/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645284599.jpg)
Power Tariff Hikes
ପଣସ ଖାଇଲା କିଏ, ଆଉ ଅଠା କାହା ମୁଣ୍ଡରେ । ବିଜୁଳି ବିଭାଗର ଏମିତି ନୀତିକୁ ନେଇ ଚିନ୍ତାରେ ଉପଭୋକ୍ତା । କୋଟିଏ କି ଦୁଇ କୋଟି ନୁହେଁ ପ୍ରାୟ ୮ ହଜାର କୋଟି ଟଙ୍କାର ବକେୟାର ଭରଣା କରିବାକୁ ଉପଭୋକ୍ତାଙ୍କ ଉପରେ ପଡ଼ିପାରେ ଚଡ଼କ । କାରଣ ବିଜୁଳି ଦର ବୃଦ୍ଧି କରିବାକୁ ଠାରୁ ଆଦାୟ କରିବାକୁ ଓଇଆରସି ନିକଟରେ ଆବେଦନ କରିଛି ଗ୍ରୀଡକୋ । ୟୁନିଟ୍ ପିଛା ୯୦ ପଇସା ଦର ବୃଦ୍ଧି ପାଇଁ ଆବେଦନ କରିଛି ।
ତାସହିତ ଗ୍ରୀଡକୋର କରିବା ଥିବା ଋଣର ସୁଧ ବାବଦକୁ ୬୨୩ କୋଟି ଟଙ୍କା ମଧ୍ୟ ଉପଭୋକ୍ତାଙ୍କ ମୁଣ୍ଡରେ ହିଁ ଲଦିବାକୁ ପ୍ରୟାସ ହେଉଥିବା ଅଭିଯୋଗ ହୋଇଛି । ସେସୁ, ୱେସ୍କୋ, ନେସ୍କୋ ଓ ସାଉଥ୍-କୋ ଏହି ୪ ଡିସ୍କମ୍ ଦ୍ୱାରା ବାକି ରହିଛି । ଏହି ଟଙ୍କା ବିତରଣ କଂପାନୀଙ୍କ ଠାରୁ ବାକି ଆଦାୟ ନକରି ଗ୍ରାହକଙ୍କ ଉପରେ ବୋଝ ଲଦିବାର ମସୁଧାକୁ ତୀବ୍ର ବିରୋଧ କରିଛନ୍ତି ଉପଭୋକ୍ତା ମହାସଂଘ ଏବଂ ବିଭିନ୍ନ ସଂଗଠନ ।
ଋଣ କଲା ଜଣେ, ସୁଝିବ ଆଉ ଜଣେ । ଆଉ ଏବେ ସବୁ ଆର୍ଥିକ ବୋଝ ଉପଭୋକ୍ତାଙ୍କ ଉପରେ ଲଦିବାକୁ ମସୁଧା, କାହିଁକି ନା ଆର୍ଥିକ ସଙ୍କଟରେ ଥିବା ଗ୍ରୀଡକୋର ବାକି ପଡିଛି ୭ ହଜାର ୭ ଶହ ୮୮ କୋଟି ଟଙ୍କା । ୪ ବିଦ୍ୟୁତ ବିତରଣ କଂପାନୀ ସେସୁ, ୱେସ୍କୋ, ନେସ୍କୋ ଓ ସାଉଥ୍-କୋ ବାକି ରଖିଛନ୍ତି ଏହି ଟଙ୍କା । ଦୀର୍ଘ ଦିନ ଧରି ଏହି ଟଙ୍କା ବାକି ପଡିବା ପରେ ଏବେ ଉପଭୋକ୍ତାଙ୍କ ଉପରେ ଏହାର ବୋଝ ଲଦିବାକୁ ଯାଉଛି ଗ୍ରୀଡକୋ ।
କାରଣ ଗ୍ରୀଡକୋ ୨୦୨୨-୨୩ ଆର୍ଥିକ ବର୍ଷରେ ବିଜୁଳି ଦର ୟୁନିଟ ପିଛା ପ୍ରାୟ ୯୦ ପଇସା ବୃଦ୍ଧି କରିବାକୁ OERCଙ୍କ ନିକଟରେ ଦାବି କରିଛି । ଗ୍ରୀଡକୋ ଠାରୁ ବିତରଣ କଂପାନୀମାନେ ଏବେ ୟୁନିଟ ପିଛା ୨ ଟଙ୍କା ୯୬ ପଇସାରେ ବିଜୁଳି କିଣୁଥିବା ବେଳେ ଏହାକୁ ୩ ଟଙ୍କା ୮୫ ପଇସା କରିବାକୁ ପ୍ରସ୍ତାବ ଆସିଛି ।
