• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜରିପାଲ ତଳେ ବିତୁଛି ଚାରିପ୍ରାଣୀ କୁଟୁମ୍ବଙ୍କ ଜୀବନ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳରେ । ଅକର୍ମଣ୍ୟ ୨ ପୁଅ ଓ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ଝିଅ ସହିତ ଜଣେ ବିଧବା ବୃଦ୍ଧା ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ଏମାନଙ୍କ ପାଇଁ ସରକାରୀ ଯୋଜନା ଯେପରି ଅପହଂଚ ହୋଇପଡିଛି । ଆବାସ ଗୃହଟିଏ ପାଇଁ ଏଠି ସେଠି ଧାଇଁ ପରିବାର ଲୋକେ ହତାଶ ହୋଇଛନ୍ତି । ଅର୍ଥ ଭାବରୁ ରୋଗୀଣା ଝିଅର ଚିକିତ୍ସା କରିବାତ ଦୂର କଥା ଘର ଛପର କରି ନପାରି ଜରିପାଲ ଟାଙ୍ଗା ଘରେ ସେମାନେ ଶୀତ କାକରରେ ରହିବାକୁ ବାଧ୍ୟ ହେଉଛନ୍ତି ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଂଜିରା ପଂଚାୟତ ଡଗରପଡା ଗ୍ରାମରେ ରହୁଛନ୍ତି ବିଧବା ବୃଦ୍ଧା ଲତା ତରେଇଙ୍କ ପରିବାର । ପରିବାର କହିଲେ ୨ ପୁଅ ୧ ଝିଅ । ୨ ବର୍ଷ ତଳେ ଝିଅକୁ ବିବାହ ଦେଇଥିଲେ । ହେଲେ ବିବାହର ୨ ମାସ ପରେ ଝିଅ ରୋଗରେ ପୀଡିତ ହେବାରୁ ଶାଶୁ ଘର ଲୋକେ ଆଣି ବାପ ଘରେ ଛାଡି ଚାଲି ଗଲେ । ବୋଝ ଉପରେ ନଳିତା ବିଡା ପରି ବଡଭାଇ ଭଉଣୀକୁ ନେଇ ଭୁବନେଶ୍ୱରରେ ଚିକିତ୍ସା କରିବା ପରେ ତାର ବ୍ରେନ ଟ୍ୟୁମର ହୋଇଥିବା ଜଣାପଡିଥିଲା । ଧାର କରଜ କରି ଝିଅର ଅପରେସନ କରାଯାଇଥିଲା ହେଲେ ଅର୍ଥାଭାବରୁ ସେ ସୁସ୍ଥ ହେବା ପରିବର୍ତ୍ତ ଦିନକୁ ଦିନ ଅସୁସ୍ଥ ହେବାରେ ଲାଗିଛି । ଏପରିକି ସେ ବିଛଣାରେ ପଡିରହି ଯନ୍ତ୍ରଣାରେ ଛଟପଟ ହେଉଛି ।

ଅର୍ଥାଭାବରୁ ଚାଳଘର ଛାଆଣି କରି ନପାରି ଜରିପାଲ ଟାଙ୍ଗିସେଥିରେ ୨ ପୁଅ ଓ ରୋଗଣା ଝିଅକୁ ନେଇ ବୃଦ୍ଧା ମଆ ଜୀବନ କାଟୁଛନ୍ତି । ପକ୍କା ଘର ଟିଏ ପାଇବା ପାଇଁ ଏଠି ସେଠି ଦୌଡି ହତାସ ହୋଇଛନ୍ତି । ବଡପୁଅ ଅକର୍ମଣ୍ୟ ହୋଇଥିବା ବେଳେ ଘରେ ରହି ବୃଦ୍ଧା ମଆ ଆଉ ରୋଗାଗ୍ରସ୍ତ ଭଉଣୀର ସେବା କରୁଛନ୍ତି । ବୟସ ତାଙ୍କୁ ୪୫ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟଗତ କାରଣରୁ ସେ ବିବାହ କରି ନାହାନ୍ତି । ତେଣେ ସାନପୁଅକୁ ମଧ୍ୟ ୪୦ ଛୁଇଁଲାଣି ବିବାହ ବୟସ ଅତିକ୍ରମ କରିବାକୁ ବସିଥିଲେ ହେଁ ପରିବାରର ଅସୁବିଧା ଯୋଗୁଁ ସେ ମଧ୍ୟ ବିବାହ କରି ନାହାନ୍ତି ।

ସାନ ପୁଅ ମୂଲ ଲାଗି ଯାହା ରୋଜଗାର କରନ୍ତି ସେଥିରେ ଘର ଚଳିବା କଷ୍ଟକର ହୋଇଥାଏ । ଓଳିଏ ଖାଇଲେ ଓଳିଏ ଓପାଷରେ ରହୁଥିବା ଏହି ପରିବାରକୁ ସାଇ ପଡୋଶୀ କେତେବେଳେ କେମିତି ସାହାଯ୍ୟ କରିଥାନ୍ତି । ତେବେ ଏହି ପରିବାରକୁ ଏକ ପକ୍କା ଘର ଓ ରୋଗାଗ୍ରସ୍ତ ଝିଅର ଚିକିତ୍ସା ନିମନ୍ତେ ସହାୟତା ଯୋଗଇ ଦେବା ଲାଗି ଗ୍ରାମବାସୀମାନେ ନିବେଦନ କରିଛନ୍ତି ।

ଦାରିଦ୍ର‌୍ୟ ସୀମାରେଖା ତଳେ ବସବାସ କରୁଥିବା ଲୋକମାନଙ୍କ ପାଇଁ ସରକାର ଗୋଟିଏ ପରେ ଗୋଟିଏ ଯୋଜନା ପ୍ରସ୍ତୁତ କରୁଛନ୍ତି । ହେଲେ ଗ୍ରାମାଂଚଳରେ ବସବାସ କରୁଥିବା ପ୍ରକୃତ ଗରିବ ମାନଙ୍କ ନିକଟରେ ଏହି ଯୋଜନା କିଭଳି ଅପହଂଚ ହୋଇଛି ତାହାର ଏହା ହେଉଛି ଏକ ନଗ୍ନ ଉଦାହଣ ।

ପଂଚାୟତ ସ୍ତରର ଜନପ୍ରତିନିଧିମାନଙ୍କ ହିନ ରାଜନୈତିକ ଉଦ୍ଦେଶ୍ୟ ଓ ପ୍ରଶାସନିକ କର୍ମଚାରୀଙ୍କ ଅଣଦେଖା ନିତି ଯୋଗୁଁ ସରକାରଙ୍କ ଯୋଜନା ଗୁଡିକ ବାଟବଣା ହେଉଛି । ତେବେ ଏସମ୍ପର୍କରେ ଆମେ ଯାଜପୁର ଏଡିଏମଙ୍କ ଦୃଷ୍ଟି ଆକର୍ଶଣ କରିବାରୁ ଏନେଇ ତଦନ୍ତ କରାଯାଇ ଉକ୍ତ ପରିବାରକୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବା ଲାଗି ଧର୍ମଶାଳା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜରିପାଲ ତଳେ ରହୁଥିବା ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ଯାଜପୁରରୁ ଗୁଲାମ୍‌ ଗସ୍‌ଙ୍କ ରିପୋର୍ଟ