Advertisment

ଦୁଇ ବଢିଲା ଝିଅ ଓ ରୋଗୀଣା ପତ୍ନୀଙ୍କୁ ନେଇ ସ୍କୁଲ ଘରେ ରହୁଛନ୍ତି ପଦ୍ମଚରଣ

ରୋଗରେ ଘାଣ୍ଟି ହେଉଛନ୍ତି ଦମ୍ପତି। ମୁଣ୍ଡ ଉପରେ ନାହିଁ ଛାତ କି ଚାଳଛପର। ଏଭଳି ପରିସ୍ଥିତିରେ ସ୍କୁଲ ଘର ପାଲଟିଛି ଆଶ୍ରୟସ୍ଥଳୀ। ଦୁଇ ବଢ଼ିଲା ଝିଅଙ୍କୁ ନେଇ ବଡ଼ ଅସହାୟ ଅବସ୍ଥାରେ ଶ୍ରେଣୀ ଗୃହରେ ଜୀବନ କାଟିବାକୁ ପଡୁଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମେଳକ ସାହି ପ୍ରାଥମିକ ସ୍କୁଲରେ ।

author-image
Pallipuspa Samal
Family In Odisha Counts Days Of Pain In School

Family In Odisha Counts Days Of Pain In School

କେନ୍ଦ୍ରାପଡା: ରହିବା ପାଇଁ ଆପଣଙ୍କର ଘର ଖଣ୍ଡେ ନିଶ୍ଚୟ ଥିବ। କାହାର କୋଠା ଘର ତ ଆଉ କାହାର ଚାଳ ଛପର ଘର। ଯେଉଁଠି ଆପଣ ମୁଣ୍ଡ ଗୁଞ୍ଜି ରହୁଥିବେ, ଶୋଉଥିବେ ଓ ରୋଷେୟୀ କରି ଖାଉଥିବେ। ହେଲେ ଏ ଦୁନିଆରେ ଏମିତି ଏକ ପରିବାର ଅଛି, ଯାହାର ଘର ଖଣ୍ଡେ ନାହିଁ। ସ୍କୁଲ ପାଲଟିଛି ସେମାନଙ୍କର ସବୁ କିଛି। ଏଇଠି ସମସ୍ତେ ରୋଷେୟୀ କରି ଖାଆନ୍ତି ଆଉ ଶୁଅନ୍ତି ମଧ୍ୟ। ଏହିଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମେଳକ ସାହି ପ୍ରାଥମିକ ସ୍କୁଲରେ। ଏଇଠାରେ ରହୁଛନ୍ତି ପଦ୍ମ ଚରଣ ରାଉତ ଓ ତାଙ୍କ ପରିବାର। ଗାଁରେ ଥିବା ଚାଳ ଛପର ଘରଟି ଭାଙ୍ଗିଯିବା ପରେ ଦୀର୍ଘ ଦିନ ହେବ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି ପୂରା ପରିବାର।

Advertisment

 ସ୍କୁଲ ବାରଣ୍ଡାରେ ଉଠା ଚୁଲି କରି ଚାଲିଛି ରୋଷେଇବାସ। ଆଉ ଶ୍ରେଣୀ ଗୃହ ଭିତରେ ସାଇତି ରଖିଛନ୍ତି ନିଜର ଅସବାବପତ୍ର। ଅଜଣା ରୋଗରେ ପିଡ଼ିତା ପଦ୍ମ ଚରଣଙ୍କ ପକ୍ଷେ ଘର ଖଣ୍ଡେ କରିବା ସମ୍ଭବ ନ ଥିବାରୁ ଅତି ଦୟନୀୟ ଭାବେ ଭାଗ୍ୟକୁ ଆଦରି  ପଡି ରହିଛନ୍ତି ସ୍ତ୍ରୀ ପ୍ରମିଳା ଓ ଦୁଇ ଝିଅ।

Advertisment

ଆବାସ ଯୋଜନାରେ ତାଙ୍କ ନାଁ ଥିଲେ ମଧ୍ୟ ଘର ତୋଳିବାର ପ୍ରଥମ କିସ୍ତି ଟଙ୍କା ହାତକୁ ଆସିନଥିବା ପଦ୍ମ ଚରଣ ଅଭିଯୋଗ କରିଛନ୍ତି। ଟଙ୍କା କିଏ ଖାଇଲା, କେମିତି ଟଙ୍କା ଉଠିଲା ସେ କିଛି ଜାଣନ୍ତି ନାହିଁ। ପାଞ୍ଚ ଝିଅଙ୍କ ମଧ୍ୟରୁ ତିନି ଜଣଙ୍କ ବିବାହ ସରିଥିବା ବେଳେ ଏବେ ଦୁଇ ବଢିଲା ଝିଅଙ୍କୁ ନେଇ ସ୍କୁଲ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ପଦ୍ମ ଚରଣ।

ପଦ୍ମଚରଣଙ୍କ ସ୍ତ୍ରୀ ପ୍ରମିଳା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଏକ ପ୍ରକାର ଶଯ୍ୟାଶାୟୀ। ପାଠ ପଢାରେ ଡୋରି ବାନ୍ଧି ଦୁଇ ଝିଅ ଏବେ ମା ପାଇଁ ଆଶା ବାଡ଼ି ପାଲିଟିଛନ୍ତି। ସେହିପରି ଅଜଣା ରୋଗରେ ଘାଣ୍ଟି ହେଉଛନ୍ତି ପଦ୍ମଚରଣ। ଔଷଧ ଖାଇବା ପାଇଁ ପାଖରେ ଟଙ୍କାଟିଏ ନାହିଁ। ପରକୁ ହାତ ପତାଇ ଗଣ୍ଡେ ଖାଇ ଦଣ୍ଡେ ଜିଇଁଛନ୍ତି ଏହି ଅଭାବୀ ପରିବାର।

ମୁଣ୍ଡ ଉପରେ ଛାତ ଖଣ୍ଡିଏ ପାଇଁ ବାରମ୍ବାର ବ୍ଲକ ଅଫିସକୁ ଦୌଡୁ ଥିଲେ ମଧ୍ୟ କୌଣସି ଫଳ ମିଳି ନାହିଁ। ସ୍କୁଲ ଘରେ ଥଇଥାନ ହୋଇଥିବା ପଦ୍ମ ଚରଣଙ୍କୁ ଏକ ପକ୍କା ଘର ଯୋଗାଇ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି।

ପଦ୍ମ ଚରଣଙ୍କ ପରିବାର ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଯୋଗାଯୋଗ କରାଯିବାରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ପଦ୍ମଚରଣଙ୍କ ପରିବାର ଅନ୍ତୋଦୟ ଯୋଜନାରେ ପାଉଥିବା ଚାଉଳ ଉପରେ ନିର୍ଭର କରି ଜୀଉଁଛନ୍ତି। ଯାହାକି ୪ ପ୍ରାଣୀ କୁଟୁମ୍ବ ପାଇଁ ଯଥେଷ୍ଟ ନୁହେଁ। ରୋଗ, ଭୋକ ଓ ଅଭାବରେ ଜିଇଁଥିବା ଏହି ପରିବାରକୁ ବିଭିନ୍ନ ସାମାଜିକ ସଂଗଠନ ସାହାର୍ଯ୍ୟ କରିବା ଜରୁରୀ ହୋଇ ପଡିଛି।

Kendrapara Family In Odisha Counts Days Of Pain In School
Advertisment
Advertisment