ଏଠି ପ୍ରଶ୍ନ ଗ୍ରୀଡକୋର ଏହି ବକେୟା ଟଙ୍କା ଉପଭୋକ୍ତାଙ୍କ ଉପରେ ବାକି ଅଛି ନା ଉପଭୋକ୍ତାଙ୍କ ଠାରୁ ଆଦାୟ ହୋଇଥିଲେ ମଧ୍ୟ ବିଦ୍ୟୁତ ବିତରଣ କଂପାନୀମାନେ ଗ୍ରୀଡକୋକୁ ଦେଇ ନାହାନ୍ତି? କାହିଁକି ନା କୌଣସି ବକେୟା କିମ୍ବା ଋଣ ନଥିବା ଦର୍ଶାଇ ସମସ୍ତ ବିତରଣ କଂପାନୀଙ୍କୁ ଟାଟା ପାୱାର ହାତରେ ଟେକି ଦେଇଛନ୍ତି ସରକାର । ତେଣୁ ତାରିଫ ଶୁଣାଣି ବେଳେ ଗ୍ରୀଡକୋର ଆବେଦନକୁ ତୀବ୍ର ବିରୋଧ କରିଛି ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ ।
ଖାଲି ବକେୟା ବାବଦ ଟଙ୍କା ନୁହେଁ, ଋଣ ଏବଂ ସୁଧ ବୋଝ ବି ଉପଭୋକ୍ତାଙ୍କ ମୁଣ୍ଡରେ ଲଦିବାକୁ ମସୁଧା ହୋଇଥିବା ଅଭିଯୋଗ ହୋଇଛି । ଆର୍ଥିକ ସଙ୍କଟ ଭିତରେ ପରିଚାଳନା ପାଇଁ ବିଭିନ୍ନ ସୂତ୍ରରୁ ପ୍ରାୟ ୨ ହଜାର କୋଟି ଟଙ୍କା ଋଣ କରିଛି ଗ୍ରୀଡକୋ । ଆଉ ତା ସୁଧ ବାବଦକୁ ମଧ୍ୟ ୬୨୩ କୋଟି ଟଙ୍କା ଉପଭୋକ୍ତାଙ୍କ ଠାରୁ ଆଦାୟ କରିବାକୁ ଆବେଦନ ପିଟିସନରେ ଲେଖିଛି । ଏସବୁ ବାବଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମୋଟ୍ ୧୦ ହଜାର ୯୪୫ କୋଟି ଟଙ୍କାର ରାଜସ୍ୱ ଆବଶ୍ୟକତା ଉପରେ ଅନୁମତି ପାଇଁ ଓଇଆରସି ନିକଟରେ ଗ୍ରୀଡକୋ ଆବେଦନ କରିଛି ।
ତେବେ ଏଠି ପ୍ରଶ୍ନ ବର୍ଷ ବର୍ଷ ଧରି ଏତେ ଟଙ୍କା ବାକି ରହିଲା କାହିଁକି? ଏଥିପାଇଁଦାୟୀ କିଏ? କାହିଁକି ନା, ୨୦ ବର୍ଷ ହେବ ସେସୁ ଦାୟିତ୍ୱରେ ଖୋଦ୍ ଓଇଆରସି, ଆଉ ୫ ବର୍ଷ ହେଲା ୱେସ୍କୋ, ନେସ୍କୋ ଓ ସାଉଥ୍-କୋ ଦାୟିତ୍ୱରେ ଥିଲେ ଗ୍ରୀଡକୋର ସିଏମଚି । ଏନେଇ ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରୀଡକୋ କର୍ତ୍ତୃପକ୍ଷ କିମ୍ବା ବିଭାଗୀୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ରିପୋର୍ଟର- ଭୁବନେଶ୍ୱରରୁ ସୌମ୍ୟ ରଞ୍ଜନ ସାହୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)