• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜଣେ ସେବାନିବୃତ୍ତ ସିଂହାରୀ ସେବକଙ୍କ ପାଇଁ ଶ୍ରୀମନ୍ଦିରରେ ଗତକାଲି ସୃଷ୍ଟି ହୋଇଥିବା ନୀତି ବିଭ୍ରାଟକୁ ନେଇ ଚର୍ଚ୍ଚା । ଶ୍ରୀମନ୍ଦିର ପାଇଁ ଥିବା ସେବା ପରମ୍ପରା ଅନୁଯାୟୀ, ଅନ୍ୟ କୂଳରେ ବିବାହ କାରଣରୁ ସେ ଠାକୁରଙ୍କ ସେବା ପାଇଁ ଅନୁପଯୁକ୍ତ ହୋଇପଡ଼ିଥିଲେ । ତା’ସତ୍ତ୍ୱେ ବି ସେ ଶ୍ରୀଜୀଉଙ୍କ ସେବା କରିବାରୁ ଉପୁଜିଥିଲା ଏଭଳି ସ୍ଥିତି । ହେଲେ ବଡ଼ କଥା ହେଉଛି, ସେବାୟତ ପରିବାରରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମ୍ ରହିବା ହେଉ କିମ୍ବା ସେବାୟତ ପରିବାରର ବିବାହ ପାଇଁ ଥିବା ନିୟମ- ଆଗକୁ ବି ଶ୍ରୀଜୀଉଙ୍କ ସେବା ପୂଜାରେ ବିରାଟ ସମସ୍ୟା ହୋଇ ଠିଆ ହେବନି ତ ।

ଶ୍ରୀମନ୍ଦିର ସେବା ପୂଜାରେ ଆଗକୁ ବ୍ୟାଘାତ ଆଣିବ କି ଭିନ୍ନ କୂଳ ବିବାହ ? କାହିଁକିନା, ସେବାୟତ ପରିବାରର ପ୍ରଥା ପରମ୍ପରା ରହିଛି ଅଠରନଳା ପାରି ହୋଇ ବନ୍ଧୁ ବାନ୍ଧିବା ମନା । ଅର୍ଥାତ୍ ସେବାୟତ ପରିବାର କେବଳ ନିଜ କୂଳ କିମ୍ବା ସେମାନଙ୍କ ସମକୂଳରେ ବନ୍ଧୁ ବାନ୍ଧିଥିଲେ ବା ବିବାହ କରିଥିଲେ ହିଁ ସେମାନଙ୍କୁ ଶ୍ରୀଜୀଉଙ୍କ ସେବା ପୂଜାର ସୁଯୋଗ ମିଳିବ । ଯାହାର ଉଦାହରଣ ସିଂହାରୀ ସେବକ ଶଙ୍ଖମିତ୍ର ସିଂହାରୀ ।

ଶଙ୍ଖମିତ୍ର ଅନ୍ୟ କୂଳରେ ବିବାହ କରିଥିବାରୁ ତାଙ୍କୁ ସେବା ନିବୃତ୍ତ କରାଯାଇଥିଲା । କିନ୍ତୁ ସେ ନମାନି ସେବା ପୂଜା କରିବାରୁ ନୀତି ବିଭ୍ରାଟ ହେଲା । ୯ ଘଣ୍ଟା କାଳ ଖାଡ଼ା ଉପାସ ରହିଲେ ମହାପ୍ରଭୁ । ତେବେ ସେବାୟତ କୂଳରେ ଝିଅ ତୁଳନାରେ ପୁଅଙ୍କ ସଂଖ୍ୟା କମ୍ ରହିବା ଆଗକୁ ଏ କ୍ଷେତ୍ରରେ ସମସ୍ୟାକୁ ବଢ଼ାଇବାର ଆଶଙ୍କା ସୃଷ୍ଟି କରିଛି ।

ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଷ୍ଟଡିଜର ରିପୋର୍ଟ କହୁଛି- ସେବାୟତ ପରିବାରରେ ଗତ ୨୦୦୫ରେ ୧ ହଜାର ପୁରୁଷରେ ମହିଳାଙ୍କ ସଂଖ୍ୟା ଥିଲା ମାତ୍ର ୮୬୩, ଅବଶ୍ୟ ଏହା ପରେ ଏହି ଅନୁପାତ ୨୦୧୩ରେ ୮୭୩ ଓ ୨୦୨୧ରେ ୯୨୪ରେ ପହଞ୍ଚିଛି, ତଥାପି ବି ପୁଅ ତୁଳନାରେ ଝିଅ ସଂଖ୍ୟା କମ୍ ଥିବାରୁ ବାଧ୍ୟ ହୋଇ କେହି କେହି ଅନ୍ୟ କୂଳରେ ବିବାହ କରୁଛନ୍ତି । ଏହାବାଦ୍ ସାମାଜିକ ଓ ଶିକ୍ଷାଗତ ଯୋଗ୍ୟତାର ତାରତମ୍ୟ ପାଇଁ ବି ବେଳେ ବେଳେ ଭିନ୍ନକୂଳ ବିବାହ ହେଉଛି । ଫଳରେ ପ୍ରଥା, ପରମ୍ପରାର ଉଲ୍ଲଂଘନରୁ ସେବାପୂଜାର ଅଧିକାର ହରାଇବାକୁ ପଡୁଛି । ତେଣୁ ଏହା ଆଗକୁ ସମସ୍ୟା ସୃଷ୍ଟି କରି ପାରେ ବୋଲି ସେବାୟତ ମତ ଦେଇଛନ୍ତି ।

ତେବେ ପୁଅ-ଝିଅ ସଂଖ୍ୟା ଅନୁପାତରେ ପାର୍ଥକ୍ୟକୁ କମ୍ କରିବା ପାଇଁ ସେବାୟତଙ୍କ ମାନସିକତାରେ ପରିବର୍ତ୍ତନର ଆବଶ୍ୟକତା ଉପରେ ଜୋର୍ ଦେଇଛନ୍ତି ପରିଚାଳନା କମିଟି ସଦସ୍ୟ । ଏପରିକି କନ୍ୟା ସନ୍ତାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିହାରୀ ନିଯୋଗ ପକ୍ଷରୁ ୧ ଲକ୍ଷ ଟଙ୍କା ଓ ଗରାବଡୁ ନିଯୋଗ ପକ୍ଷରୁ ୩୦ ହଜାର ଟଙ୍କା ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ରହିଛି । ତେଣୁ ସବୁ ନିଯୋଗ ମଧ୍ୟ ଏଭଳି ପଦକ୍ଷେପ ନେବା ସହ ସେବାପୂଜା ଜଡ଼ିକତ ସମସ୍ୟା ତୁଟାଇବାକୁ ମିଳିତ ହୋଇ ସମାଧାନର ସୂତ୍ର ବାହାର କରିବା ଦରକାର ବୋଲି ବରିଷ୍ଠ ସେବାୟତ କହିଛନ୍ତି ।

  • Reported by:
  • MADHUSUDAN MISHRA