଳି ଆସିଥିଲେ ବି ସବୁ ଘରକୁ ପହଁଚିପାରିନି। ୪୦ ବର୍ଷ ତଳେ ଧାର କରଜ କରି ମାଟିର ଏହି ଘର ତୋଳିଥିଲେ ସଞ୍ଜୀପଙ୍କ ବାପା। ପୁଅ ଦେଶ ପାଇଁ ବିଶ୍ୱକପ୍ ଖେଳିବାକୁ ଥିବା ବେଳେ ଏଯାଏଁ କିଛି ବଦଳି ପାରିନି ଘରର ଚିତ୍ର।  

ଘରେ ପୁଅ ଜିତିଥିବା ମେଡାଲ, ଟ୍ରଫି ଓ ସାର୍ଟିଫିକେଟ୍ ରଖିବାକୁ ବି ଜାଗା ନାହିଁ। ଖଣ୍ଡିଏ ଟେବୁଲ ଉପରେ ଗଦା ହୋଇଛି ସବୁକିଛି। କାନ୍ଥ ଉପରେ ରଖାହୋଇଛି ମାନପତ୍ର ପରିବାରର ନିଜସ୍ବ ଜମି କହିଲେ ମାତ୍ର ୪୫ ଡେସିମିଲ। ସେତିକିରେ ପନିପରିବା ଚାଷ କରି ପରିବାର ଚଳେ। ଅଧିକାଂଶ ସମୟରେ ଦିନ ମଜୁରିଆ ସାଜିଥାନ୍ତି ବାପା-ମାଆ। ସରକାରୀ ସୁବିଧା କହିଲେ, ପାଖରେ ଖଣ୍ଡିଏ ରାସନ୍ କାର୍ଡ ହିଁ ରହିଛି। ଆବାସ ଯୋଜନାରେ ଘର ଖଣ୍ଡେ ବି ମିଳିପାରିନାହିଁ। 

Advertisment

୨୦୧୬ ଅଣ୍ଡର-ଏଇଟିନ୍ ଏସିଆ କପ୍‌ରେ ସଞ୍ଜୀପ ସମ୍ଭାଳିଥିଲେ ଭାରତୀୟ ହକି ଟିମ୍‌ର ଅଧିନାୟକ ଦାୟିତ୍ୱ। ପରେ ପୁରୁଷ ଜାତୀୟ ହକି ଟିମ୍‌ରେ ତାଙ୍କୁ ସ୍ଥାନ ମିଳିଥିଲା। ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତା ଭାବେ ସାଉଥ୍ ଏସିଆନ ଗେମ୍ସରେ ଡେବ୍ୟୁ କରିଥିଲେ ସଞ୍ଜୀପ। ୨୦୨୧ରେ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୨୦ ଏସିଆ କପ୍‌ରେ ଦେଖିବାକୁ ମିଳିଥିଲା। ସଞ୍ଜୀପଙ୍କୁ ଏବେ ସେ ବିଶ୍ୱକପ୍ ଖେଳିବାକୁ ଯାଉଛନ୍ତି। ହକିର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର କେତେ କଣ ଯୋଜନା କରୁଛନ୍ତି ଦ୍ୱିତୀୟ ଥର ଲାଗି ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଛନ୍ତି। ହେଲେ ବିଶ୍ୱକପ୍ ଟିମ୍‌ର ଓଡ଼ିଆ ଖେଳାଳିଙ୍କ ଅବସ୍ଥା କିନ୍ତୁ ସୁଧୁରିପାରିଲାନି।

(ରିପୋର୍ଟ: ବୀରମିତ୍ରପୁରରୁ ରାକେଶ ସାହୁ)

Advertisment
Advertisment