ବାରିପଦା ( ମାନିକ୍ ଲାଲ୍ ପାଣି ) : ବାରିପଦା ଏମପିସି ଅଟୋନମସ୍ କଲେଜ ପରିସରରେ ଦନ୍ତା ହାତୀ । ଆଜି ସକାଳୁ ଏହି ହାତୀ ବାରିପଦା-ଦେଉଳି ରାସ୍ତା ଆଡୁ ଆସି କଲେଜ ପରିସରରେ ପ୍ରବେଶ କରିଛି । ଯଦିଓ ଦନ୍ତାଟି କାହାରି କିଛି କ୍ଷତି କରି ନାହିଁ, ତେବେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବାରିପଦା-ତକତପୁର ରାସ୍ତାରେ ଚଳପ୍ରଚଳକୁ ବନ୍ଦ କରିଛି ପ୍ରଶାସନ । ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରୁଛନ୍ତି ବନ କର୍ମଚାରୀ । କିଛି ଦିନ ହେଲା ଦେଉଳି ରେଞ୍ଜ ଅଞ୍ଚଳରେ ଗୋଟିଏ ହାତୀ ପଲ ରହିଛନ୍ତି । ସେହି ପଲ ଭିତରୁ ଗୋଟିଏ ହାତୀ କଲେଜ ପରିସରକୁ ପଶି ଆସିଥିବା ଅନୁମାନ କରାଯାଉଛି ।
Also Read
ସେପଟେ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଦନ୍ତା ହାତୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ବିମ୍ବୋରୀ ଜଙ୍ଗଲରେ ଦେଖିବାକୁ ମିଳିଛି ଏହି ଘଟଣା। ଭୋରରୁ ଜଙ୍ଗଲରେ ହାତୀ ଦଳ ଯାଉଥିବା ବେଳେ ଦନ୍ତାଟି କୂଅରେ ପଡିଯାଇଥିଲା । ଗାଁଲୋକଙ୍କଠୁ ଖବର ପାଇ ବନବିଭାଗ ପକ୍ଷରୁ ଗଜ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମାଟି ଲେବଲିଂ କରାଯାଇ ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ଦନ୍ତା ହାତୀଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଉଦ୍ଧାର ପରେ ହାତୀଟି ପାଖ ଜଙ୍ଗଲକୁ ପଳାଇ ଯାଇଛି ।
ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳରେ ହାତୀ ଉପଦ୍ରବ । ଦୀର୍ଘ ୧୫ ଦିନ ହେବ ଦୁଇଟି ଗୋଠଛଡ଼ା ଦନ୍ତା ହାତୀ ଆସି ଉପଦ୍ରବ ଚଳାଇଛନ୍ତି । ସ୍ଥାନୀୟ ଧରଣୀଧର ପାଲି, ନୂଆପାଲି, ତଳିତା, ବାଘପାଲି, ଗୋଗୁଆ, ଯାକେଇକରଲା, ଦେଓପୋଷ ପ୍ରଭୃତି ଅଂଚଳରେ ଧାନ ଫସଲ ନଷ୍ଟ କରୁଛନ୍ତି । ଧାନ ଫସଲ ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । ଅଂଚଳରେ ହାତୀ ବୁଲୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି । ସେପଟେ ହାତୀଙ୍କୁ ଘଉଡ଼ାଇବାକୁ ପ୍ରୟାସ ଚଳାଇଛି ବନବିଭାଗ । ଗ୍ରାମବାସୀଙ୍କ ସହ ହାତୀ ଘଉଡ଼ାଉଛନ୍ତି ବନବିଭାଗର ଟିମ । ନଷ୍ଟ ହୋଇଥିବା ଫସଲର ଆକଳନ ପରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବନବିଭାଗ ଅଧିକାରୀ କହିଛନ୍ତି ।