ଆଶ୍ଚର୍ଯ୍ୟ ! ନିଶା ଖାଇ ନିଘୋଡ଼ ନିଦରେ ଶୋଇଛନ୍ତି ୨୨ ଟିକିଆ ହାତୀ ପଲ.. ଦେଖନ୍ତୁ ଭିଡିଓ

କିଏ କହୁଛି ଜଙ୍ଗଲରେ ମଦ ପ୍ରସ୍ତୁତ ପାଇଁ ଥିବା ପୋଚ ଖାଇ ନିଶାରେ ଶୋଇ ପଡ଼ିଛନ୍ତି ତ ପୁଣି କିଏ କହୁଛନ୍ତି, ନିଶା ଫିଶା ମିଛ କଥା, ବିଶ୍ରାମ ନେଇଛନ୍ତି ହାତୀ ।

Elephant

ଦିନକ ତଳେ ଯୋଉ ହାତୀ ପଲ ଲୋକଙ୍କ ନିଦ ହଜେଇ ଦେଇଥିଲେ । ଡର, ଆତଙ୍କରେ ହୋଇ ହୋଇରେ କଂପୁଥିଲା ଖଣ୍ଡମଣ୍ଡଳ । ସେଇ ହାତୀପଲ ଏବେ ନିଘୋଡ଼ ନିଦରେ । ଗୋଟିଏ କି ଦୁଇଟି ନୁହେଁ, ଏକା ବେଳକେ ପଲେ ହାତୀ । କିଏ ଆଣ୍ଠୁ ମାଡ଼ିବା ଅବସ୍ଥାରେ ତ କିଏ ପୂରା ଚାରି ଗୋଡ଼ ଖୋଲି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାରାପଡ଼ା ସେକ୍ସନ ଶିଲିପଦା ଜଙ୍ଗଲରେ ।

ଆଖପାଖ କଦଳୀ ବାଡ଼ିଠୁ ନେଇ ଧାନଫସଲ ସବୁ ଦଳ ମକଚି ବ୍ୟାପକ ଭାବେ ନଷ୍ପଭ୍ରଷ୍ଟ କରିବା ପରେ ହାତୀ ପଲଙ୍କ ଏ ସୁଖ ନିଦ୍ରାକୁ ନେଇ ଚର୍ଚ୍ଚା ଜୋର ଧରିଛି । କିଏ କହୁଛି ଜଙ୍ଗଲରେ ମଦ ପ୍ରସ୍ତୁତ ପାଇଁ ଥିବା ପୋଚ ଖାଇ ନିଶାରେ ଶୋଇ ପଡ଼ିଛନ୍ତି ତ ପୁଣି କିଏ କହୁଛନ୍ତି, ନିଶା ଫିଶା ମିଛ କଥା, ବିଶ୍ରାମ ନେଇଛନ୍ତି ହାତୀ ।

ଲଗାତର ଦୁଇ ଦିନ ଧରି ହାତୀପଲ ଉତ୍ପାତରେ ଅତିଷ୍ଠ ଅଞ୍ଚଳବାସୀଙ୍କ ସମସ୍ୟା ଏବଂ ତଥାକଥିତ ପୋଚ ଖାଇ ନିଶାଗ୍ରସ୍ତ ହେବା ଖବର ପାଇ ଆମ ପ୍ରତିନିଧି ଘଟଣାସ୍ଥଳକୁ ଯାଇଥିଲା ବେଳେ ଆଜି ଠିକଣା ବଦଳେଇ ସାରିଥିଲେ ୨୪ ଟିକିଆ ହାତୀପଲ । ଶିଲିପଦା ଭଳି ବିଷ୍ଣୁପୁର ଶାଗୁଆନ୍ ବଣରେ ବି ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ ।

କିଛି ହାତୀ ଶୋଇଥିଲେ, ଆଉ ସେମାନଙ୍କୁ ଘେରି କିଛି ହାତୀ ଜଗି ରହିଥିଲେ । ଆଉ ପାଖରେ ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲେ ହାତୀ ପଲଙ୍କୁ ଘଉଡ଼ାଇବାକୁ ଆସିଥିବା ବନ ବିଭାଗର କର୍ମଚାରୀ । ହେଲେ ହାତୀ ପୁଣି ଏମିତି ଶୋଇଛନ୍ତି କାହିଁକି ? ତଥାକଥିତ ମହୁଲି ପୋଚ ନିଶାରେ ନା, ସ୍ୱାଭାବିକ ନିଦ୍ରା ? ପାଟଣା ରେଞ୍ଜ୍ ଅଫିସରଙ୍କ କହିବା କଥା ହାତୀ ମହୁଲ ପୋଚ ଖାଇ ଶୋଇପଡ଼ିବା ସଂପୂର୍ଣ୍ଣ ମନଗଢ଼ା କାହାଣୀ । ଇଏ ସେମାନଙ୍କ ସ୍ୱାଭାବିକ ବିଶ୍ରାମ ପ୍ରକ୍ରିୟା । ହାତୀ ନିଶାଗ୍ରସ୍ତ ହେଲେ ଅଧିକ ଉତ୍ପାତ କରନ୍ତି । ତେବେ ବିଶେଷଜ୍ଞଙ୍କ ମତରେ ମହୁଲ ପୋଚ ଖାଇବା ପରେ ବି ହାତୀ ନିଶାଗ୍ରସ୍ତ ହୋଇ ନିଦ୍ରା ଯିବାର ନଜିର ଅଛି ।

ବଡ଼ କଥା ହେଲା ଏଇ ୨୪ ଟିକିଆ ହାତୀ ପଲ ଦାଉରେ ଗଲା ଦୁଇ ଦିନଧରି କଲବଲ ହେଉଥିଲେ ସ୍ଥାନୀୟ ବାସିନ୍ଦା । ଆଉ ଖଜୁରୁଡିହା, ଧାନବେଣି, ପାଟଣା, ପୁଟୁଳିଆ ପରେ ହାତୀ ଆଜି ବିଷ୍ଣୁପୁର ଅଞ୍ଚଳରେ ଉତ୍ପାତ ମଚେଇ ପୁଣି ଜଙ୍ଗଲ ମୁହାଁ ।