• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ହାତରେ ଗୁଳି ଭର୍ତ୍ତି ବନ୍ଧୁକ ଧରି ଜଙ୍ଗଲ ଭିତରକୁ ଯାଉଛନ୍ତି ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ ଦଳ । ପୁଣି ମଝିରେ ମଝିରେ କିଏ କିଏ କୁଆଢ ଛାଡୁଛି । ଏମିତି ଶୁଣିବା ବା ଦେଖିବା ପରେ ଯିଏନାହିଁ ସିଏ ଭାବିବେ ବୋଧହୁଏ କେଉଁ ଗାଁରେ ଚୋର ମାତିଛନ୍ତି । ସେମାନଙ୍କୁ ଧରିବାକୁ ପ୍ରଶାସନ ଏମିତି ବ୍ୟବସ୍ଥା କରିଛି । ହେଲେ ନା...ଚୋର ଲାଗି ନୁହେଁ ବରଂ ବନ୍ୟଜନ୍ତୁ ପାଇଁ । ଗାଁରେ ଏବେ ଭାଲୁ ମାତିଥିବାରୁ ଏବେ ଚିନ୍ତାରେ ପୂରା ଗାଁ ଲୋକେ ।

ସେବେ ବାଘ, ଏବେ ଭାଲୁ ଆତଙ୍କ । ଗତ କିଛି ଦିନରେ ଭାଲୁ ଆକ୍ରମଣରେ ୨ ଜଣଙ୍କର ଜୀବନ ଯିବା ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏପଟେ ପୁଣି ଜିଲ୍ଲାର ଆମାନାରା ସେକସନ୍‌ରେ ବାଘ ଫେରିଛି । ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକ ।

ନୂଆପଡ଼ା କୋମନା ରେଞ୍ଜ ବିଜାଖମନ ଜଙ୍ଗଲ ପାଖ ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ବନ୍ୟଜନ୍ତୁଙ୍କଠାରୁ ଲୋକଙ୍କୁ ସୁରକ୍ଷା ଦେବା ଲାଗି ପ୍ରଶାସନ ପକ୍ଷରୁ ନିଆଯାଇଛି ଏହି ପଦକ୍ଷେପ । ସ୍ୱତନ୍ତ୍ର ପୋଲିସ ଦଳ ଗଠନ ହେବା ସହିତ ପୂରା ପ୍ରସ୍ତୁତି କରିଛି ବନବିଭାଗ । କାରଣ ଭାଲୁ ଆକ୍ରମଣରେ ଗତ କିଛି ଦିନ ମଧ୍ୟରେ ୨ ଜଣଙ୍କ ପ୍ରାଣ ଯାଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଅତି ସଂକଟାପନ୍ନ ଥିବା ଜଣାପଡିଛି ।

ଭାଲୁ ଡର ଲୋକଙ୍କୁ ଏମିତି ଘାରିଛି ଯେ ଘରୁ ବାହାରିବାକୁ ବି ଲୋକମାନେ ଡରୁଛନ୍ତି । ବାଡିରେ ଲଗାଇଥିବା ପନିପରିବା ତୋଳା ଯାଇ ରଖାଯାଇଥିଲେ ବି ବଜାରକୁ ନେଇ ବିକ୍ରି କରିବାକୁ ସାହସ କରିପାରୁନାହାନ୍ତି । ବର୍ଷା ହେଲାଣି, ଏବେ ଚାଷୀ ବିଲରେ କାମକରିବାର କଥା । ହେଲେ ଭାଲୁ ଭୟରେ ଚାଷ କରିବାକୁ ବି ଯାଉନାହାନ୍ତି ଲୋକେ ।

ଖାଲି ଭାଲୁ ଭୟ ଘାରିଛି ତାହା ନୁହେଁ ବରଂ ନୂଆପଡା ରେଂଜର ଆମାନାରା ସେକସନର ତରିଆମହୁଆଭଟା ଗାଁରେ ପୁଣି ବାଘ ଆତଙ୍କ ଖେଳିଯାଇଛି । ବାଛୁରୀକୁ ଗୁହାଳରୁ ଟାଣି ନେଇ ମାରି ଖାଇଛି ବାଘ । ଯାହାକୁ ନେଇ ଖୁବ ଭୟଭୀତ ହୋଇଛନ୍ତି ଲୋକେ । ସେପଟେ, ଲୋକଙ୍କୁ ତଥା ବନ୍ୟଜନ୍ତୁକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂକୁ ଜୋରଦାର କରାଯାଇଛି । କର୍ଲାପାଟ ଅଭୟାରଣ୍ୟରୁ ନିଶ୍ଚେତକ ଟିମ୍‌ ବି ପହଂଚିଛନ୍ତି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଖଡିଆଳ ଡିଭିଜନର ଡିଏଫଓ ।

ଜଙ୍ଗଲୀ ଜୀବ ଓ ମଣିଷଙ୍କ ମଧ୍ୟରେ ଅନେକ ସମୟରେ ଲଢେଇ ହେଉଥିବା ଦେଖାଯାଉଛି । କେତେବେଳେ ମଣିଷର ତ ଆଉ କେତେବେଳେ ବନ୍ୟଜନ୍ତୁଙ୍କର ଜୀବନ ଯାଉଛି । ଏମିତି ସମୟରେ ନୂଆପଡାରୁ ଯେଉଁ ଚିତ୍ର ଆସିଛି ତାହା ସମସ୍ତଙ୍କ ଚିନ୍ତା ବଢାଇଛି ।

 

  • Reported by:
  • MAYADHAR SARAF